ତାତିଲେ ଚାଷୀ: ସହର ଭିତରକୁ ପସିବାକୁ ଉଦ୍ୟମ, ପୁଲିସର ବ୍ୟାପକ ଗିରଫଦାରୀ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଘ ରାଜ୍ୟ ସରକାରଙ୍କ ମନ୍ତ୍ରିସ୍ତରୀୟ କମିଟି ଗଠକୁ ପ୍ରତ୍ୟାଖ୍ୟାନ କରି ରାଜଧାନୀ ଅଭିମୁଖେ କ୍ରମେ ଅଗ୍ରସର ହେବାରେ ଲାଗିଛନ୍ତି । ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ ଜାରି ରଖିଛି । ବିଭିନ୍ନ ସ୍ଥାନରେ ସେମାନେ ପୁଲିସ କର୍ଡନ ଭାଙ୍ଗି ଆସିବାକୁ ଆରମ୍ଭ କରିଛନ୍ତି । ବ୍ୟାପକ ବିରୋଧରେ ମଧ୍ୟ ଚାଲିଛି । ରାଜ୍ୟ ସରକାର ସେମାନଙ୍କ ଦାବି ନେଇ ଯେଉଁ କମିଟି ଗଠନ କରିଛନ୍ତି ତାହା ଏକ ଧୋକା ବୋଲି ନବନିର୍ମାଣ କୃଷକ ସଂଘର ନେତା ଅକ୍ଷୟ କୁମାର କହିଛନ୍ତି । ସରକାର ସେମାନଙ୍କୁ ରାଜଧାନୀକୁ ଆସିବାକୁ ଦେଉ ନ ଥିବାରୁ ଆଗାମୀ ଦିନରେ ଏହାର ପରିଣତି ଭୋଗିବାକୁ ପଡ଼ିବ । ସେ କହିଛନ୍ତି ଆମକୁ ରାଜଧାନୀରେ ପୁରାଇ ନ ଦେଲେ ଆମେ ମଧ୍ୟ ଗାଁରେ ପୁରାଇ ଦେବୁନାହିଁ । ନିର୍ବାଚନ ସମୟରେ ଭୋଟ ବାକ୍ସ ମଧ୍ୟ ପୁରାଇ ଦେବୁନାହିଁ । ଏବେ ପୁଲିସ ଯେଉଁଠାରେ ଆମକୁ ଅଟକାଇବ ସେଠାରେ ଆମେ ବସିରହିବୁ । ଦାବି ନ ଶୁଣିବା ଯାଏଁ ଆମେ ଏଠୁ ଛାଡ଼ିକି ଯିବୁନାହିଁ । ଏହି ଆନ୍ଦୋଳନ ଆଗକୁ ବ୍ଲକ୍, ତହସିଲରେ ଓ ଗାଁଗାଁରେ ହେବ । ସରକାର ପରିସ୍ଥିତି ସମ୍ଭାଳିବା କଷ୍ଟକର ହେବ । ମନ୍ତ୍ରିସ୍ତରୀୟ କମିଟି ଚାଷୀଙ୍କୁ ପେନସନ ଦେବା ଦାବି ଉପରେ ଗଠନ କରାଯାଇନାହିଁ । ସରକାର ଚାଷୀଙ୍କ ସହ ଖେଳ ଖେଳିଲେ ନିଜେ ଏହାର ପରିଣତି ଭୋଗିବ ବୋଲି ସେ କହିଛନ୍ତି ।

ଚାଷୀମାନେ ବିପୁଳ ସଂଖ୍ୟାରେ ରାଜଧାନୀ ଅଭିମୁଖେ ବିଭିନ୍ନ ଅଂଚଳରୁ ବାହାରିଛନ୍ତି । ସେମାନଙ୍କୁ ରାଜଧାନୀରେ ପ୍ରବେଶ କରାଇବାକୁ ନ ଦେବା ପାଇଁ ସରକାର ୨୫ ପ୍ଲାଟୁନ ଫୋର୍ସ ମୁତୟନ କରିଛନ୍ତି । ଖୋର୍ଦ୍ଧା ଆଡୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋ ନିକଟରେ ଅଟକାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେମାନେ ପୁଲିସ କର୍ଡନ ଭାଙ୍ଗି ଆସିବା ପାଇଁ ଉଦ୍ୟମ କରୁଛନ୍ତି । ଖଣ୍ଡଗିରି ନିକଟରେ ସେମାନଙ୍କ୍ୁ ପୁଣି ଅଟକାଯାଇଛି । ବ୍ୟାପକ ଗିରଫଦାରୀ ମଧ୍ୟ ଚାଲିଛି । କିନ୍ତୁ ନଖରାଆଡୁ ଆସୁଥିବା ଚାଷୀର‌୍ୟାଲିକୁ ପାହାଳ ନିକଟଷର ଅଥଟକାବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେଠାରେ ପୁଲିସ କର୍ଡନ ଭାଙ୍ଗି ସେମାନେ ଆଗକୁ ମାଡ଼ିବାରେ ଲାଗିଛନ୍ତି । ପୁଲିସ ଅଧିକାଂଶ ସ୍ଥାନରେ ଫେଲ ମାରୁଥିବା ଦେଖାଯାଉଛି । ହେଲେ ଚାଷୀମାନେ ଜିଦରେ ଅଟଳ ରହିଥିବାରୁ ପୁଲିସ ଅସହାୟ ହୋଇ ପଡୁଛି । ଚାଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ନିର୍ଦ୍ଦେଶ ଥିବାରୁ ପୁଲିସ ଏଯାଏଁ ସେମାନଙ୍କୁ ରୋକିବା ପାଇଁ ବଳପ୍ରୟୋଗ କରିନାହିଁ । କିନ୍ତୁ ସେମାନଙ୍କୁ ଗିରଫ କରି ନେବାପାଇଁ ଉଦ୍ୟମ ଜାରି ରହିଛି । ରାସ୍ତାରେ ବସିରହୁଥିବା ଚାଷୀଙ୍କୁ ମଧ୍ୟ ଉଠାଇ ନିଆଯାଉଛି । ଜୋର ଜବରଦସ୍ତ ସେମାନଙ୍କୁ ଉଠାଇ ନେବାପାଇଁ ପୁଲିସର ଉଦ୍ୟମ ଜାରି ରହିଛି । ଅନ୍ୟ ପଟରେ ଚାଷୀମାନେ ବି ଜିଦରେ ଅଟଳ ରହିଛନ୍ତି ।
ଚାଷୀମାନଙ୍କ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ଓ ବିଜେପି ନେତାମାନେ ସାମିଲ ହୋଇସାରିଛନ୍ତି । ଚାଷୀ ର‌୍ୟାଲିରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସାମିଲ ହୋଇ ଚାଲି ଚାଲି ଆସିବା ପରେ ଆଜି ଭୁବନେଶ୍ୱର ନିକଟରେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟ କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ଅନ୍ୟମାନେ ସାମିଲ ହୋଇଥିବା ଦେଖାଯାଇଛି । ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ଯାଇଁ ଚାଷୀଙ୍କୁ ର‌୍ୟାଲିରେ ସାମିଲ ହୋଇଥିଲେ । ସମୀର ମହାନ୍ତି, ଭୃଗୁବକ୍ସିପାତ୍ର ପ୍ରମୁଖ ବିଜେପିର ଏକ ଟିମ୍ ଚାଷୀଙ୍କ ଆନ୍ଦୋଳନ ପାଖକୁ ଯାଇ ସମର୍ଥନ ଜଣାଇଥିଲେ । ଯଦିଓ ଚାଷୀମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ସହ ନିଜକୁ ଏପର୍ଯ୍ୟନ୍ତ ସାମିଲ କରିନାହାଁନ୍ତି ସେଥିପାଇଁ କଂଗ୍ରେସ ଓ ବିଜେପି ସମର୍ଥନ ଦେବାକୁ ଅଂଟା ଭିଡ଼ି ଆଗେଇ ଆସିଛନ୍ତି । ଚାଷୀ କାହା ସହ ରହିବେ ତାହା ଏଯାଏଁ ସେମାନେ ସ୍ପଷ୍ଟ କରି ନାହାଁନ୍ତି ।


ଏପରିକି ଗତକାଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସେମାନଙ୍କ ର‌୍ୟାଲିରେ ସାମିଲ ହୋଇ ସମର୍ଥନ ଦେଇଥିଲେ । ଚାଷୀଙ୍କ ଦାବିକୁ ସରକାର ଗ୍ରହଣ କରିନେବାପାଇଁ ଦାବି କରିଥିଲେ । ପୂର୍ବଦିନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଚାଷୀଙ୍କ ସହ ରହି ସେମାନଙ୍କ ସହ ରାତ୍ରୀଯାପନ କରିଥିଲେ । ସେମାନଙ୍କ ପ୍ରତି କ୍ରମେ ସମର୍ଥନ ବଢ଼ିବାରେ ଲାଗିଛି । ଚାଷୀ ବର୍ତମାନ ଯେଉଁଭଳି ଭାବରେ ଅଡ଼ି ବସିଛନ୍ତି ଓ ସେମାନଙ୍କୁ ଯେପରି ବିରୋଧୀ ସମର୍ଥନ ମିଳୁଛି ସେଥିରେ ସରକାରଙ୍କ ପାଇଁ ଆଗକୁ ଅଡୁଆ ପରିସ୍ଥିତି ଆଣିବ ବୋଲି କୁହାଯାଉଛି । ଚାଷୀମାନେ ଥରେ ଆଗକୁ ବଢ଼ିଲେ ଏବଂ ସରକାରୀ ବିରୋଧୀ ଆଭିମୁଖ୍ୟ ଗ୍ରହଣ କଲେ ପ୍ରଶାସନ ପାଇଁ ବିପଦ ଆଣିବ । ସରକାର ଏହାକୁ ଦୃଷ୍ଟିରେ ରଖି ଅତି ସତର୍କତାର ସହ ଏ ବିଷୟକୁ ସମାଧାନ ନ କଲେ ଆଗକୁ ନିର୍ବାଚନ ଆସୁଥିବାରୁ ଫସିବାର ସମ୍ଭାବନା ରହିଛି ।
ଚାଷୀଙ୍କୁ ରାଜଧାନୀକୁ ଆସିବା ପାଇଁ ବାରଣ କରାଯାଉଥିବାରୁ ଏହାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଥିନେଇ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି । ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଚାଷୀଙ୍କୁ ଆନ୍ଦୋଳନ କରିବା ପାଇଁ ସେମାନଙ୍କ ନ୍ୟାଯ୍ୟ ଅଧିକାରକୁ ପ୍ରତିହତ କରାଯାଉଥିବା ନେଇ ସମାଲୋଚନା କରିଛନ୍ତି । ବିଜେପି ରାଜ୍ୟ ସଭାପତି ବିଧାୟକ ବସନ୍ତ ପଣ୍ଡା ମଧ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ପଦକ୍ଷେପ ବିଷୟ ଦର୍ଶାଇ କଡ଼ା ସମାଲୋଚନା କରିଛନ୍ତି । ଚାଷୀଙ୍କୁ ସରକାର ବାରମ୍ବାର ପ୍ରତାରିତ କରୁଥିବା ସେ ଅଭିଯୋଗ କରିଛନ୍ତି ।