ଶଶିଭୂଷଣ ବେହେରାଙ୍କ ମନ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପୁଣିଥରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ତୈଳ ଦର ପ୍ରସଙ୍ଗକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦେଇଥିବା ମନ୍ତବ୍ୟକୁ ଗାଲୁଆଙ୍କ ବାରବାଟୀ ଚାଷ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶଶିଭୂଷଣ ଜଣେ ଦେବାଳିଆ ଲୋକ । ଅନର୍ଗଳ ତାଙ୍କର କହିବା ଅଭ୍ୟାସ ଅଛି । ନିଜ ବୁଦ୍ଧିରେ ନୁହେଁ ବରଂ ତୃତୀୟ ମହଲା ନିର୍ଦ୍ଦେଶରେ କୁହନ୍ତି । ବିଗତ ତିନି ଦିନ ହେଲା ତୈଳ ଦର ହ୍ରାସ ପାଉଛି । ରାଜ୍ୟ ସରକାର ଟିକସ ନକମାଇବାରୁ ଲୋକେ ଅସୁବିଧା ଭୋଗୁଛନ୍ତି । ଗାଲୁଆଙ୍କ ବାରବାଟୀ ଚାଷ, ଭଗବାନ ସେମାନଙ୍କୁ ସଦବୃଦ୍ଧି ଦିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଆଜି କହିଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ୮୦.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୮୦ଟଙ୍କା ୬୯ ରହିଛି, ଯାହାକି ଏକ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ । କେନ୍ଦ୍ରର ଭୁଲ ନୀତି ଓ ଦାୟିତ୍ୱହୀନତା ପାଇଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ତୈଳ କମ୍ପାନୀଗଡ଼ିକ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହାଁନ୍ତି । କମ୍ପାନୀମାନଙ୍କ ସହିତ କେନ୍ଦ୍ର ସରକାର ସାଲିସ୍‌ କରିଛନ୍ତି । ତେଣୁ ଡିଜେଲ ଦର ବଢ଼ିବା ଦ୍ୱାରା ସବୁ ସାମଗ୍ରୀର ଦରଦାମ ବଢ଼ିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ଏହା ସହିତ ଏହି ଦର ବୃଦ୍ଧିକୁ ରାଜନୀତି ସହିତ ଯୋଡ଼ିଛି ରାଜ୍ୟ । ଆଗାମୀ ନିର୍ବାଚନ ପାଇଁ ବିଜେପି ସରକାର ପାଣ୍ଠି ସଂଗ୍ରହ କରୁଛି ବୋଲି ଶଶିଭୂଷଣ କହିଛନ୍ତି । ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ସମାଲୋଚନା କରି ବିଜେପି ଦଳର ଉପସଭାପତି ପୃଥିରାଜ ହରିଚନ୍ଦନ କହିଛନ୍ତି ଯେ, ତୈଳ ଦର ବୃଦ୍ଧିକୁ ନେଇ ବିଜେଡ଼ି ଦଳ ଫମ୍ପା ରାଜନୀତି କରୁଛି । ଅର୍ଥ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ହାଲୁକା ଓ ଶସ୍ତା । ଇତିମଧ୍ୟରେ ୧୩ ଟି ରାଜ୍ୟ ଭାଟ୍ ଏବଂ କେନ୍ଦ୍ର ସରକାର ଏକସାଇଜ୍ ଟାକ୍ସ ୨ ଟଙ୍କା ୫୦ ପଇସା ହ୍ରାସ କରିସାରିଥିବା ବେଳେ ରାଜ୍ୟ ସରକାର ସେ ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଜନସାଧାରଣ ପ୍ରତି ଏମାନଙ୍କର ଦରଦ କେତେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ କରି ହେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।