କୋରିଆକୁ ୪-୧ ଗୋଲ୍‌ରେ ହରାଇଲା ଭାରତ ପୁରୁଷ ହକି ଦଳ

ମସ୍କାଟ: ଏଥର ଟ୍ରାକକୁ ଭାରତୀୟ ହକି ଟିମ ଫେରିଥିବାର ଅନୁମାନ କରିହେଉଛି । ଏସିଆନ୍‌ ଚାମ୍ପିୟନଶିପ୍‌ରେ ଭାରତର ଭଲ ପ୍ରଦର୍ଶନ ଜାରି ରଖିଥିବାର ଦେଖିବାକୁ ମିଳିଛି । ମ୍ୟାଲେସିଆ ସହ ମ୍ୟାଚ୍‌ ଡ୍ର ରଖିଥିବା ଟିମ୍‌ ଇଣ୍ଡିଆର ପୁରୁଷ ହକି ଦଳ ବୁଧବାର ପୁଣି ଥରେ ବିଜୟ ଟ୍ରାକ୍‌କୁ ଫେରିଛି । ଗତକାଲି ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ କୋରିଆକୁ ୪-୧ ଗୋଲ୍‌ରେ ପରାସ୍ତ କରିଛି । ଏହି ମ୍ୟାଚ୍‌ର ହିରୋ ଥିଲେ ହରମନପ୍ରୀତ୍‌ ସିଂହ । ସେ ଏକାକୀ ୩ଟି ଗୋଲ୍‌ ଦେଇ ଭାରତର ବିଜୟରେ ହିରୋ ବନି ଯାଇଥିଲେ । ଆରମ୍ଭରୁ ଭାରତର ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚ୍‌ର ୪ର୍ଥ ମିନିଟରେ ହରମନପ୍ରୀତ୍‌ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ର ଅଗ୍ରଣୀ ଦେଇଥିଲେ । ଏହାପରେ ସେ ୪୭ତମ ଓ ୫୯ତମ ମିନିଟ୍‌ରେ ଆଉ ଦୁଇଟି ଗୋଲ୍‌ ଦେଇଥିଲେ । ସେହିପରି ଗୁରଜନ୍ତ ସିଂହ ମ୍ୟାଚ୍‌ର ୧୦ମ ମିନିଟ୍‌ରେ ଗୋଲ୍‌ ଦେଇଥିଲେ । କୋରିଆ ତରଫରୁ ମ୍ୟାଚ୍‌ର ଦ୍ୱିତୀୟ କ୍ୱାର୍ଟରରେ ଏକମାତ୍ର ଗୋଲ୍‌ ହୋଇଥିଲା । ତେବେ ମ୍ୟାଚ୍‌ ଆରମ୍ଭରୁ କୋରିଆ ଟିମ୍‌ ଚାପରେ ଥିବା ପରି ଲାଗୁଥିଲା । ହରମନପ୍ରୀତ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା ।ସୂଚନାଯୋଗ୍ୟ, ୫ଟି ମ୍ୟାଚ୍‌ରୁ ୪ଟି ଜିତିଥିବା ଭାରତୀୟ ଟିମ୍‌ ଶୀର୍ଷ ସ୍ଥାନରେ ରହିଛି । ତେବେ ଭାରତୀୟ ପୁରୁଷ ହକି ଦଳ ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଛି । ତେବେ ବାକି ରହିଲା କିଭଳି ଚମତ୍କାର କରୁଛି ଫାଇନାଲରେ ।