କଥା ରଖିଲେ କମଲନାଥ, ମଧ୍ୟପ୍ରଦେଶରେ କଲେ ଋଣ ଛାଡ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପରେ କମଲନାଥ ସର୍ବ ପ୍ରଥମେ କୃଷକଙ୍କ ଋଣ ଛାଡ଼ ଉପରେ ନିଷ୍ପତ୍ତି ନେଇ ଋଣ ଛାଡ଼ ଫାଇଲରେ ଦସ୍ତଖତ କରିଥିବାର ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତା ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ରାଜ୍ୟରେ ତାଙ୍କର ସରକାର ଗଠନ ହୁଏ ତେବେ କେବଳ ୧୦ ଦିନରେ କୃଷକଙ୍କ ଋଣ ଛାଡ଼ କରି ଦିଆଯିବ । ପଦ ହରାଇବା ପରେ ଶିବରାଜ ସିଂହ ଚୌହ୍ଵାନ ମଧ୍ୟ ଆଶା ପ୍ରକଟ କରିଥିଲେ ଯେ କଂଗ୍ରେସ ସରକାର ଆସିବା ମାତ୍ରେ ୧୦ ଦିନ ଭିତରେ କୃଷକଙ୍କ ଋଣଛାଡ଼ କରିଦେବେ ବୋଲି ସୂଚନା ଦେଇଥିଲେ । ଏବେ କମଲନାଥ ନିଜର କଥା ରଖି ପ୍ରତିଶ୍ରୁତି ପୂରଣ କରି ଋଣଛାଡ଼ ଫାଇଲରେ ଦସ୍ତଖତ କରିଛନ୍ତି । କମଲନାଥଙ୍କ ସରକାର ରାଜ୍ୟର କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଋଣ ଛାଡ଼ କରିବାକୁ ଆଦେଶ ଦେଇଛନ୍ତି । କୃଷକ କଲ୍ୟାଣ ଓ କୃଷି ବିକାଶ ବିଭାଗ, ମଧ୍ୟପ୍ରଦେଶର ସଚିବ ଡଃ. ରାଜେଶ ଦସ୍ତଖତ ସହିତ ଜାରି ଏକ ପତ୍ରରେ ଲେଖିଛନ୍ତି ଯେ ୨୦୧୮ ମାର୍ଚ୍ଚ ୩୧ ପୂର୍ବରୁ ଯେଉଁ କୃଷକଙ୍କ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ରହିଛି ସେମାନଙ୍କର କୃଷି ଋଣ ଛାଡ଼ କରାଯାଉଛି । ଏଥିରେ ରାଷ୍ଟ୍ରାୟତ ଓ ସରକାରୀ ବ୍ୟାଙ୍କରୁ ଲୋନ ନେଇଥିବା କୃଷକ ଲାଭାନ୍ଵିତ ହେବେ ବୋଲି ପ୍ରକାଶ ପାଉଛି ।

 

ବିଜେପିକୁ ଝଟକା, ତିନି ରାଜ୍ୟରେ କଂଗ୍ରେସ ଆଗରେ