ତଥାଗତଙ୍କ ମୁହଁରେ “ପରିବର୍ତ୍ତନ”ର ନାରା

ଭୁବନେଶ୍ୱର: ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ପ୍ରଥମେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ ବିଜେଡି ସାଂସଦ ତଥାଗତ ଶତପଥୀ । ଏବେ ସେ ଆଉ ଏକ ବଡ ବୟାନ ରଖିଛନ୍ତି, ଯାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥର ସେ କହିଛନ୍ତି ପରିବର୍ତ୍ତନର ସମୟ ଆସିଛି । ବିରୋଧୀ ବିଜେପି ସ୍ୱରରେ ତଥାଗତ ସ୍ୱର ମିଳାଇଛନ୍ତି ବୋଲି କୁହାଯାଉଛି । ବିଜେପି ସବୁବେଳେ “ଏଥର ପରିବର୍ତ୍ତନ”ର ନାରା ଦେଇଛି । ଏପରିକି ପୂର୍ବତନ ସାଂସଦ ତଥା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା “ପରିବର୍ତ୍ତନ… ହେଇ ଯାଉ” କଥା କହୁଥିବା ବେଳେ ଏବେ ତଥାଗତ ମଧ୍ୟ ଏହି ନାରା ହେଉଥିବାର ଦେଖାଯାଉଛି । ଏହାକୁ ନେଇ ରାଜନୀତିରେ ଆଲୋଚନା ଜୋରରେ ଧରିଛି ।
ତଥାଗତ ଆସନ୍ତା ନ୍ରିବାଚନ ଲଢିବେ ନାହିଁ ବୋଲି କହିଥିଲେ ଏବଂ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ସେ ବିଧିବଦ୍ଧ ଭାବେ ବିଜେଡିରୁ ଇସ୍ତଫା ଦେଇ ନଥିବାରୁ ତାଙ୍କୁ ସମସ୍ତେ ଏବେ ବି ବିଜେଡି ନେତା ଭାବେ ଗ୍ରହଣ କରୁଛନ୍ତି । ବିଜେଡି ନେତା ହୋଇ ନିଜ ଦଳ ଓ ସରକାରରେ ପରିବର୍ତ୍ତନ ହେବ ଏକଥା ବିରୋଧୀଙ୍କ ଭଳି ମତ ରଖିବା ପଛରେ ତାଙ୍କର ରହିଥିବା କ୍ଷୋଭର ପରିପ୍ରକାଶ ବୋଲି କୁହାଯାଉଛି । ଦଳ ଭିତରେ ତାଙ୍କୁ ଗୁରୁତ୍ୱ ନ ମିଳିବା ଓ ଅନିଶ୍ଚିତତା ମଧ୍ୟ ଦେଇ ଗତି କରିବା ଘଟଣା ଯୋଗୁଁ ସେ ନିଜକୁ ଆଗୁଆ ବାହାନା କରି ଦୂରେଇ ରଖିଲେ । ଏବେ ସେ ବାଣ ମାରିବା ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ହୋଲି ଅବସରରେ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଥାଗତ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମରେ ଭର୍ତ୍ତୃହରି ମହାତାବ ଓ ଅନ୍ୟାନ ଯୋଗ ଦେଇଥିଲେ । ସେଠାରେ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ରଖିବା ବେଳେ ସେ ହୋଲି ପାଇଁ ଓଡିଶାବାସୀଙ୍କୁ ଶୁଭକାମନା ଜଣାଇ କହିଥିଲେ ପରିବର୍ତ୍ତନର ସମୟ ଆସିଛି । ଲୋକେ ପୁଣି ଭୋଟ ଦେବେ ୫ ବର୍ଷ ପାଇଁ । ମୁଁ ଆଶା କରୁଛି ଓଡିଶାର ଉଜ୍ୱଳ ଭବିଷ୍ୟତ ପାଇଁ ଭାବିଚିନ୍ତି ଲୋକେ ଭୋଟ ଦେବେ । ଭଲ ଲୋକ ବାଛିକି ଭୋଟ ଦେବେ । ଏପରିକି ସେ କହିଥିଲେ ଆସନ୍ତା ନିର୍ବାଚନରେ ସେ କୌଣସି ଦଳ ଲାଗି ପ୍ରଚାର କରିବେ ନାହିଁ ।
ତଥାଗତଙ୍କ ଏହି ମତ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ସେ ଏବେ ବି ବିଜେଡିରେ ଅଛନ୍ତି । ସେ ଇସ୍ତଫା ଦେଇନାହାନ୍ତି କିମ୍ବା ତାଙ୍କୁ ବିଦା କରିନାହିଁ । ଏ କ୍ଷେତ୍ରରେ ତାଙ୍କ ମତକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନରେ ଦଳ ପାଇଁ ପ୍ରଚାର ନକରିବା ହୁଏ ତ ତାଙ୍କୁ କେହି ବାଧ୍ୟ କରି ନ ପାରନ୍ତି । ହେଲେ ବିଜେଡିକୁ ଭୋଟ ଦେବାକୁ ନ କହି ଉପ ଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦେବାକୁ କହିବା ପଛରେ ତାଙ୍କ ଉଦ୍ଦେଶ୍ୟ ଜଣା ପଡିଯାଉଛି । ଏକଥାକୁ ବି କେହି ଗୁରୁତ୍ୱର ସହ ଗ୍ରହଣ ନ କରିପାରନ୍ତି । କିନ୍ତୁ ସେ ଯେଉଁ ପରିବର୍ତ୍ତନ କଥା କହିଛନ୍ତି ତାହା ହେଉଛି ସବୁଠାରୁ ପ୍ରଣିଧ୍ୟାନ ଯୋଗ୍ୟ । ନିଜ ଦଳ ସରକାରର ପରିବର୍ତ୍ତନ କଥା ସେ ଏଠାରେ ଉଠାଉଛନ୍ତି । ବିଜେଡିର ଜଣେ ବରିଷ୍ଠ ନେତା ହୋଇ ଏଭଳି ମତ ରଖିବା ପଛରେ ନିଶ୍ଚୟ କିଛି କାରଣ ଥିବା ସନ୍ଦେହ କରାଯାଉଛି ।
ବିଜେଡିରେ ତଥାଗତଙ୍କୁ ଆଉ ନ ରଖିବା ପାଇଁ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଧହୁଏ ମନସ୍ଥ କରିସାରିଥିଲେ । କାରଣ ଏକଥା ତଥାଗତ ନିଜେ ବମ୍ବେର ଏକ ଅଂରାଜୀ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ରଖିଥିବା ମତରୁ ସୁସ୍ପଷ୍ଟ ବୋଲି କୁହାଯାଉଛି । ତଥାଗତ ନିର୍ବାଚନରେ ନ ଲଢିବା ପାଇଁ ସେ ନିଷ୍ପତ୍ତି ନେବା ପରେ ଏ ବିଷୟ ଦଳ ସୁପ୍ରିମୋଙ୍କୁ ଭେଟି ଜଣାଇଥିଲେ । କିନ୍ତୁ ଦଳ ସୁପ୍ରିମୋ ତାଙ୍କୁ ଏପରି ନିଷ୍ପତ୍ତି ନ ନେବା ପାଇଁ କହିନଥିଲେ କିମ୍ବା ଦଳରେ ରହିବା ପାଇଁ ମଧ୍ୟ ଅନୁରୋଧ କରିନଥିଲେ । ଏଣୁ ତଥାଗତଙ୍କ ଭଳିି ଅତି ଚତୁର ବ୍ୟକ୍ତିଙ୍କ ପକ୍ଷେ ନବୀନଙ୍କ ତାଙ୍କ ପ୍ରତି ମନୋଭାବ କଣ ଆଉ ବୁଝିବାକୁ ବାକି ନ ଥିବ । ସେଥିପାଇଁ ଏବେ ସେ ଯେଉଁଠି ସୁଯୋଗ ପାଇଲେ ସେଠି ବାଣ ମାରିବାକୁ ପଛାଉ ନଥିବା କୁହାଯାଉଛି ।
ତଥାଗତ ଯେତେବେଳେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କଲେ ସେତେବେଳେ ଏକଦା ତାଙ୍କର ଖାସ ବିରୋଧୀ ଥିବା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାସଭବନରେ ଯାଇ ପହଁଞ୍ଚିଥିଲେ । ଏବେ ବିଜେପି ଦେଉଥିବା “ପରିବର୍ତ୍ତନ”ର ନାରା ତଥାଗତଙ୍କ ମୁହଁରେ ଶୁଣିବାକୁ ମିଳୁଛି ।

ସାକ୍ଷାତ ବେଳେ ତଥାଗତଙ୍କୁ ନବୀନ ଦଳରେ ରହିବାକୁ କହିଲେ ନାହିଁ