ଦାମଙ୍କ ଅବସ୍ଥା ଭୋଗିବାକୁ ଚାହୁଁ ନାହାଁନ୍ତି ବିଜୟ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ନେଇପାରୁନାହାଁନ୍ତି । ସେ ବାରମ୍ବାର ତାଙ୍କ କାର୍ଯ୍ୟକ୍ରମକୁ ଘୁଞ୍ଚାଇବାରେ ଲାଗିଛନ୍ତି । ତାଙ୍କ କହିବା କଥା ରାଜନୈତିକ ନିଷ୍ପତ୍ତି ତରବରରେ ନିଆଯିବା ଉଚିତ ନୁହେଁ । ତରବର ହେଲେ ଡାକ୍ତର ଦାମ ରାଉତଙ୍କ ଭଳି ପରିସ୍ଥିତି ଭୋଗିବାକୁ ପଡ଼ିବ । ୩ ଦଳକୁ ଛାଡ଼ିଦେଲେ ଅନ୍ୟ କଣ କରାଯାଇ ପାରିବ ସେ ସମ୍ପର୍କରେ ତର୍ଜମା ଚାଲିଛି ବୋଲି ବିଜୟ କହିଛନ୍ତି ।
ବିଜେପିରୁ ଯେତେବେଳେ ଇସ୍ତଫା ଦେଲେ ସେତେବେଳେ ବିଜୟ କହିଥିଲେ ଯେ, ୧୫ ଦିନ ଭିତରେ ସେ ତାଙ୍କ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ସାଧାରଣରେ ଅବଗତ କରାଇବେ । କିନ୍ତୁ ଅନ୍ୟତମ ନେତା ଦିଲ୍ଲୀପରାୟଙ୍କ ଅନୁପସ୍ଥିତିର କାରଣ ଦର୍ଶାଇ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇଲେ । ମହାକାଳପଡ଼ାରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସମର୍ଥକଙ୍କ ଆଗରେ ଘୋଷଣା କରିଥିଲେ ଯେ, ୨୦୧୯ ନୂଆ ବର୍ଷରେ ଐତିହାସିକ ପରିବର୍ତ୍ତନ ଦେଖିବ ଓଡ଼ିଶା । ଏଥିରୁ ଜଣାପଡୁଥିଲା ନୂଆବର୍ଷରେ ବିଜୟ କିଛି ନୂଆ ଘୋଷଣା କରିବେ । ବୋଧହୁଏ ଇତିମଧ୍ୟରେ ବିଜୟ ତାଙ୍କ ସହଯୋଗୀକୁ ଧରି କିଛି ନୂଆ ପରିକଳ୍ପନା ବା ବିକଳ୍ପ ନିର୍ଦ୍ଧାରଣ କରିବାକୁ ସକ୍ଷମ ହୋଇପାରିନାହାଁନ୍ତି । ସେଥିପାଇଁ ସେ ପୁଣି ସମୟ ଗଡ଼ାଇଛନ୍ତି । ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ସେ ଉଦାହରଣ ଦେଇଛନ୍ତି । ତରବର ହେଲେ ଡାକ୍ତର ରାଉତଙ୍କ ଅବସ୍ଥା ଭୋଗିବାକୁ ପଡ଼ିପାରେ ବାଲି ସେ କହିଛନ୍ତି । ଡାକ୍ତର ରାଉତ ବିଜେଡି ଛାଡ଼ିଲା ପରେ ସେ କୁଆଡ଼େ ଯିବେ ତାକୁ ନେଇ ଯେତେବେଳେ ଜୋରଦାର ଆଲୋଚନା ହେଲା ନୂଆ ଦଳ ଗଠନ କରିବା କଥା କହିଲେ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ସହ ବିଜୁଙ୍କ ନାଁ ଯୋଡ଼ି ନୂଆ ଦଳ ଗଠନ କଥା କହିଲେ । ଉଭୟ ସାମ୍ବାଦିକ ସମ୍ମିଳନୀ କରି ବିଜୁ ସମତାକ୍ରାନ୍ତି ନାଁରେ ନୂଆ ଦଳ ଗଠନ ହେଲା ବୋଲି ଘୋଷଣା କଲେ । କିନ୍ତୁ ମାସେ ପୁରିନି ଡାକ୍ତର ରାଉତ ଏହି ଦଳରୁ ନିଜକୁ ଦୂରେଇ ନେଲେ । ଅନ୍ୟ ପଟରେ ଶ୍ରୀ ତ୍ରିପାଠୀ ତାଙ୍କ ଦଳକୁ ନାଁ ବଦଳାଇ ବିଲିନ କରିବାକୁ ଚାହିଁଲେ ନାହିଁ । ଉଭୟଙ୍କ ମଧ୍ୟରେ ମତପ୍ରାର୍ଥକ୍ୟ ଯୋଗୁ ବିଜୁ ସମତାକ୍ରାନ୍ତି ଆଉ ଆଲୋକ ଦେଖିପାରିଲା ନାହିଁ । ଏବେ ଡାକ୍ତର ରାଉତ ସମ୍ପୂର୍ଣ୍ଣ ଏକଘରିଆ ହୋଇ ରହିଛନ୍ତି । ଏହି କଥା ମନେପକାଇ ବିଜୟ ତରବରରେ କିଛି କରିବାକୁ ଚାହୁଁ ନ ଥିବା କହିଛନ୍ତି । ବିଜେଡି କିମ୍ବା କଂଗ୍ରେସରେ ଯୋଗଦେବା ନେଇ ବାହାରେ ଯେଉଁ ଜୋରଦାର ଆଲୋଚନା ଚାଲିଛି ସେ ସମ୍ପର୍କରେ ସେ ସ୍ପଷ୍ଟ କରିଛନ୍ତି । ଏହି ଉଭୟ ଦଳକୁ ଯିବାକୁ ତାଙ୍କର ନାହିଁ । ଯେଉଁଥିପାଇଁ କହିଛନ୍ତି ୩ ପ୍ରମୁଖ ଦଳଙ୍କ ବାଦ ବିକଳ୍ପ ଖୋଜା ଚାଲିଛି । ଯାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନାହିଁ । ସେଥିଲାଗି ବିଳମ୍ବ ହେଉଥିବା କହିଛନ୍ତି ।
ବିଜୟ ଗଣମାଧ୍ୟମକୁ କହିଛନ୍ତି ୨୦୧୮ ମସିହାରେ ଯେତେସବୁ ପ୍ରମୁଖ ଘଟଣାମାନ ଘଟିଗଲା ଆମମାନଙ୍କ କଥା ହେଉ କି ଅନ୍ୟମାନଙ୍କ କଥା ହେଉ ଓଡ଼ିଶାରେ ବହୁ ଘଟଣା ଘଟିଗଲା । ସେହି ଘଟଣାଗୁଡ଼ିକ ୧୯ ମସିହା ପାଇଁ ଏକ ଭିତ୍ତିଭୂମି ତିଆରି କରିବ । ୨୦୧୮ ମସିହାରେ ଯେତେବେ ଘଟଣା ଯେତେ ଅନୁଭୁତି, ଅଭିଜ୍ଞତା ତାକୁ ହିଁ ଆଧାର କରି ୨୦୧୯ ନୂଆ ବର୍ଷ ପାଇଁ ଏକ ନୂଆ ସଂକଳ୍ପ ବା ନୂଆ ଉପାଦାନ ବା ନୂଆ ବାତାବରଣ ତିଆରି ହେବ । ସବୁ ଘଟଣାରେ ତରତର ହେବା ଉଚିତ ନୁହେଁ । ଦାମ ବାବୁ କାହିଁ ତରତର ହେଉଥିଲେ ମୁଁ ଜାଣିନି । ତରତର ହେଲେ ଟିକିଏ ଝୁଣ୍ଟିବା ପାଇଁ ପଡ଼ିବ । ତାକୁ ମୁଁ ଅଧିକ ବ୍ୟାଖ୍ୟା କରିବାକୁ ଚାହେଁନି । ୩ ପ୍ରମୁଖ ଦଳ ବାଦ କଣ ବିକଳ୍ପ ହୋଇପାରିବ ସେ ନେଇ ବିଚାର ଚାଲିଛି । ରାଜନୈତିକ ପରିସ୍ଥିତି ବଦଳାଇବା ପାଇଁ ଗୋଟିଏ ସପ୍ତାହ ବହୁତ । ରାସ୍ତା ସଫା ହୋଇନି, ତେଣୁ ଅଟକିବାକୁ ପଡୁଛି । ଚାଷୀ ଓ ଯୁବବର୍ଗଙ୍କର ମୁଖ୍ୟ ଭୂମିକା ରହିବ ୨୦୧୯ ମସିହା ରାଜନୈତିକ ପଟ୍ଟଚିତ୍ରରେ । ଅଧାର ଅଟକିବାକୁ ପଡ଼ିବ ରାସ୍ତାରେ ଆଗକୁ ଚାଲିବାକୁ ହେଲେ ବୋଲି ବିଜୟ କହିଛନ୍ତି ।

ବିଜୟ, ବୈଜୟନ୍ତ, ଦିଲ୍ଲୀପ ଗଢ଼ିବେ ନୂଆ ଦଳ!