ବେଦପ୍ରକାଶଙ୍କ ବିୟୋଗକୁ ନେଇ ବିଜେଡି ନେତାଙ୍କୁ ଦାୟୀ କଲେ ବିଜୟ

ଭୁବନେଶ୍ୱର (ଓଏନଏ): ବରିଷ୍ଠ ନେତା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ମର୍ମାହତ ହୋଇଛନ୍ତି ଓ ଦୁଃଖ ପ୍ରକାଶ କରିଛନ୍ତି । ଏଥର ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିୟୋଗ ପରେ ଏବେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ବନ୍ଦ ହୋଇଯିବ । ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ଏହି ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ସିଧାସଳଖ ନ ହେଲେ ବି ବିଜେଡି ନେତାମାନଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଙ୍କ ଅସୁସ୍ଥତା କଥା ଜାଣିବା ସତ୍ତେ୍ୱ ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରାଯିବା ନେଇ ବିଜୟ ପ୍ରଶ୍ନ କରିଛନ୍ତି । ବିଜୟଙ୍କ ଏହି ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଚାଲିଛି । ବିଜୟ ଯେଉଁ କଥା ଉଠାଇଛନ୍ତି ତାହା ପଛରେ ସୁଦୁର ପ୍ରସାରୀ ପ୍ରଭାବ ରହିଛି । ଫଳରେ ଶ୍ରୀ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣା ବିବାଦୀୟ ମୋଡ଼ ନେଇଛି ।
ବିଜୟ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ତାଙ୍କ ମୃତ୍ୟୁ ଖବର ପାଇଲା ପରେ ମୁଁ ମୋର ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି । ମୁଁ ବ୍ୟକ୍ତିଗତ ଭାବରେ ଯେହେତୁ ତାଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଘନିଷ୍ଠତା ଥିଲା ସେଥିପାଇଁ ମୁଁ ଦୁଃଖିତ ଓ ମର୍ମାହତ । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବି ସେ ଶଯ୍ୟାଶାୟୀ ଥିଲେ । ଯେଉଁମାନେ ତାଙ୍କୁ ଆଣି ନିର୍ବାଚନ ମଇଦାନରେ ଛିଡ଼ା କରାଇଥିଲେ, ସେଥିରେ ମୋର ମନେହୁଏ ତାଙ୍କ ପ୍ରତି ଠିକ ନ୍ୟାୟ କରାଗଲା ନାହିଁ । ଆଇନ ଅନୁସାରେ ଆଉଥରେ ନିର୍ବାଚନ ହେବ, ନିର୍ବାଚନ କମିଶନ ଆଉକ ତାରିଖ ଘୋଷଣା କରିବେ ବୋଲି ବିଜୟ କହିଛନ୍ତି ।
ବିଜୟ ୨୦୦୯ରେ ପାଟକୁରା ଆସନରୁ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ଏଥର ୨୦୧୯ ନିର୍ବାଚନରେ ପୁଣି ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ଏବେ ଶ୍ରୀ ଅଗ୍ରୱାଲଙ୍କ ବିୟୋଗ ପରେ ନିର୍ବାଚନ ବନ୍ଦ ହୋଇ ଯିବାରୁ ଏଥର ବିଧାନସଭାକୁ ଯିବେ ବୋଲି ବିଜୟ ଯେଉଁ ଆଶା ବାନ୍ଧିଥିଲେ ତାହା ପୁଣି ମଉଳିଗଲା । ବିଜୟ ଏ ନିର୍ବାଚନରେ ବିଜୟୀ ହେବେ ବୋଲି ଅନେକ ଆଶା ବାନ୍ଧିଥିଲେ । ନିର୍ବାଚନମଣ୍ଡଳୀରେ ମଧ୍ୟ ଚର୍ଚ୍ଚା ହେଉଥିଲା ବିଜୟଙ୍କୁ ଆଉ କେହି ଏ ପାଳି ଅଟକାଇ ପାରିବେ ନାହିଁ । ତାଙ୍କର ବିଧାନସଭାକୁ ଯିବା ନିଶ୍ଚିତ । ୨୦୦୦ ମସିହାରୁ ବିଧାନସଭା ମାଟି ମାଡ଼ି ପାରି ନ ଥିବା ଏହି ବରିଷ୍ଠ ନେତାଙ୍କର ବାଟ ପୁଣି ବନ୍ଦ ହୋଇଗଲା । ଏହା ପରେ ଯେଉଁ ନିର୍ବାଚନ ହେବ ସେତେବେଳେ ପରିସ୍ଥିତି କଣ ହେବ ଏବଂ ରାଜନୈତିକ ସ୍ଥିତି କିପରି ଥିବ ତାହା କହିବା କଷ୍ଟକର ହେବ । ସେତେବେଳେ ବିଜେଡି ଏହି ଆସନକୁ ପାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିବ । ଫଳରେ ବିଜୟଙ୍କ ପାଇଁ ସମସ୍ୟା ବହୁ ଗୁଣରେ ବଢ଼ିଯିବ । ନିଶ୍ଚିନ୍ତତା ଅନିଶ୍ଚିତତାରେ ପରିଣତ ହେବ ବୋଲି କୁହାଯାଉଛି ।
ବିଜୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ଆଲୋଚନା ହେଉଛି । କାରଣ ଶ୍ରୀ ଅଗ୍ରୱାଲ ପୂର୍ବରୁ ଅସୁସ୍ଥ ଥିଲେ । ସେ ଟିକେଟ ପାଇବେ କି ନାହିଁ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଚାଲିଥିଲା । ପାଟକୁରା ଆସନକୁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ନ କରି ଦୀର୍ଘଦିନ ଧରି ଝୁଲାଇ ରଖିଥିଲେ । ବିଳମ୍ବରେ ଆସନ ଲାଗି ବିଧାୟକ ଶ୍ରୀ ଅଗ୍ରୱାଲଙ୍କ୍ୁ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାକୟ ସୁଯୋଗ ଦେଲେ । ଟିକେଟ ଘୋଷଣା ପରେ ଶ୍ରୀ ଅଗ୍ରୱାଲଙ୍କ ଅସୁସ୍ଥ ହେବା ଖବର ଆସିଲା । ତାଙ୍କୁ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ତାଙ୍କ ଅବସ୍ଥା ଠିକ ନ ଥିବାରୁ ଓ ସେ ଅସୁସ୍ଥ ଥିବା ଯୋଗୁ ତାଙ୍କ ବଦଳରେ ପୁଅକୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁପ୍ରିମୋଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ନିଜେ ଶ୍ରୀ ଅଗ୍ରୱାଲଙ୍କ ପତ୍ନୀ ପୁଅକୁ ସାଥୀରେ ଧରି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇ ଅନୁରୋଧ କରିଥିଲେ । ସେ ଏକାଧିକବାର ଏ ନେଇ ନବୀନ ନିବାସ ପୁଅକୁ ଧରି ଯାଇଥିଲେ । ହେଲେ ନବୀନ ଏହାକୁ ଗ୍ରହଣ କରି ନ ଥିଲେ । ବିଜୟଙ୍କ ବିରୋଧରେ ଶ୍ରୀ ଅଗ୍ରୱାଲ ହିଁ ଉପଯୁକ୍ତ ପ୍ରାର୍ଥୀ ଓ ତାଙ୍କୁ ମୁକାବିଲା କରିପାରିବେ ନାହିଁ ବୋଲି ବିଜେଡି ନେତାମାନେ ମତ ରଖିଲେ । ଚାପରେ ପଡ଼ି ଶେଷରେ ନବୀନ ଆଉ ପ୍ରାର୍ଥୀ ବଦଳାଇଲେ ନାହିଁ । ଡାକ୍ତର ଓ ପରିବାରବର୍ଗଙ୍କ ବିରୋଧ ସତ୍ତେ୍ୱ ସାମାନ୍ୟ ସୁସ୍ଥ ହେବାକ୍ଷଣି ସେ ପୁଣି ନିର୍ବାଚନ ମଇଦାନକୁ ଫେରି ପ୍ରାର୍ôଥପତ୍ର ଦାଖଲ କଲେ, ପ୍ରଚାରରେ ସାମିଲ ହେଲେ । ଏହା ଶେଷରେ ତାଙ୍କ ପାଇଁ କାଳ ସାଜିଲା । ସେ ପୁଣି ଅସୁସ୍ଥ ହୋଇ କିଛି ଦିନ ତଳେ ଆସି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରୁ ଆଉ ଫେରିପାରିଲେ ନାହିଁ । ହେଲେ ତାଙ୍କ ପାଇଁ ବିଧିର ବିଧାନ ଭିନ୍ନ ଥିଲା ବୋଲି କୁହାଯାଉଛି ।