ସୁନ୍ଦରୀ ନେଲା ଜଣଙ୍କ ଜୀବନ ଓ ଜଣେ ସାମ୍ବାଦିକଙ୍କୁ କଲା ଆହତ, ଉକ୍ତ୍ୟେତ୍ତ ଲୋକେ ଭାଙ୍ଗିଲେ ପୋଲିସ ଭ୍ୟାନ

ଭୁବନେଶ୍ବର : ପୁଣି ସାତକୋଶିଆରେ ବାଘୁଣୀ ଆତଙ୍କ ଦେଖାଦେଇଛି । ଅନୁଗୁଳ ଟାଇଁସିରେ ଜଣେ ଲୋକଙ୍କୁ ସୁନ୍ଦରୀ ମାରି ଖାଇଥିବାର ଖବର ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସୁଚନାରୁ ପ୍ରକାଶ, ସେ ମାଛ ମାରୁଥିବା ବେଳେ ସୁନ୍ଦରୀ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ମାଛ ଗୁଡିକ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଉଥିବା ପୋଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଅନୁଗୁଳ ଏସପି ହରିହର ପାଣିଙ୍କ ନେତୃତ୍ୱରେ ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ମୃତଦେହ ପାଖକୁ ପୋଲିସକୁ ଯିବାକୁ ଦେଉନାହାଁନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଥିଲେ ମାତ୍ର ଉତ୍ୟକ୍ତ ଲୋକେ ଏସିଏଫଙ୍କୁ ଅଟକ ରଖିଥିଲେ । ତେବେ ବାଘୁଣୀ ସେହି ସ୍ଥାନ ଛାଡି ଯାଉ ନଥିବା ଜଣାପଡିଛି । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୁନ୍ଦରୀ ଆକ୍ରମଣ କରିଛି ଏବଂ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । କିଛି ଦିନ ତଳେ ସାତକୋଶିଆ ଅଂଚଳରେ ମଣିଷ ଶିକାର କରିଥିଲା ସୁନ୍ଦରୀ । ହାତୀବାରି ଗାଁରେ ଜଣେ ମହିଳାଙ୍କୁ ମାରିଥିଲା ଏହି ବାଘୁଣୀ । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ଉତେଜନା ଦେଖାଦେଇଥିଲା । ଏପରିକି ସୁନ୍ଦରୀକୁ ବାନ୍ଧବଗଡକୁ ଫେରାଇ ନିଆଯିବା ପାଇଁ ମଧ୍ୟ ଦାବି ଜୋର ଧରିଥିଲା । ହେଲେ ପରେ ପୁଣି ତା’ ଉପରେ ନଜର ରଖିଥିଲେ ବନ କର୍ମଚାରୀ । ସେପଟେ ସାମ୍ନାକୁ ଆସିଛି ମଣିଷଖିଆ ବାଘୁଣୀ ସୁନ୍ଦରୀର ନୂଆ ଦୃଶ୍ୟ । ନରସିଂହପୁର ଜିଲିଣ୍ଡା ରେଞ୍ଜ ଅଫିସ ନିକଟରେ ସୁନ୍ଦରୀକୁ ଦେଖିବାକୁ ମିଳିଥିଲା । ଜିଲିଣ୍ଡା ରେଞ୍ଜ ଅଫିସ ନିକଟରେ ସତ୍ୟଜୟପୁର ଗାଁ ନିକଟରେ ଦେଖାଦେଇଛି ସୁନ୍ଦରୀ ।