ଦାମଙ୍କୁ ସୂର୍ଯ୍ୟଙ୍କ ବାଣ

ଭୁନନେଶ୍ୱର: ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ଦାମୋଦର ରାଉତ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଭିନ୍ନ ସମରେ ଗଣମାଧ୍ୟମରେ ପ୍ରତିକ୍ରୀୟା ରଖିବାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ହିଁ ସମାଲୋଚନା କରୁଛନ୍ତି ଓ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ଡାକ୍ତର ରାଉତଙ୍କ ମତକୁ ନେଇ ବିରୋଧୀ ବିଜେଡିକୁ ଘେରିବାରେ ଲାଗିଛନ୍ତି । ଏହି ଘଟଣା ଦେଖି ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ସେ ଏ ଘଟଣାରେ ଡାକ୍ତର ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଡାକ୍ତର ରାଉତ ଯାହା କହୁଛନ୍ତି ତାକୁ ମଧ୍ୟ ଶ୍ରୀ ପାତ୍ର ଚ୍ୟାଲେଞ୍ଜ ଦେଇଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଦାମ ଯେଉଁ ସବୁ ଦୁର୍ନୀତି କଥା ଉଠାଇଛନ୍ତି, ମନ୍ତ୍ରୀ ଥିବା ବେଳେ କାହିଁକି ନକହି ଚୁପ ବସିଥିଲେ । ନିଜେ ତ ସେ ବିଭାଗର ମନ୍ତ୍ରୀ ଥିଲେ, ତଦନ୍ତ କରାଇଲେନି କାହିଁକି? ଇସ୍ତଫା ଦେଇ ନିଜ ପୁରୁଷ ପଣିଆର ପରିଚୟ ଦେବାକୁ କିଏ ମନା କରିଥିଲା ବୋଲି କହି ଶ୍ରୀ ପାତ୍ର ପ୍ରଶ୍ନ କରିବା ସହ ସେତେବେଳେ ପଦର ଲୋଭ ଥିଲା, ତେଣୁ ଚୁପ ବସିଥିଲେ ବୋଲି କହି ତାତ୍ସଲ୍ୟ କରିଛନ୍ତି । ଏବେ ମନ୍ତ୍ରୀ ପଦରୁ ତଡ଼ା ଖାଇବା ପରେ ବିଭିନ୍ନ ଅଭିଯୋଗ ଆଣୁଛନ୍ତି । କିନ୍ତୁ ତଥ୍ୟ ମାଗିଲା ବେଳକୁ ପାଟି ଚୁପ୍ ହେଇଯାଉଛି । ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦାମ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ବିଜୁ ପରିବାର ସମସ୍ତ ସଦସ୍ୟଙ୍କୁ ଏହା ମର୍ମାହତ କରିଛି । ଦାମ-ବୈଜୟନ୍ତ ଭେଟଘାଟକୁ ନେଇ ସୂର୍ଯ୍ୟ କହିଛନ୍ତି, ଯିଏ ଯେତେ ଉଦ୍ୟମ କଲେ ମଧ୍ୟ ନବୀନ ସରକାରକୁ କେହି ଦୋହଲାଇ ପାରିବେ ନାହିଁ । ଓଡ଼ିଶାବାସୀ ନବୀନଙ୍କ ସହ ଥିଲେ, ଅଛନ୍ତି ଓ ଆଗକୁ ରହିବେ । ଡାକ୍ତର ରାଉତ କେବଳ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ତାଙ୍କ ବିରୋଧରେ ବହୁ ଆଗରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା ବୋଲି ଶ୍ରୀ ପାତ୍ର କହିଛନ୍ତି ।