ଜ୍ୱାଇ ଲଗାଇଲା ନିଆଁ, ନିଜ ସହ ସ୍ତ୍ରୀ ଓ ଶାଶୂଶଶୂରଙ୍କ ନେଲା ଜୀବନ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନାପାଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇ ଶାଶୁଶ୍ୱଶୁରଙ୍କ ସମେତ ନିଜ ସ୍ତ୍ରୀ ଦେହରେ ନିଆଁ ଲଗାଇବା ସହ ନିଜକୁ ମଧ୍ୟ ଜାଳି ଦେଇଛି । ମୃତକ ମାନେ ହେଲେ ଶାଶୁ କମଳା ସାହୁ, ଶଶୁର ନବଘନ ସାହୁ, ସ୍ତ୍ରୀ ରୁବିନା ସାହୁ ଓ ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ । ପାରିବାରିକ କଳହରୁ ହରେକୃଷ୍ଣ ସମସ୍ତଙ୍କୁ ଜାଳି ଦେଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ହରେକୃଷ୍ଣ ଓ ରୁବିନାଙ୍କ ମଧ୍ୟରେ କିଛି ଦିନ ଧରି ଗଣ୍ଡଗୋଳ ଲାଗି ରହିଥିଲା । ଏହାପରେ ରୁବିନା ତାଙ୍କ ବାପାମାଙ୍କ ନିକଟରେ ରହୁଥିଲେ । ତେବେ କଳହକୁ ନେଇ ହରେକୃଷ୍ଣ ଉତ୍ୟକ୍ତ ହୋଇ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ରୁବିନା ଏବଂ ଶାଶୁ କମଳାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଶ୍ୱଶୁର ନବଘନ ମଧ୍ୟ ଉକ୍ତ ନିଆଁରେ ପୋଡି ହୋଇ ଯାଇଥିଲେ । ଏହି କାଣ୍ଡ କରିବା ପରେ ନିଜେ ହରେକୃଷ୍ଣ ନିଆଁରେ ଜଳି ଯାଇଥିଲେ । ଘଟଣାସ୍ଥଳରେ ନବଘନ, କମଳା ଓ ହରେକୃଷ୍ଣଙ୍କର ମୃତ୍ୟୁ ହୋଇଥିବାବେଳେ ରୁବିନାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଅଧାବାଟରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇତିବାର ସୂଚନା ମିଳୁଛି ।