ସାହାସୀ ନବୀନ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ ଜାତୀୟ ରାଜନୀତିରେ ନିଜକୁ ନିର୍ବିବାଦୀୟ ନେତା ଭାବରେ ପ୍ରତିପାଦିତ କରି ଆସୁଥିଲେ । ରାଜନୀତିରେ ଏକପ୍ରକାର ବାଲାନ୍ସ ମେଣ୍ଟେନ କରି ଚାଲିଥିଲେ । ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଜାତୀୟସ୍ତରରେ ଯେଉଁସବୁ ମେଣ୍ଟ ଓ ମହା ମେଣ୍ଟ ପାଇଁ ଯେତେବେଳେ ବି ଉଦ୍ୟମ ଆରମ୍ଭ ହୋଇଛି ନବୀନ କେବେ ସାମିଲ ହୋଇ ନ ଥିଲେ । ସମଦୂରତା କଥା କହି ନିଜକୁ ଦୂରେଇ ରଖୁଥିଲେ । କିନ୍ତୁ ଏହା ମଧ୍ୟରେ ସେ ଜାତୀୟ ରାଜନୀତିରେ ଚମକ ଦେବା ପାଇଁ ଜଣେ ସାହାସୀ ରାଜନେତା ଭାବରେ ଆଗକୁ ଆସିଛନ୍ତି । ବିଜେପି ଓ କଂଗ୍ରେସ ବିରୋଧରେ ମେଂଟ ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆରମ୍ଭ କରିଥିବା ଆଂଚଳିକ ଦଳଗୁଡ଼ିକୁ ଏକାଠି କରିବା ଉଦ୍ୟମରେ ନବୀନ ସାମିଲ ହୋଇଛନ୍ତି । ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।


ପୂର୍ବରୁ ସେ ଯେତେବେଳେ ଏହି ମେଣ୍ଟ କଥା ଆସେ ସେତେବେଳେ ସେ ଦୂରେଇ ରହୁଥିବା ବେଳେ ପାର୍ଲାମେଣ୍ଟରେ ବିଜେପି ବିରୋଧରେ କିଛି ପ୍ରସଙ୍ଗ ଆସିଲେ ସେ ଚତୁରତାର ସହ ଦୂରେଇ ଯାଉଥିଲେ । ପରୋକ୍ଷରେ ହେଉ କି ପ୍ରତ୍ୟେକ୍ଷରେ ହେଉ ତାଙ୍କ କାର୍ଯ୍ୟଧାରା କେନ୍ଦ୍ର ବିଜେପି ସରକାରକୁ ସହାୟତା ହେଉଥିଲା । ଯାହାକୁ ଧରି ବିରୋଧୀ ନବୀନଙ୍କୁ ସମାଲୋଚନା କରୁଥିଲେ । ସିବିଆଇ ତଦନ୍ତଠାରୁ ଆରମ୍ଭ କରି ବିଭିନ୍ନ ମାମଲାର ଭୟ ଥିବାରୁ ନବୀନ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଚାଲିଛନ୍ତି । କିନ୍ତୁ ଏବେ ନବୀନଙ୍କ ଆଉ ସେ ଭୟ ନ ଥିବା ସେ ଜଣେ ସାହାସୀ ରାଜନେତା ଭାବେ ଆଗକୁ ଆସିଥିବା କଥା ଆଲୋଚନା ଆରମ୍ଭ ହୋଇଛି ।
କିନ୍ତୁ ଏବେ ନବୀନ ବଦଳିଛନ୍ତି । ତାଙ୍କର କାର୍ଯ୍ୟାଧାରାରେ ବି ପରିବର୍ତ୍ତନ ଆସିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଉଭୟ ତାଙ୍କର ରାଜନୈତିକ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ସମଭାବାପନ୍ନ ଆଂଚଳିକ ଦଳଗୁଡ଼ିକୁ ବିଜେପି ଓ କଂଗ୍ରେସ ବିରୋଧରେ ଏକାଠି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କଥା କହିଥିଲେ । ଏଥିରୁ ଜଣାପଡୁଛି ବିଜେପି ଓ କଂଗ୍ରେସର ତୃତୀୟ ବିକଳ୍ପ ପାଇଁ ଯେଉଁ ପରିକଳ୍ପନା ଚାଲିଥିଲା ତାକୁ ସାକାର କରିବା ପାଇଁ ତେଲଙ୍ଗାନା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅଂଟା ଭିଡ଼ିଛନ୍ତି । ଖୁବଶୀଘ୍ର ସେମାନେ ଏହି ମେଂଟକୁ ଏକ ରୂପରେଖ ଦେବାକୁ ଯାଉଥିବା ନେଇ କୁହାଯାଉଛି । ଶ୍ରୀ ରାଓ ଆଜି ପଶ୍ଚିମବଙ୍ଗଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଲୋଚନା କରିବେ । ଉତ୍ତରପ୍ରଦେଶର ସମତାପାର୍ଟି ନେତା ଅଖିଳେଶ ଯାଦବ ଓ ବିଏସପି ନେତ୍ରୀ ମାୟାବତୀଙ୍କ ସହ ମଧ୍ୟ ଆଲୋଚନା କରିବେ । କାରଣ ଏହି ଦୁଇଜଣ ବି ବିଜେପି ଓ କଂଗ୍ରେସର ବିରୋଧୀ । ଏଣୁ ଦେଶରେ ଯେଉଁସବୁ ବିଜେପି-କଂଗ୍ରେସ ବିରୋଧୀ ଆଂଚଳିକ ଦଳ ଅଛନ୍ତି ସେମାନେ ଏକାଠି ହେବାକୁ ଆରମ୍ଭ କରିଛନ୍ତି ।
ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ନିଜକୁ ଏହି ମେଣ୍ଟ ବିବାଦରୁ ଦୂରେଇ ରଖୁଥିଲେ ସେ ଏଥିରେ ସାମିଲ ହୋଇଛନ୍ତି । ଏଥିରୁ ସେ ସ୍ପଷ୍ଟ ସୂଚନା ଦେଉଛନ୍ତି ଯେ, ଯେଉଁ ଚର୍ଚ୍ଚା ଚାଲିଛି ବିଜେପିକୁ ଭୟକରି ସେ କିଛି ପଦକ୍ଷେପ ନେଉନାହାଁନ୍ତି ତାହା ଭୁଲ । ବିଜେପିକୁ ସେ ଭୟ କରନ୍ତି ନାହିଁ ଓ ଏହା ବିରୋଧରେ ଅନ୍ୟମାନଙ୍କୁ ଏକାଠି କରିବାକୁ ମଧ୍ୟ ପଛେଇବେ ନାହିଁ । ଆସନ୍ତା ୨୦୧୯ ସାଧାରଣନ ନିର୍ବାଚନରେ ଦିଲ୍ଲୀ ଶାସନରେ ପରିବର୍ତ୍ତନ ଆଣିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ସିବିଆଇ ଅନ୍ୟାନ୍ୟ କାରଣ ଦର୍ଶାଇ ସେ ଭୟଭୀତ ଥିବା ଯାହା କୁହାଯାଉଛି ସେଥିରେ ଏବେ ଏଭଳି ମେଣ୍ଟ ଗଠନରେ ସାମିଲ ହୋଇ ପୂର୍ଣ୍ଣଛେଦ ଦେଇଛନ୍ତି ବୋଲି କୁହାଯାଉଛି । ବିଜେପି ବର୍ତ୍ତମାନ ଯେଉଁଭଳି ଭାବରେ ଚାରିଆଡୁ ନବୀନଙ୍କୁ ଘେରିବା ପାଇଁ ଆରମ୍ଭ କରିଛି ଓ ତାଙ୍କୁ ଗାଦିରୁ ହଟାଇବା ପାଇଁ ଯୋଜନା ଚଳାଇଛି ସେଥିରେ ବୋଧହୁଏ ସେ ଆଉ ଅପେକ୍ଷା ନ କରି ନିଜର ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ସାଥୀରେ ନବାକୁ ଉଦ୍ୟମ କରିଛନ୍ତି । ନବୀନ ଯେତେବେଳେ ବିଜେପି ବିରୋଧରେ ଏବେ ଖୋଲାଖୋଲି ଭାବରେ କାର୍ଯ୍ୟକରିବା ଆରମ୍ଭ କରିଛନ୍ତି ଓ ବିରୋଧୀମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି ସେ କ୍ଷେତ୍ରରେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବା କଥା ।

ନବୀନଙ୍କୁ ପ୍ରଭାବିତ କରିପାରିବେ ତ ଚନ୍ଦ୍ରଶେଖର?