ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କେନ୍ଦ୍ରକୁ ଚିଠିଲେଖିଲେ ନବୀନ

ଭୁନନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଓକିଲମାନେ ସେଠାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜିଠାରୁ ସେମାନେ କୋର୍ଟ ବର୍ଜନ କରିଥିଲା ବେଳେ ଗୁରୁବାରଠାରୁ ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିନେଇ ସେମାନେ ଦାୟୀ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ପୁଣି କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଆଜି ଚିଠି ଲେଖିଛନ୍ତି । ପୂର୍ବରୁ ସେ ଲେଖିଥିବା ଚିଠି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ବିଲ ଆଣି ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଗତ ପାର୍ଲାମେଣ୍ଟ ଅଧିବେଶ ସମୟରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନ ନେଇ ବିଜେଡି ସାଂସଦଙ୍କ ଏକ ପ୍ରଶ୍ନରେ କେନ୍ଦ୍ର ଆଇନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଠେଲିଥିଲେ । ରାଜ୍ୟ ସରକାରଙ୍କ ପାଖରୁ ହାଇକୋର୍ଟଙ୍କ ସୁପାରିଶ ଥାଇ ଯେପରି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ଆସିବା କଥା ତାହା ଆସି ନ ଥିବା ଦର୍ଶାଇ ନିଜ ମୁଣ୍ଡରୁ କେନ୍ଦ୍ରମନ୍ତ୍ରୀ ଦୋଷ ଖସାଇଥିଲେ । ଓଡ଼ିଶା ସରକାରଙ୍କ ପଖରୁ କୁହାଗଲା ରାଜ୍ୟ ପକ୍ଷରୁ ଯାହା ପ୍ରସ୍ତାବ ଦିଆଯିବା କଥା ତାହା ଠିକ ଭାବରେ ଦିଆଯାଇଛି । କେନ୍ଦ୍ର ଟାଳଟୂଳ ନୀତି ଅବଲମ୍ବନ କରୁଛି । ଏହି ଘଟଣା ପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କେନ୍ଦ୍ରକୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଲି ଲେଖିଛନ୍ତି ।