ଝଡ଼ବାତ୍ୟା ନେଲା 33 ଜୀବନ : ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଜୟପୁର : ଝଡ଼ବାତ୍ୟା ନେଲା ୩୩ ଜୀବନ | ଦେଶର ଅନେକ ସହରର ଅବସ୍ଥା ସାଙ୍ଘାତିକ ହୋଇଯାଇଛି | ପ୍ରଳୟଙ୍କରୀ ଝଡ଼ବାତ୍ୟା ହେବା ସହ କରା ପଥର ବର୍ଷା ହୋଇଛି | ରାଜସ୍ଥାନରେ ଝଡ଼ବାତ୍ୟା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି | ଅପରପକ୍ଷରେ ମଧ୍ୟ ପ୍ରଦେଶରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ବିଭିନ୍ନ ସ୍ଥାନରେ ସମୁଦାୟ ୩୩ ଜଣଙ୍କର ଜୀବନ ଯାଇଛି | ଆଜି ମଧ୍ୟ ପାଣିପାଗ ବିଭାଗ ଝଡ଼ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିଛି |
ଗୁଜରାଟ ଏବଂ ମଧ୍ୟ ପ୍ରଦେଶ ସହ ରାଜସ୍ଥାନର ଅନେକ ଅଂଚଳରେ ପ୍ରଳୟଙ୍କରୀ ଝଡ଼ବାତ୍ୟା ହୋଇଛି | ରାଜସ୍ଥାନ ପ୍ରତାପଗଡ ଏବଂ ଝାଲବାଡ଼ରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ କରିଦେଇଛି | ଅନେକ ଜାଗାରେ ଗଛ ପଡି ବିଜୁଳି ଖୁଣ୍ଟ ପଡିଯାଇଛି | ରାଜସ୍ଥାନରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି | ଝଡ଼ବାତ୍ୟା ବିପଦ ଏବେ ମଧ୍ୟ ରହିଛି | ରାଜସ୍ଥାନ ଓ ହିମାଚଳ ପ୍ରଦେଶର ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛନ୍ତି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ଝଡ଼ବାତ୍ୟାରେ ନିହତ ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସେ ଅତ୍ୟନ୍ତ ମର୍ମାହତ | ଆହତମାନଙ୍କ ପାଇଁ ସେ ଶୁଭକାମନା କରିଛନ୍ତି | ପ୍ରଧାନମନ୍ତ୍ରୀ ସହାୟତା ପ୍ରକୋଷ୍ଠ ତରଫରୁ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି | ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି |