ଭଦ୍ରକରେ ଦମ୍ପତ୍ତି ଝୁଲନ୍ତା ମୃତଦେହ ଉଦ୍ଧାର

ବାସୁଦେବପୁର: ପୁଣି ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦମ୍ପତ୍ତି ଘର ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗାଁରେ । ଉଭୟ ଏକ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଦ୍ୱୟ ହେଲେ ରଞ୍ଜନ ଓ ଗୀତାରାଣୀ ମଳିକ । ସୂଚନା ଅନୁସାରେ, ଗାଁର ଭଶାଳୀ ମଳିକଙ୍କ ପୁଅ ରଞ୍ଜନ ୬ମାସ ତଳେ ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ ଅଞ୍ଚଳର ଗୀତାଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛିଦିନ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ଗତକାଲି କୌଣସି କାରଣରୁ ଦୁଇଜଣ ନିଜର ଶୋଇବା ଘରେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆଜି ଶୋଇବା ଘରର କବାଟ ନଖୋଲିବାରୁ ରଞ୍ଜନଙ୍କ ମାଆ ଡାକିଥିଲେ । ହେଲେ କବାଟ ନଖୋଲିବାରୁ ସେ ପଡୋଶୀଙ୍କୁ କହିଥିଲେ । ପଡୋଶୀମାନେ ଆସି ଘରର କବାଟ ତାଡିବା ପରେ ଦୁଇଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।