ପେଟ୍ରୋଲ ଠାରୁ ଟପିଲା ଡିଜେଲ ଦର

ଭୁବନେଶ୍ବର : ପ୍ରଥମ ଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ରହିଛି । ଏଭଳି ଏକ ବିଚିତ୍ର ଘଟଣା ପ୍ରଥମଥର ଲାଗି ଦେଶରେ ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଯୋଗୁଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ଗତକାଲି ପେଟ୍ରୋଲ ଦର ୮୩ ପଇସା ହ୍ରାସ ଘଟିଛି । କିନ୍ତୁ ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ବରରେ ପେଟ୍ରୋଲ ୮୦ ଟଙ୍କା ୮୨ ପଇସା ରହିଥିବାବେଳେ ଡିଜେଲ ରହିଛି ୮୦ଟଙ୍କା ୮୮ ପଇସା । ଅର୍ଥାତ ପେଟ୍ରୋଲ ତୁଳନାରେ ଡିଜେଲ ଦର ୬ ପଇସା ଅଧିକ ରହିଛି ।ଅନ୍ୟପଟେ ପେଟ୍ରୋଲ ଦରରେ କିଛି ମାତ୍ରାରେ ମୂଲ୍ୟ ହ୍ରାସ କରି ବାହା ବାହା ନେଉଥିବା କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଏଭଳି କେବେ ହୋଇ ନଥିଲା ଯେ ପେଟ୍ରୋଲ ଦର ଠାରୁ ଡିଜେଲ ଦର ବୃଦ୍ଧି ହୋଇଯିବ । କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ନୀତି ଯୋଗୁଁ ଏଭଳି ଦିନ ମଧ୍ୟ ଦେଖିବାକୁ ପଡ଼ୁଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ଶ୍ରୀ ବେହେରା କହିଛନ୍ତି ।