ନିର୍ବାଚନ ଶେଷ ପର୍ଯ୍ୟନ୍ତ ମଦ ବନ୍ଦ କରିବାକୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିବେଦନ କଲେ

ଭୁବନେଶ୍ୱର : ରାଜ୍ୟରେ ସାଧାରଣ ନିର୍ବାଚନ ଘୋଷଣା ହେଲା ପରେ ବିଜେଡି ବିଜେପି ଦଳ ଯେଭଳି ଭାବରେ ଅର୍ଥ କାରବାରରେ ଲାଗି ପଡିଛନ୍ତି ତା ସାଙ୍ଗକୁ ବ୍ୟାପକ ମଦ ଓ ମାଦକ ଦ୍ରବ୍ୟର ପ୍ରସାର ରାଜ୍ୟର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁଭବ କରି ଆଜି ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋଙ୍କ ନେତୃତ୍ୱରେ ଏକ ୭ ଜଣିଆ କଂଗ୍ରେସ ପ୍ରତିନିଧି ଦଳ
ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଲିଖିତ ନିବେଦନ ପତ୍ର ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୋଟ ଗ୍ରହଣର ଦୁଇଦିନ (୪୮ ଘଂଟା) ପୂର୍ବରୁ ମଦ ଦୋକାନ ବନ୍ଦ ରଖିବା ପାଇଁ ସରକାରୀ ବିଧି ବ୍ୟବସ୍ଥା ଥିଲେ ମଧ୍ୟ ଏହା କେବଳ ଧର୍ମକୁ ଆଖିଠାର ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ କଂଗ୍ରେସ ଦଳ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଠାରେ ପ୍ରସ୍ତାବ ରଖିଛି ଯେ, ଆଜିଠାରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରୀୟାରେ ମଦ ଓ ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ କଂଗ୍ରେସ ଦଳ ଦାବି କରିଛି । ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ମଦ ଓ ମାଦକ ଦ୍ରବ୍ୟର ନିଷେଧ
ନିମେନ୍ତ ରାଜ୍ୟବାସୀଙ୍କ ଉକ୍ରଣ୍ଠାକୁ ନିର୍ବାଚନ କମିଶନ ନିଶ୍ଚିତ ଭାବରେ ହୃଦୟଙ୍ଗମ କରି ବିହୀତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର କୁମାର ମିଶ୍ର, ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, କଂଗ୍ରେସ ନେତା ନିରଦ ବରଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ପଣ୍ଡା ସଂଯୋଜନା କରିଥିଲେ ।