ବିଦ୍ରୋହୀଙ୍କୁ ସମ୍ଭାଳିବା ସବୁ ଦଳ ପାଇଁ କାଠିକର ପାଠ

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପରେ ସବୁ ଦଳରେ ଏବେ ବିଦ୍ରୋହର ପଦଧ୍ୱନୀ ଦେଖାଦେଇଛି । କେବଳ ବିଜେଡିରେ ନୁହେଁ, ବିଜେପି ଓ କଂଗ୍ରେସରେ ମଧ୍ୟ ବିଦ୍ରୋହ ଜୋରଦାର ହୋଇଛି । ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରି ବିଜେଡି ଅଡୁଆରେ ପଡ଼ିଲା । ଦଳର ୩ ସାଂସଦ ଓ ୫ ବିଧାୟକ ଇସ୍ତଫା ଦେଇ ଅନ୍ୟ ଦଳକୁ ଚାଲିଲେ । ଏହାପରେ ବିଜେଡି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ଆସନରେ ପ୍ରାର୍ଥୀ ତାଲିକା ଏଯାଏଁ ପ୍ରକାଶ କରିନାହିଁ । ଆଉ ଅନ୍ୟ ଆସନଗୁଡ଼ିକରେ ମଧ୍ୟ ତାଲିକା ଅଟକିକି ରହିଛି । ବିଜେଡି ପରେ କଂଗ୍ରେସ ତାଲିକା ପ୍ରକାଶ କରିଥିଲା । ଦଳର କିଛି ନେତା ଛାଡ଼ିବା ସହ ବିଦ୍ରୋହ କରିଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପରେ ବିଦ୍ରୋହ ଚରମ ସୀମାରେ ପହଂଚିଛି । ସେହିପରି ବିଜେପିର ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପରେ ଦଳରେ ଜୋରଦାର ବିଦ୍ରୋହ ଦେଖାଦେଇଛି । ବୋଧହୁଏ ବହୁସଂଖ୍ୟାରେ ନେତା ଛାଡ଼ିବା ଘଟଣା ସାଧାରଣରେ ଭୁଲ ବାର୍ତ୍ତା ଦେଇପାରେ ସେଥିପାଇଁ ବିଜେଡି ତାଲିକା ଘୋଷଣା ବିଳମ୍ବ କରୁଥିବା କୁହାଯାଉଛି ।
ବିଜେଡି ଛାଡ଼ିଥିବା ସାଂସଦ ଓ ବିଧାୟକମାନେ ବିଜେପି ମୁହାଁ ହୋଇଛନ୍ତି । ଏହି ଘଟଣା ବିଜେଡି ପାଇଁ ଚିିନ୍ତାର କାରଣ ପାଲଟିଛି । ବିଜେପି ବର୍ତ୍ତମାନ ହେଉଛି ବିଜେଡିର ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦୀ ଓ ଶତ୍ରୁ । ଏ କ୍ଷେତ୍ରରେ ବିଜେଡି ସାଧାରଣ ନେତା କି କର୍ମୀ ନୁହଁନ୍ତି ସାଂସଦ ଓ ବିଧାୟକମାନେ ଯାଇ ବିଜେପିରେ ଯୋଗ ଦେଉଛନ୍ତି । ଏହାଦ୍ୱାରା ଲୋକଙ୍କ ମନରେ ଧାରଣା ହେବ ବିଜେପି ଏବେ ଆଦ୍ରୁତ ହେଉଛି । ବିଜେଡି ଛାଡୁଥିବା ନେତା ବିଜେପିକୁ ଆସୁଥିବାରୁ ଲୋକଙ୍କ ଧାରଣା ମଧ୍ୟ ବଦଳିବ ବୋଲି କୁହାଯାଉଛି । ବିଜେଡି ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଯେପରି ନେତାମାନଙ୍କ ଇସ୍ତଫାର ସୁଅ ଛୁଟିଲା ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଏଣୁ ବିଜେଡି ଆଉ ପ୍ରାର୍ଥୀ ତାଲିକା ଘୋଷଣା ନ କରି ଅପେକ୍ଷାରେ ରହିଛି ।
ବିଳମ୍ବରେ ତାଲିକା ଘୋଷଣା କରି ବିଜେପି ରକ୍ଷା ପାଇଯାଇନାହିଁ । ଦଳର ବିଧାୟକ ଦୁର୍ଯ୍ୟୋଧନ ମାଝି ଇସ୍ତଫା ଦେଇଛନ୍ତି । କିନ୍ତୁ ଏତିକିରେ ବିଜେପିର ଅସନ୍ତୋଷ କମିନାହିଁ । ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଓ କେତେକ ସ୍ଥାନରେ ଭଂଗାରୁଜା ମଧ୍ୟ କରିଛନ୍ତି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଆଶାୟୀଙ୍କ ସମର୍ଥକ ତାଲା ପକାଇ ଦେଇଥିଲେ । ଲକ୍ଷ୍ମୀପୁର, ପଦ୍ମପୁର, ଆଳିଠୁ ଆରମ୍ଭ କରି ଅନ୍ୟ ସ୍ଥାନମାନଙ୍କରେ ବି ବିଦ୍ରୋହ ଜୋରଦାର ହୋଇଛି । ଇସ୍ତଫା ତୁଳନାରେ ଯେଉଁଭଳି ଭାବରେ ବିଦ୍ରୋହ ଗୋଟିଏ ପରେ ଗୋଟିଏ ସ୍ଥାନରେ ଦେଖାଦେଇଛି, ତାହାକୁ ପ୍ରସମିତ ନ କଲେ ଦଳ ପାଇଁ ନିର୍ବାଚନରେ ଘାତକ ହେବ ବୋଲି କୁହାଯାଉଛି ।
ସେହିପରି କଂଗ୍ରେସରେ ମଧ୍ୟ ଇସ୍ତଫା ଓ ବିଦ୍ରୋହ କିଛି କମ ନୁହେଁ । ଦଳର ବରଗଡ଼ ଜିଲ୍ଲା ନେତା ପୂର୍ବତନ ବିଧାୟକ ସାଧୁ ନେପାକ ଓ ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳୀୟ ନେତା ଇସ୍ତଫା ଦେଇଛନ୍ତି । ଗଣ୍ଡଗୋଳ ବହୁ ସ୍ଥାନରେ ଜୋରଦାର ହୋଇଛି । ଝାରସୁଗୁଡ଼ାରେ ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ କର୍ମୀମାନେ ତାଲା ପକାଇ ଦେଇଛନ୍ତି । ନୀଳଗିରିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାଡ଼ିଆପିଟା ହୋଇଛି । ବଲାଙ୍ଗୀରରେ ମଧ୍ୟ ଗୋଟିଏ ଗୋଷ୍ଠୀ ବିଦ୍ରୋହ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟ ଘୋଷଣାର ପରିଣତିକୁ ଦେଖି ବିଜେଡି ତାର ଢ଼ାଂଚାକୁ ବଦଳାଇଛି । କୁହାଯାଉଛି ଯେଉଁମାନଙ୍କୁ ଦଳ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଚାହୁଁଛି ସେମାନଙ୍କ ନିକଟରେ ଦଳ କିମ୍ବା ପ୍ରଶାସନିକ କଳ ମାଧ୍ୟମରେ ଖବର ପହଂଚାଇ ଦିଆଯାଉଛି । ଦଳୀୟ ଟିକେଟ ତାଙ୍କୁ ମିଳିବାକୁ ଥିବାରୁ ସେମାନେ ମନୋନୟନ ପତ୍ର ଦାଖଲ ପାଇଁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଉଛି । ଏହା ହେଲେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଯାଇ ତାଙ୍କ ମନୋନୟନ ପତ୍ର ଦାଖଲ କରିବେ । ଅସନ୍ତୁଷ୍ଟଙ୍କୁ ଆଉ ବିରୋଧ କରିବା ପାଇଁ ସମୟ ମିଳିବ ନାହିଁ ବୋଲି କୁହାଯାଉଛି । ସେଥିପାଇଁ କୁଆଡ଼େ ବିଜେଡିଠୁ ପଛରେ ତାଲିକା ପ୍ରକାଶ କରି ବିଜେପି ଓ କଂଗ୍ରେସ ଟପି ସାରିଥିଲା ବେଳେ ବିଜେଡି ସେତିକିରେ ରହିଯାଇଛି ।