ଆତଙ୍କ ଖେଳାଇଛି ସୁନ୍ଦରୀ,ବନବିଭାଗର ୪ କର୍ମଚାରୀ ନିଖୋଜ

ସାତକୋଶିଆ : ଗତ କିଛିଦିନ ହେବ ମଣିଷଖିଆ ସୁନ୍ଦରୀ ସାତକୋଶିାରେ ଆତଙ୍କ ଖେଳାଇ ରଖିଛି । ତେବେ ଗତକାଲି ଜଣଙ୍କ ଜୀବନ ନେବା ସହ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ପରେ ଆଜି ଏକ ବଳଦକୁ ଶିକାର କରିଛି । ଫଳରେ ସ୍ଥାନୀୟ ଅ଼୍ଚଳରେ ଆତ୍ଙ୍କ ଖେଳିବା ସହ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତୀବ୍ରତା ଦେଖାଦେଇଥିଲେ ମଧ୍ୟ ସ୍ଥାନୀୟ ଲୋକେ କିଛି କରାଇଦେଉନଥିବା ସୂୂଚନା ମିଳୁଛି । ସେପଟେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, ସୁନ୍ଦରୀକୁ ନିଶ୍ଚେତକ ଦେଇ ଅଚେତ କରି ଧରିବା ପାଇଁ ନିଶ୍ଚେତକ ଦଳ ଯାଇଛନ୍ତି । ଏବଂ ବାଘୁଣୀ ସୁନ୍ଦରୀକୁ ନରଖାଦକ ଘୋଷଣା କରାଯିବନାହିଁ ବୋଲି କହିଛନ୍ତି । ଦୁଇଟି ଯାକ ଘଟଣାରେ ବାଘ ଆକ୍ରମଣ କଥା ଜଣାପଡିଥିଲେ ମଧ୍ୟ ଏହା ପ୍ରମାଣିତ ହୋଇନାହିଁ । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆମର ନିଶ୍ଚେତକ ଟିମ୍ ଅନୁଗୁଳରେ ଅଛନ୍ତି । କିନ୍ତୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ସେମାନେ ଭିତରକୁ ଯାଇପାରୁନାହାଁନ୍ତି । ତେଣୁ ନିଶ୍ଚେତକ ଦଳକୁ ଘଟଣାସ୍ଥଳକୁ ଛାଡିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ରାଇଗୁଡା ଏନକ୍ଲୋଜରକୁ ନିଆଯିବ । ଏନକ୍ଲୋଜରରେ ରଖାଯିବା ପରେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଏନଟିସିଏର ପରାମର୍ଶ ପରେ ପରବର୍ତି ପଦକ୍ଷେପ ନିଆଯିବ ।
ଆଜି ବନବିଭାଗର ୪ କର୍ମଚାରୀ ନିଖୋଜ ଅଛନ୍ତି । ଗାଁ ପାଖରେ ବାଘ ବୁଲୁଥିବା ନେଇ ଲୋକମାନଙ୍କୁ ସଚେତନା କରାଯାଇଥିଲା । ତା’ସତ୍ୱେ ମଧ୍ୟ ଲୋକେ ଜଙ୍ଗଲ ଭିତରକୁ ମାଛ ମାରିବାକୁ ଯିବାରୁ ଏଭଳି ଅଘଟଣ ଘଟିଲା । ସାତକୋଶିଆ ଅଂଚଳରେ ସେପଟେ ବାଘୁଣୀକୁ ଧରିବା ପାଇଁ ସେଠାରେ ପହଁଚିଛନ୍ତି ଭୁବନେଶ୍ୱରରୁ ଯାଇଥିବା ସ୍ପେଶାଲ ଟ୍ରାଙ୍କୁଲାଇଜ୍ ଟିମ୍ । ଶିମିଳିପାଳରୁ ମଧ୍ୟ ଏକ ଟ୍ରାଙ୍କୁଲାଇଜ୍ ଟିମ୍ ଆସି ସାତକୋଶିଆରେ ପହଁଚିଛି । ସେମାନେ ଆଜି ବାଘକୁ ଟ୍ରାଙ୍କୁଲାଇଜ୍ କରିପାରନ୍ତି । ଟ୍ରାଙ୍କୁଲାଇଜ୍ ଟିମରେ ପଶୁ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଡେରାଡୁନର ମଧ୍ୟ ବନ୍ୟଜନ୍ତୁ ବିଶେଷଜ୍ଞ ଆସିଛନ୍ତି ବୋଲି ସୂଚନା ଦେଇଛନ୍ତି ।