ଚର୍ଚ୍ଚାରେ ଦାମଙ୍କ ଘରେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ ଆଜି ଡାକ୍ତର ଦାମୋଦର ରାଉତଙ୍କ ସରକାରୀ ବାସଭବନରେ ପହଂଚିଥିଲେ । ଡାକ୍ତର ରାଉତଙ୍କ ପତ୍ନୀଙ୍କର ଆଜି ବିୟୋଗ ହୋଇଛି । ତାଙ୍କର ଶେଷ ଦର୍ଶନ ପାଇଁ ନବୀନ ଡାକ୍ତର ରାଉତଙ୍କ ବାସଭବନକୁ ଯାଇଥିଲେ । ଏହାକୁ ନେଇ ଏବେ ରାଜନୀତିରେ ବିଭିନ୍ନ ଚର୍ଚ୍ଚା ହେଉଛି । ବିଜେଡିରୁ ବିଦା ହେବା ପରେ ନବୀନଙ୍କଠାରୁ ପ୍ରତିଶୋଧ ନେବାପାଇଁ ତାଙ୍କୁ ଆସନ୍ତା ନିର୍ବାଚନରେ ଯେପରି କ୍ଷମତାକୁ ନ ଆସିବେ ସେ ନେଇ ଡାକ୍ତର ରାଉତ ଶପଥ ନେଇଛନ୍ତି । ବର୍ତ୍ତମାନ ରାଜନୀତିରେ ନବୀନଙ୍କ ପ୍ରମୁଖ ଶତ୍ରୁଭାବେ ଛିଡ଼ା ହୋଇଛନ୍ତି ଡାକ୍ତର ରାଉତ । ଏକଥା କାହାକୁ ଅଛପା ନାହିଁ । ଏହା ସତ୍ତେ୍ୱ ତାଙ୍କ ପତ୍ନୀଙ୍କ ବିୟୋଗ ପରେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ନବୀନ ପହଂଚିବା ନେଇ ଏବେ ସନ୍ଦେହ ଦେଖାଦେଇଛି । ଏହାଦ୍ୱାରା ନବୀନ ନିଜର ମହାନତା ପ୍ରଦର୍ଶନ କରିଥିବା କଥା ଚର୍ଚ୍ଚା ହେଉଛି । କିନ୍ତୁ ଏହା ପଛରେ ନିଶ୍ଚୟ ରାଜନୈତିକ ଲକ୍ଷ୍ୟ ଥିବା କଥା କୁହାଯାଉଛି ।
ନବୀନଙ୍କୁ ଡାକ୍ତର ରାଉତ ଯେତିକି ସମାଲୋଚନା କରୁଛନ୍ତି ସେହି ତୁଳନାରେ ବୈଜୟନ୍ତ ପଣ୍ଡା ସେପରି କିଛି ସମାଲୋଚନା କରୁ ନ ଥିଲେ । ହେଲେ ବୈଜୟନ୍ତଙ୍କ ପିତା ବଂଶୀଧର ପଣ୍ଡାଙ୍କ ବିୟୋଗରେ ତାଙ୍କ ଶେଷ ଦର୍ଶନ ପାଇଁ କିମ୍ବା ତାଙ୍କ ଅନ୍ତେଷ୍ଟିକ୍ରୀୟାରେ ସାମିଲ ହେବା ପାଇଁ ନବୀନ ଯାଇ ନ ଥିଲେ । ଏପରି କି ବିଜେଡିରେ କୌଣସି ନେତା ବି ଯିବାକୁ ଉଚିତ ମନେ କରି ନ ଥିଲେ । ବିଜେଡି ଛାଡ଼ିବା ବୈଜୟନ୍ତଙ୍କର ଏହି ଘଟଣା ମୁଖ୍ୟ କାରଣ ଥିଲା । ବୈଜୟନ୍ତ ମଧ୍ୟ ବିଜେଡି ଛାଡ଼ିବା ପରେ ଏକଥା ଉଲ୍ଲେଖ କରିଥିଲେ । ବଂଶୀପଣ୍ଡା ଓଡ଼ିଶାର ଜଣେ ପ୍ରତିଷ୍ଠିତ ଓ ଜଣାଶୁଣା ଶିଳ୍ପପତି ହୋଇଥିଲେ ବି ନବୀନ ଯାଇ ନ ଥିଲେ । କିନ୍ତୁ ଡାକ୍ତର ରାଉତଙ୍କ ପତ୍ନୀଙ୍କ ଶେଷ ଦର୍ଶନ ପାଇଁ ଯିବା ନିଶ୍ଚୟ କିଛି କାରଣ ରହିଛି ବୋଲି ଅନେକ ମତ ରଖୁଛନ୍ତି ।
ଡାକ୍ତର ରାଉତ ବିଜେପିରେ ମିଶିବା ପୂର୍ବରୁ ବିଭିନ୍ନ ଅଂଚଳକୁ ଯାଇ ନବୀନ ଓ ତାଙ୍କ ବିରୋଧରେ ବିଶୋଦଗାର କରୁଥିଲେ । ଏବେ ବିଜେପିରେ ମିଶିବା ପରେ ଦଳର ସଂକଳ୍ପ ଯାତ୍ରାରେ ବର୍ତ୍ତମାନ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଭିନ୍ନ ଅଂଚଳକୁ ଯାଇ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଏପରି କି ନବୀନ ଏ ନିର୍ବାଚନରେ ବରଗଡ଼ର ବିଜେପୁର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଏଣୁ ଡାକ୍ତର ରାଉତ ବିଜେପୁର ଯାଇ ନବୀନଙ୍କ ବିରୋଧରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ଏକ ପ୍ରମୁଖ ବିରୋଧୀ ଭାବରେ ଡାକ୍ତର ରାଉତ ବିଜେଡି ଆଗରେ ଉଭା ହୋଇଛନ୍ତି । ଏଭଳି ସ୍ଥିତିରେ ନବୀନଙ୍କ କାର୍ଯ୍ୟଧାରା ଯାହା ସେଥିରେ ସେ ତାଙ୍କ ବାସଭବନକୁ ଯିବା ବ୍ୟକ୍ତି ନୁହଁନ୍ତି । ହେଲେ ହଠାତ ନବୀନ ପହଂଚିବା ସମସ୍ତଙ୍କୁ ଚକିତ କରିଦେଇଛି । ଏବେ କୁହାଯାଉଛି ଏହି ଘଟଣା ପରେ ଡାକ୍ତର ରାଉତଙ୍କ ସ୍ୱର ନବୀନଙ୍କ ପ୍ରତି ନରମ ରହିବ । ମୁଖ୍ୟମନ୍ତ୍ରୀ ଯେତେବେଳେ ତାଙ୍କ ଦୁଆରରେ ପହଂଚିଥିଲେ ସେତେବେଳେ ଡାକ୍ତର ରାଉତଙ୍କୁ କିଛି କହିଲା ବେଳେ ଭାବିଚିନ୍ତି ମତ ରଖିବାକୁ ହେବ । ନ ହେଲେ ଲୋକେ ଡାକ୍ତର ରାଉତଙ୍କୁ ସମାଲୋନା କରିବେ ବୋଲି କୁହାଯାଉଛି । ନବୀନ ଜାଣିଶୁଣି ଡାକ୍ତର ରାଉତଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ବାସଭବନକୁ ଯାଇଥିବା ନେଇ ଅନେକ ମତ ରଖୁଛନ୍ତି ।