ବିଜୟ ଓ ଦିଲ୍ଲୀପଙ୍କୁ ଚାହୁଁଛି କଂଗ୍ରେସ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ଏହି ଦୁଇ ନେତା ବିଜେପି ଛାଡ଼ିଲା ପରେ ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏଯାଏଁ କୌଣସି ଘୋଷଣା କରି ନାହାଁନ୍ତି । ହେଲେ କଂଗ୍ରେସ ଉଭୟଙ୍କୁ ନେବାପାଇଁ ଅନାଇ ବସିଛି । ବିଜୟ ଓ ଦିଲ୍ଲୀପ ଆସିଲେ କଂଗ୍ରେସ ଅଧିକ ସଶକ୍ତ ହେବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମତ ରଖିଛନ୍ତି ।
ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ନିକଟରେ ଶ୍ରୀ ମିଶ୍ର ବିଜୟ ଓ ଦିଲ୍ଲୀପଙ୍କ ସମ୍ପର୍କରେ କିଛି ମତ ରଖିଛନ୍ତି । ଉଭୟ କଂଗ୍ରେସକୁ ଆସିଲେ ସେ ସ୍ୱାଗତ କରିବେ ବୋଲି ସେ କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ବିଜୟ ମହାପାତ୍ର ଓ ଦିଲୀପ ରାୟ କଂଗ୍ରେସକୁ ଆସିଲେ ଦଳ ନିଶ୍ଚୟ ସଶକ୍ତ ହେବ ଏଥିରେ କୌଣସି ସନ୍ଦେହ ନାହିଁ । କଂଗ୍ରେସକୁ ଆସିବେ କି ନାହିଁ ସେ ନିଷ୍ପତ୍ତି ସେମାନେ ନେବେ । କିନ୍ତୁ ଏହି ଉଭୟ ନେତାଙ୍କର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ଅଛି । ସେମାନେ ଯଦି କଂଗ୍ରେସ ଦଳରେ ସାମିଲ ହୁଅନ୍ତି କଂଗ୍ରେସର ନିଶ୍ଚୟ ଲାଭ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଦଳରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବହିଷ୍କାର ନେଇ ହାଇକମାଣ୍ଡଙ୍କ ପଦକ୍ଷେପକୁ ଶ୍ରୀ ମିଶ୍ର ସମର୍ଥନ କରିଛନ୍ତି । ଦଳ ଭିତରେ ଶୃଙ୍ଖଳା ଏକାନ୍ତ ଆବଶ୍ୟକ ବୋଲି କହିବା ସହ ଦଳର କ୍ଷତି ହେଲା ଭଳି କିଛି କାର୍ଯ୍ୟ କେହି କରିବା ଉଚିତ ନୁହେଁ ବୋଲି ସେ ମତ ରଖିଛନ୍ତି । ସେ କହିଛନ୍ତି ଯେଉଁ ନେତା ଯେତେ ବଡ଼ ହୁଅନ୍ତୁ ନା କାହିଁକି ସେ ଯଦି ଶୃଙ୍ଖଳିତ ହେବେ ନାହିଁ ଓ ବିଶୃଙ୍ଖଳିତ ଆଦର୍ଶନ ପ୍ରଦର୍ଶନ କରିବେ ଯାହାଦ୍ୱାରା ଦଳର କ୍ଷତିହେବ । ତାଙ୍କ ବିରୋଧରେ ଦଳ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଛଡ଼ା ଆଉ ବାଟ ନାହିଁ । ଦଳର ହାଇକମାଣ୍ଡ ଉପଲବ୍ଧ କଲେ ଯେଉଁ ବ୍ୟକ୍ତିଙ୍କ ପାଇଁ ଦଳର କ୍ଷତି ହେଉଛି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି ତାଙ୍କୁ ବାହାର କରିଦେବା ପାଇଁ ନିଷ୍ପତ୍ତିନେଲେ । ଏଥିରେ ଆଉ ଅଧିକ କିଛି କହିବା ଉଚିତ ନୁହେଁ ।
ଶ୍ରୀ ମିଶ୍ର ଆହୁୁରି କହିଛନ୍ତି, ସାଧାରଣ କର୍ମୀଟିଏ ଦଳ ଛାଡ଼ିଲେ କିଛି କ୍ଷତି ହୋଇଥାଏ । ଏହାକୁ କିଏ ଅସ୍ୱୀକାର କରିପାରିବ ନାହିଁ । କିନ୍ତୁ ଦଳରେ କିଛି ଲୋକ ଯାଆନ୍ତି ଓ କିଛି ଲୋକ ଆସନ୍ତି । ଯେଉଁସ୍ଥାନ ଖାଲି ହୋଇଥାଏ ସେ ସ୍ଥାନ ପୁରଣ ହୁଏ । ସାମଗ୍ରୀକ ଭାବେ ଦଳର ଏଥିରେ କିଛି କ୍ଷତି ହେବନାହିଁ । ବହୁ ବରିଷ୍ଠ ନେତା ଦଳକୁ ଆସୁଛନ୍ତି ଓ ଭବିଷ୍ୟତରେ ଆସିପାରନ୍ତି କିଏ ମନା କରିବ ବୋଲି ବିରୋଧୀଦଳ ନେତା କହିଛନ୍ତି ।

ହାତ ଧରିବେ ବିଜୟ ଓ ଦିଲ୍ଲୀପ!, ଶ୍ରୀକାନ୍ତଙ୍କ ପରେ ବାଟ ସଫା