ଖରା ଦିନ ଆରମ୍ଭରୁ ପାନୀୟ ଜଳ ପାଇଁ ଡହଳବିକଳ ହେଲା ନବରଙ୍ଗପୁର ଜିଲ୍ଲା

କୋଷାଗୁମୁଡା: ଖରା ଦିନ ଆରମ୍ଭରୁ ହିଁ ପାନୀୟ ଜଳ ପାଇଁ ଡହଳବିକଳ ହେଲେଣି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମବାସୀ । ଛତିଶଗଡ଼ ସୀମାନ୍ତରେ ଥିବା ଘୋଡାଧନୁଆ ଗ୍ରାମରେ ପରଜା, ଭତରା, ବିନ୍ଧାଣି, ଲୋହରା, ମାଳି, ଗଉଡ, ହରିଜନ ଓ କୁମ୍ଭାର ଭଳି ଜାତିର ପ୍ରାୟ ୫ହଜାର ଲୋକ ବସବାସ କରୁଛନ୍ତି । ଏହି ଗ୍ରାମର ୫00ଟି ପରିବାର ପାଇଁ ୮ଟି ନଳକୂପ ଖନନ କରାଯାଇଛି । କିନ୍ତୁ ଦୀର୍ଘ ଦିନ ହେଲା ୫ଟି ନଳକୂପ ଅଚଳ ହୋଇ ପଡିଛି । ଅନ୍ୟପଟେ ଅବଶିଷ୍ଟ ୩ଟି ନଳକୂପରୁ ଗୋଳିଆ ପାଣି ବାହାରୁଛି । ଏଥିଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି । ୫ହଜାର ଲୋକଙ୍କ ପାଇଁ ମାତ୍ର ୩ଟି ନଳକୂପ ଥିବାରୁ ସର୍ବଦା ନଳକୂପ ନିକଟରେ ମହିଳାଙ୍କ ଭିଡ଼ ଜମି ରହୁଛି । ମହିଳାମାନେ ହାଣ୍ଡିଏ ପାଣି ପାଇଁ ଖରାତରାରେ ଦୀର୍ଘ ସମୟ ଲାଇନ୍‌ରେ ଠିଆ ହୋଇ ରହୁଛନ୍ତି । ଏଭଳି ପରିସ୍ଥିତିରେ କିଛି ପରିବାରକୁ ପାଣି ମଧ୍ୟ ମିଳୁନି । କିଛି ମହିଳା ନଳକୂପରୁ ପାଣି ନେଇ ୩ରୁ ୪ଦିନ ରଖି ବ୍ୟବହାର କରୁଛନ୍ତି । ଅନ୍ୟପଟେ ଗ୍ରାମବାସୀ ନିତ୍ୟ କର୍ମ ସହ ଗୋରୁଙ୍କୁ ଗାଧୋଇବା ଓ ଲୁଗା ସଫା କରିବା ପାଇଁ ଗାଁ ନିକଟ ନାଳ ଉପରେ ନିର୍ଭର କରୁଛନ୍ତି । ଦୀର୍ଘ ବର୍ଷ ହେଲା ଏହି ଉପାନ୍ତ ଗାଁରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲେ ହେଁ ସରକାରୀ ବାବୁଙ୍କ ପାଦ ପଡୁନଥିବାରୁ ସମସ୍ୟାର ସମାଧାନ ହୋଇପାରୁନଥିବା ଗ୍ରାମବାସୀ କହିଛନ୍ତି । ଏପରିକି ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ଆରଡବ୍ଲୁଏସଏସ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଝିମିଟି ଖେଳରୁ ମହାଭାରତ: ବୋହୂର ଶାଶୂଘରକୁ ବିଳମ୍ବରେ ଫେରିବାରୁ ଘଟିଛି ଲଙ୍କାକାଣ୍ଡ,