କେନ୍ଦ୍ରାପଡ଼ାରୁ ବିଜେଡିର କିଏ: ପ୍ରତାପ ନା ଅନୁଭବ

ଭୁବନେଶ୍ୱର(ଓଏନଏ):ଏଥର ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡିରୁ କିଏ ଲଢ଼ିବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଦଳ ଅନେକ ଆସନରେ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ଏ କ୍ଷେତ୍ରରେ କେନ୍ଦ୍ରାପଡ଼ା ପାଇଁ ନିର୍ବାଚନ ବିଳମ୍ବ ଥିବାରୁ ଦଳ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିନାହିଁ ବୋଲି କୁହାଯାଉଛି । କିନ୍ତୁ ବିଜେଡିରୁ ଏଠାରୁ ପୂର୍ବରୁ ଜିତି ଆସୁଥିବା ସାଂସଦ ବୈଜୟନ୍ତ ପଣ୍ଡା ଏବେ ଆଉ ଦଳରେ ନାହାଁନ୍ତି । ବିଜେପିରେ ଯୋଗଦେଇ ସେ ପ୍ରାର୍ଥୀ ହୋଇଛନ୍ତି । ଏଣୁ ବୈଜୟନ୍ତଙ୍କ ବିରୋଧରେ କିଏ ଲଢ଼ିବ ତାକୁ ନେଇ ବିଜେଡିକୁ ଚିନ୍ତା ଘାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ନିର୍ବାଚନମଣ୍ଡଳୀ ସମ୍ମାନର ପ୍ରଶ୍ନ ହୋଇଛି । କାରଣ ବୈଜୟନ୍ତ ଯେଉଁଭଳି ଭାବରେ ଚ୍ୟାଲେଞ୍ଜ ଦେଇ ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି ସେ କ୍ଷେତ୍ରରେ ତାଙ୍କୁ ହରାଇବା ନବୀନଙ୍କ ପାଇଁ ବଡ଼ ବିଜୟ ହେବ ବୋଲି କୁହାଯାଉଛି । ନଚେତ ବୈଜୟନ୍ତଙ୍କ ଦବଦବା ଆହୁରି ବଢ଼ିଯିବ । ଏ ପରିସ୍ଥିତିରେ କିଏ ହେବେ ବିଜୟୀ ପ୍ରାର୍ଥୀ ଯିଏ ବୈଜୟନ୍ତଙ୍କୁ ଟକ୍କର ଦେଇ ପାରିବେ । ଏଥିରେ କୁହାଯାଉଛି ସିନେ ତାରକା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ନ ହେଲେ ଅନ୍ୟତମ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଦଳ ପ୍ରାର୍ଥୀ କରିପାରେ ।
ବୈଜୟନ୍ତଙ୍କୁ ହରାଇବା ଲକ୍ଷ୍ୟରେ ଅଛନ୍ତି ନବୀନ । କାରଣ ସେ ଘୋଷଣା କରିସାରିଛନ୍ତି ଯେ, ଓଡ଼ିଶାର ୨୧ଟି ଯାକ ଲୋକସଭା ଆସନ ଏଥର ବିଜେଡି ଅକ୍ତିଆର କରିବ । ଏଣୁ ନିଶ୍ଚିତ ଭାବରେ ନିବୀନ ଏକ ଯୋଗ୍ୟ ପ୍ରାର୍ଥୀ ଦେବେ ବୋଲି କୁହାଯାଉଛି । ପ୍ରତାପ ଦେବ ତାଙ୍କର ଆଳି ବିଧାନସଭା ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଆଳିରୁ ପ୍ରାର୍ଥୀ ହୋଇ ଜିତିକି ଆସିଲେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରିବେ । ଲୋକସଭା ପାଇଁ ସେ ବିଶେଷ ଆଗ୍ରହୀ ନ ଥିବା ଆଲୋଚନା ହେଉଛି । କିନ୍ତୁ ସିନେ ତାରକା ଅନୁଭବ ମହାନ୍ତିଙ୍କ କଥା ଅଧିକ ଚର୍ଚ୍ଚା ହେଉଛି । ତାଙ୍କୁ ଦଳ ପ୍ରାର୍ଥୀ କଲେ ବୈଜୟନ୍ତଙ୍କୁ ସେ ମୁକାବିଲା କରିପାରିବେ ବୋଲି ନେତାମାନେ ଭାବୁଛନ୍ତି । ଜଣେ ଲୋକପ୍ରୀୟ ସିନେତାରକା ଭାବରେ ସେ ବେଶ ପରିଚିତ । ବିଜେଡିରେ ସେ ପୂର୍ବରୁ ମିଶି ସାରିଛନ୍ତି । ଦଳୀୟ ନେତାଭାବରେ ପରିଚିତ ହୋଇସାରିଛନ୍ତି । ଏକଥା କୁହାଯାଉଛି କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଦଳ ଆଗକୁ ଆଣିଥିଲା । କୁହାଯାଉଛି ପ୍ରାର୍ଥୀ କରିବାର ଲକ୍ଷ୍ୟ ନ ଥିଲେ ଅନୁଭବଙ୍କୁ କେନ୍ଦ୍ରାପଡ଼ାରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ କାହିଁକି ନବୀନ ଆଣିଥାନ୍ତେ । କାରଣ ଏହି କାର୍ଯ୍ୟକ୍ରମ ସହ ଅନୁଭବଙ୍କର କୌଣସି ସମ୍ପର୍କ ନାହିଁ । ଏପରି କି ସେ କେନ୍ଦ୍ରାପଡ଼ାର ଅଂଚଳର ନେତା ମଧ୍ୟ ନୁହଁନ୍ତି । ଏ କ୍ଷେତ୍ରରେ ତାଙ୍କୁ ଯେତେବେଳେ ଦଳ ଆଣି କାର୍ଯ୍ୟକ୍ରମରେ ଉପସ୍ଥାପନ କରିଛି ସେତେବେଳେ ଏହା ପଛରେ ନିଶ୍ଚୟ କିଛି କାରଣ ରହିଥିବାର ସୂଚନା ମିଳୁଛି । କେନ୍ଦ୍ରାପଡ଼ା ଅଂଚଳର ଲୋକଙ୍କ ପାଖରେ ଦଳୀୟ ନେତାଭାବରେ ଅନୁଭବଙ୍କୁ ପରିଚିତ କରାଇବା ପାଇଁ ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା କଥା ମଧ୍ୟ ଉଠୁଛି । ଅନୁଭବ ମଧ୍ୟ ଇତିମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁଡବୁକରେ ଅଛନ୍ତି । ଅନୁଭବ ମଧ୍ୟ ବିଭିନ୍ନ ସଭାସମିତିରେ ଭଲ ଭାଷଣ ଦେଇପାରୁଛନ୍ତି । ତାଙ୍କର କଥା ଓ ଭାଷଣ ଶୈଳୀ ଭୋଟରଙ୍କୁ ଆକୃଷ୍ଟ କରିପାରିବ ବୋଲି ସମସ୍ତେ ଭାବୁଛନ୍ତି । ଏଣୁ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

ନବୀନଙ୍କୁ ଟକ୍କର ଦେବେ ପୀତାମ୍ବର