ପ୍ରଥମ ପର୍ଯ୍ୟାୟରେ ୭ ସାଂସଦ ୧୪ ବିଧାୟକଙ୍କ ଟିକେଟ କଟିଲା

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ୯ ଲୋକସଭା ଆସନ ମଧ୍ୟରୁ ୮ଟିରେ ଦଳ ନୂଆ ମୁହଁ ଦେଇଛି । କେବଳ ବଲାଙ୍ଗୀର ଲୋକସଭା ଆସନରେ ଦଳର ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ପୁନଶ୍ଚି ଲଢ଼ିବା ପାଇଁ ନବୀନ ସୁଯୋଗ ଦେଇଥିଲା ବେଳେ କନ୍ଧମାଳ ଆସନରୁ ଦଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ବଦଳରେ କିଟର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ ନବରଙ୍ଗପୁରରେ ସାଂସଦ ବଳଭଦ୍ର ମାଝିଙ୍କ ବଦଳରେ ମନ୍ତ୍ରୀ ରମେଶ ମାଝିଙ୍କୁ ବ୍ରହ୍ମପୁରରେ ଚଳଚ୍ଚିତ୍ର ତାରକା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ ଚନ୍ଦ୍ରଶେଖର ସାହୁ, କୋରାପୁଟରେ ଝିନ୍ନ ହିକକାଙ୍କ ମଦଳରେ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ, ବରଗଡ଼ରେ ପ୍ରଭାସ ସିଂଙ୍କ ବଦଳରେ ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ, ଆସିକାରେ ସ୍ୱର୍ଗତଃ ସାଂସଦ ଲଡୁକେଶର ସ୍ୱାଇଁଙ୍କ ବଦଳରେ ପ୍ରମିଳା ବିଶୋଇଙ୍କୁ, ସୁନ୍ଦରଗଡ଼ରେ ଏଥର ଆଉ ଦିଲ୍ଲୀପ ତିର୍କୀଙ୍କୁ ନ ଦେଇ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରାଯାଇଛି ।
ଘୋଷିତ ୫୪ଟି ବିଧାନସଭା ଆସନ କ୍ଷେତ୍ରରେ ମଧ୍ୟ ଦଳ ଅନେକ ପରିବର୍ତ୍ତନ କରିଛି । ବିଜେପୁରରେ ବିଧାୟିକା ରିତା ତରାଇଙ୍କ ବଦଳରେ ନିଜେ ଦଳର ସୁପ୍ରିମୋ ପ୍ରାର୍ଥୀ ହେଉଛନ୍ତି । ଝାରସୁଗୁଡ଼ାରେ ଗତଥର ଦଳର ପ୍ରାର୍ଥୀ କିଶୋର ମହାନ୍ତିଙ୍କ ବଦଳରେ ନବ ଦାସଙ୍କୁ କଣ୍ଟାବଂଜିରେ ବିଧାୟକ ଆୟୁବ ଖାଁଙ୍କ ବଦଳରେ ଅଜୟ ଦାସଙ୍କୁ, ନବରଙ୍ଗପୁରରେ ବିଧାୟକ ମନୋହର ରନ୍ଧାରୀଙ୍କ ବଦଳରେ ସଦାଶିବ ପ୍ରଧାନଙ୍କୁ, ନର୍ଲାରେ ବିଧାୟକ ଧନେଶ୍ୱର ମାଝିଙ୍କ ବଦଳରେ ଭୁପିନ୍ଦର ସିଂହଙ୍କୁ, ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ରଙ୍କ ବଦଳରେ ଚକ୍ରଧର କଅଁରଙ୍କୁ, ଦଶପଲ୍ଲାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ବଦଳର ରମେଶ ବେହେରାଙ୍କୁ, କବିସୂର୍ଯ୍ୟନଗରରେ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବଦଳରେ ଲତିକା ପ୍ରଧାନଙ୍କୁ, ଖଲିକୋଟରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମଦଳରେ କେକେ ସୂର୍ଯ୍ୟମଣୀ ବୈଦ୍ୟ , ଛତ୍ରପୁରରେ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ବଦଳରେ ସୁବାସ ଚନ୍ଦ୍ର ବେହେରା, ଆସିକାରେ ବିଧାୟକ ଦେବରାଜ ମହାନ୍ତିଙ୍କ ବଦଳରେ ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁରରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ବିକ୍ରମ ପଣ୍ଡାଙ୍କୁ, ମୋହନାରେ ବିଧାୟକ ବାସନ୍ତି ମଲ୍ଲିକଙ୍କ ବଦଳରେ ପୂର୍ଣ୍ଣବାସୀ ନାୟକଙ୍କୁ, ଗୁଣପୁରରେ ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ବଦଳରେ ରଘୁନାଥ ଗମାଙ୍ଗଙ୍କୁ, ଭବାନୀପାଟଣାରେ ବିଧାୟକ ଅନାମ ନାୟକଙ୍କ ବଦଳରେ ଦୁଷ୍ମନ୍ତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି ।
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୭ ସାଂସଦ ଓ ୧୪ ବିଧାୟକଙ୍କ ଟିକେଟ କଟାଯାଇଛି ।