ପଦବୀ ଛାଡ଼ିଲେ ଶଗରିଆ

ଭୁନନେଶ୍ୱର: ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଛାଡ଼ିବେ ନାହିଁ କିନ୍ତୁ ପଦବୀ ଛାଡ଼ିବା କଥା ଘୋଷଣା କଲେ । ପିସିସି ସାଧାରଣ ସମ୍ପାଦକ ଭାବେ ତାଙ୍କୁ ଯେଉଁ ନିଯୁକ୍ତି ୨ ଦିନ ତଳେ ଦିଆଯାଇଥିଲା ତାହା ସେ ଗ୍ରହଣ କରିବେ ନାହିଁ । ସେ ତାଙ୍କ ଇସ୍ତଫା ପତ୍ର ଦଳ ପ୍ରଭାରୀ ଜୀତେନ୍ଦ୍ର ସିଂହ ଓ ଏଆଇସିସିକୁ ପଠାଇ ଦେଇଛନ୍ତି ବୋଲି ଶଗରୀଆ କହିଛନ୍ତି । ତାଙ୍କୁ ଅପମାନିତ କରିବା ପାଇଁ ଜାଣିଶୁଣି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏସ୍ସି ସେଲ୍ର ଅଧ୍ୟକ୍ଷ ପଦରୁ ବାହାର କରିଛନ୍ତି ବୋଲି ଶ୍ରୀ ଶଗରିଆ ଗୁରୁତର ଅଭିଯୋଗ କରିଛନ୍ତି । ସେ କଂଗ୍ରେସ ଛାଡ଼ିବେ ନାହିଁ, ପୂର୍ବରୁ ସେ ରାହୁଲ ଗାନ୍ଧିଙ୍କୁ ଯେଉଁ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ତାହା ଉପରେ ଦଳ ବର୍ତ୍ତମାନ ତଦନ୍ତ କରୁଛି । ଏହି ତଦନ୍ତ ରିପୋର୍ଟ ଆସିଲା ପରେ ସେ ତାଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସବୁ ବିଷୟରେ ସେ ରାହୁଲ ଗାନ୍ଧିଙ୍କୁ ଭେଟି ଅବଗତ କରାଇବେ ବୋଲି କହିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦଳ ପାଇଁ ନା ଆଉ କାହା ପାଇଁ କାମ କରୁଛନ୍ତି ସେ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।