ଶାହ ବି ନବୀନଙ୍କୁ ଛାଡ଼ିଲେନି

ଭୁନନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଟାର୍ଗେଟ କରି ବର୍ଷିଥିଲେ । ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ସରକାର ବୋଲି ଅଭିହିତ କରିଥିଲେ । ମୋଦି ଯିବା ପରେ ଆଜି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ପୁଣି ନବୀନଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ନିଶାନରେ ଏବେ କେବଳ ନବୀନ । ନବୀନ ପଟ୍ଟନାୟକ ଗରୀବଙ୍କ ସ୍ୱାର୍ଥ ନୁହେଁ ରାଜନୀତି ପାଇଁ ତାଙ୍କ ଚଉକି ସୁରକ୍ଷିତ ରଖିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରୁନାହାଁନ୍ତି, ଚାଷୀଙ୍କୁ ସହାୟକ ମୂଲ୍ୟର ସୁବିଧା ଦେଉନାହାଁନ୍ତି । ଜନପ୍ରତିନିଧି ଶାସନ ବଦଳରେ ଅଫିସର ରାଜ ଚାଲିଛି । ଓଡ଼ିଶା ଯେଉଁଭଳି ଗରିବ ଥିଲା ସେଭଳି ରହିଛି । ନାରୀ ନିର୍ଯାତନାେରେ ଓଡ଼ିଶା ୧ ନମ୍ବର ହୋଇଛି । ବିଜେଡିରେ ଆଉ ବିଜୁ ବାବୁଙ୍କ ନୀତି ଆଦର୍ଶ ନାହିଁ । ଲୋକଙ୍କ ପାଇଁ କେନ୍ଦ୍ର ପଠାଉଥିବା ଅର୍ଥକୁ ବାଟମାରଣା କରାଯାଉଛି । ଏଣୁ ଏଭଳି ସରକାରକୁ ତୁରନ୍ତ ପରିବର୍ତ୍ତନ କରିବା ପାଇଁ ଶାହ ଦଳର ମହିଳାକର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ପୁରୀରେ ଆୟୋଜିତ ବିଜେପିର ଦୁଇ ଦିନିଆ ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀକୁ ଉଦ୍ଘାଟନ କରିବା ପାଇଁ ଶାହ ଓଡ଼ିଶା ଆସିଛନ୍ତି । କାର୍ଯ୍ୟକ୍ରମ ଉଦଘାଟନ କରିବା ଅବସରରେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରି ଶାହ କହିଥିଲେ ଓଡ଼ିଶା ସରକାର ଯେଉଁ ଢ଼ଙ୍ଗରେ ଚାଲିଛି ଏ ସରକାର ଆଉ ଗୋଟିଏ ମୁହୂର୍ତ୍ତବି ଶାସନ କରିବାର ଅଧିକାର ନାହିଁ । ସମଗ୍ର ଦେଶରେ ଓଡ଼ିଶାକୁ ସମୃଦ୍ଧ କଲାଭଳି ଖଣିଜ ସମ୍ପଦ ଭରପୁର ରହିଛି । କିନ୍ତୁ ଓଡ଼ିଶାର ଲୋକମାନେ ଗରୀବ ହୋଇ ରହିଛନ୍ତି । ଏଥିପାଇଁ କିଏ ଦାୟୀ ସେ ହେଉଛି ନବୀନ ବାବୁଙ୍କ ସରକାର । ନବୀନ ବାବୁଙ୍କୁ କିଛି ଚେତାବନୀ ଦେଉଛି ଏବେ ନରେନ୍ଦ୍ର ମୋଦିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି ସମଗ୍ର ଦେଶର ଚାଷୀଙ୍କୁ ରବି ଓ ଖରିଫ ଦୁଇ ଫସଲରେ ଦେଢ଼ଗୁଣା ସହାୟକ ମୂଲ୍ୟ ଉତ୍ପାଦିତ ସାମଗ୍ରୀ ଦିଆଯିବ । ଧାନ ଉପରେ କ୍ୱିଣ୍ଟାଲ ପିଛା ୨୦୦ଟଙ୍କା ବଢ଼ାଯାଇଛି । କେନ୍ଦ୍ର ସରକାର ଓଡ଼ିଶାକୁ ହଜାର ହଜାର କୋଟି ଟଙ୍କା ଦେଉଛନ୍ତି । କିନ୍ତୁ ଓଡ଼ିଶା ସରକାର ମିଲମାଲିକମାନଙ୍କ ସହ ମିଶି ଲୋକଙ୍କଠାରୁ ଚାଉଳ କିଣୁ ନାହାଁନ୍ତି । ପଡ଼ୋଶୀ ଛତିଶଗଡ଼ରେ ଆମ ସରକାର ଓ ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ଯାଇକି ଦେଖିକି ଆସନ୍ତୁ । ଜଣେ ହେଲେ ଚାଷୀଙ୍କର କିଲେବି ଚାଉଳ ବଳାକ ରହୁନି ସବୁ ସରକାର କିଣୁଛନ୍ତି । ନବୀନ ବାବୁଙ୍କ ସରକାରୁ ମୁଁ ଚେତାବନୀ ଦେଉଛି ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଉଛନ୍ତି ସବୁ ଗରୀବ ଚାଷୀ ଲାଭର ଦେଢ଼ଗୁଣ ସମର୍ଥନ ଦେବେ । କିନ୍ତୁ ମିଲ ମାଲିକଙ୍କ ସହ ମିଶି ଏ ପଇସା ଲୋକଙ୍କ ପାଖରେ ପହଂଚିବାକୁ ଦେଉନାହାଁନ୍ତି । ଏଣୁ ବିଜେପିର କର୍ମକର୍ତ୍ତାମାନେ ଆପଣଙ୍କ ସରକାରକୁ ଛାଡ଼ିବେ ନାହିଁ । ଚାଷୀଙ୍କ ପାଇଁ ଆମେ ରାସ୍ତାକୁ ଓହ୍ଲାଇବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନା ଉଦ୍ଘାଟନ କରିଛନ୍ତି । ଦେଶର ୧୦ କୋଟି ପରିବାରର ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କାଯାଏଁ ଚିକିତ୍ସାର ସମ୍ପୂର୍ଣ୍ଣ ଖର୍ଚ୍ଚ ଆୟୁଷ୍ମାନ ଭାରତ ଯୋଜନାରେ ବହନ କରିବ । କିନ୍ତୁ ଏହା ଓଡ଼ିଶାର ଲୋକଙ୍କୁ ମିଳିବ ନାହିଁ । କାରଣ ନବୀନ ପଟ୍ଟନାୟକଙ୍କୁ ଭୟ ହେଉଛି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଯଦି ଲାଗୁ କରିଦେବେ ମୋଦି ଏଠାରେ ଲୋକପ୍ରିୟ ହୋଇଯିବେ ଓ ତାଙ୍କ ସରକାର ଚାଲିଯିବ । ନୀବନ ବାବୁଙ୍କୁ ଓଡ଼ିଶାର ଗରୀବ ଲୋକଙ୍କ ଚିନ୍ତା ନାହିଁ । ତାଙ୍କର ଚଉକି ଚିନ୍ତା । କେତେଦିନ ଏପରି ନବୀନ ବାବୁ ବଂଚିକି ରହିବେ । ୨୦୧୯ରେ ଆପଣଙ୍କର ଯିବା ନିଶ୍ଚିତ । ଯେଉଁଦିନ ଆପଣ କ୍ଷମତାରୁ ଯିବେ ତା ପରଦିନ ବିଜେପି ମୁଖ୍ୟମନ୍ତ୍ରୀ ଆସି ଆୟୁଷ୍ମାନ ଯୋଜନା ମା ଭଉଣୀଙ୍କ ପାଇଁ ଲାଗୁ କରିବ । ଏହାକୁ ସେ ରୋକିପାରିବେ ନାହିଁ । ମୋଦି ଓ ବିଜେପି ସରକାର ଗରୀବ ଲୋକଙ୍କର ସେବା କରିବାକୁ ଚାହୁଁଛନ୍ତି । କିନ୍ତୁ ମଝିରେ ନବୀନବାବୁ ରୋକ ଲଗାଉଛନ୍ତି । ଏହା ସେ ଆଉ କରିପାରିବେ ନାହିଁ । ପୁରା ଶାସନ ତାଙ୍କର ବିଫଳରେ ପରିଣତ ହୋଇଛି । ଏଠି କୌଣସି ଜନପ୍ରତିନିଧିଙ୍କର କିଛି ମହତ୍ୱ ନାହିଁ । କଲେକ୍ଟର, ବାବୁ, ଆଇଏଏସ୍, ଆଇପିଏସ୍ ଏଠି ରାଜା ହୋଇ ବସିଛନ୍ତି । ଲୋକତନ୍ତ୍ରକୁ ହାସ୍ୟାସ୍ପଦ କରିଛନ୍ତି । ଏଠି ଲୋକପ୍ରତିନିଧିଙ୍କ ଶାସନ ଚାଲିନାହିଁ । ଆଇଏଏସ୍, ଆଇପିଏସ୍ଙ୍କ ଶାସନ ଚାଲିଛି । ଅଫିସରଙ୍କୁ ମୁଁ ଚେତାବନୀ ଦେଉଛି, ଚାଟୁକାର ଆଉ ସାଜନ୍ତୁନାହିଁ । ଏ ଶାସନ ବେଶିଦିନ ନୁହେଁ ବଦଳିବାକୁ ବସିଛି । ଖୁବଶୀଘ୍ର ପରିବର୍ତ୍ତନ ହେବ । ବିଜେପି ସରକାର ଆସିବ । ଯେଉଁମାନେ ଭ୍ରଷ୍ଟାଚାରୀ ଅଛନ୍ତି ସେମାନଙ୍କୁ କେବେ କ୍ଷମା ମିଳିବନାହିଁ । ନବୀନବାବୁଙ୍କ ସରକର ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ଦମନ କରିବାରେ ଲାଗିଛନ୍ତି । ଗତ ୩ ବର୍ଷ ଭିତରେ ଓଡ଼ିଶାରେ ବିଜେପିର ୧୪ ଜଣ କର୍ମକର୍ତ୍ତାଙ୍କୁ ରାଜ୍ୟ ସରକାରଙ୍କ ଲୋକମାନେ ହତ୍ୟା କରିଛନ୍ତି । ବିଜେପିର କିଛି କର୍ମକର୍ତ୍ତାଙ୍କୁ ହତ୍ୟା କରିଦେଲେ ଏଥିରେ ବିଜେପି ଡରିବ ନାହିଁ । ଆମରଇତିହାସ ହେଉଛି ଯେତେ ଦମନ କରିବାକୁ ଚାହୁଁଲେ ସେତେ ପଦ୍ମ ଫୁଟିବ । ଯେତେ ଦବାଇବେ ବିଜେପି ସେତିକି ଶକ୍ତିଶାଳୀ ହୋଇ ବାହାରକୁ ଆସିବ । କେନ୍ଦ୍ର ବିଜେପି ସରକାର ଚାରିବର୍ଷରେ ୪ ଲକ୍ଷ ୪୫ ହଜାର ୮୬୫ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି । କିନ୍ତୁ ଏହି ଅର୍ଥ ଗାଁର ଗରୀବ ଲୋକଙ୍କ ପାଖରେ ପହଂଚିନାହିଁ । ଏହାକୁ ମଝିରେ ନବୀନ ବାବୁଙ୍କର ଅଫିସରମାନେ ଖାଇଯାଉଛନ୍ତି । ୧୨୯ରୁ ଅଧିକ ଯୋଜନାରେ ବିଜେପି ଲୋକଙ୍କ ପାଇଁ ଆଣିଛି ବୋଲି ଶାହ କହିଥିଲେ ।
ମହିଳାଙ୍କ ସହ ଦୁର୍ବ୍ୟବହାରରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ । ମହିଳାଙ୍କ ସହ ଅସୌଜନ୍ୟ ବ୍ୟବହାରରେ ଓଡ଼ିଶା ୧ ନମ୍ବର ଅଛି । ଯୌତୁକ ନିର୍ଯାତନା ମାମଲାରେ ଓଡ଼ିଶା ୪ନମ୍ବର ଅଛି । ମହିଳାଙ୍କ ବିକାଶ କରିବା ବଦଳରେ ସେମାନଙ୍କୁ ନର୍ଯାତନା ଦେବାରେ ୧ ନମ୍ବରରେ ପହଂଚିଛନ୍ତି ନବୀନ ବାବୁଙ୍କ ସରକାର । ବିଜୁ ଜନତା ଦଳ ସରକାରରେ ବିଜୁବାବୁଙ୍କ ଆଦର୍ଶ ଆଉ ନାହିଁ । ଏ ସରକାରକୁ କ୍ଷମତାରେ ରଖିବାକୁ ଲୋକ ଆଉ ଚାହୁଁନାହାଁନ୍ତି । ନବୀନ ବାବୁ ସରକାର ମହିଳାମାନଙ୍କୁ ନିର୍ଯାତନା ଦେଉଥିବା ବେଳେ ମୋଦି ସରକାର ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆଣିବାରେ ଲାଗିଛନ୍ତି । ଅଙ୍ଗନୱାର୍ଡ ଓ ଆଶାକର୍ମୀଙ୍କ ପାଇଁ ସହାୟତା ରାଶୀ ବଢ଼ାଇଛନ୍ତି । ମହିଳାଙ୍କ ସମ୍ମାନ ବଢ଼ାଇବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ସାଢ଼େ ୫ କୋଟି ମହିଳାଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି । ୧୬ କୋଟି ମହିଳାଙ୍କ ଆକାଉଣ୍ଟରେ ଜନଧନ ଯୋଜନା ଖୋଲାଯାଇଛି । ୧୩ କୋଟି ମହିଳାଙ୍କୁ ଋଣ ଦିଆଯାଇଛି । ସାଢ଼େ ୭ କୋଟି ଲୋକଙ୍କ ଘରେ ସୌଚାଳୟ ନିର୍ମାଣ କରାଯାଇଛି । ମା ଭଉଣୀମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ ।
ବିରୋଧୀଙ୍କୁ ସମାଲୋଚନା କରି ଶାହ କହିଥିଲେ କଂଗ୍ରେସ ଓ ସବୁ ବିରୋଧୀ ଦେଶ ଭାଙ୍ଗିବାରେ ଲାଗିଛନ୍ତି । ମୋଦି ଦେଶ ରକ୍ଷଣରେ ଲାଗିଛନ୍ତି । ମୋଦି ଭାରତ ବର୍ଷକୁ ନିର୍ମାଣ କରିବାକୁ ଚାହୁଁଥିଲା ବେଳେ କଂଗ୍ରେସ, ବିଜେଡି ସମେତ ବିରୋଧୀ ଦଳ ମିଶି ଦେଶକୁ ଭାଙ୍ଗିବା ପାଇଁ ଉଦ୍ୟମ ଚଳାଇଛନ୍ତି । ପରିବର୍ତ୍ତନ ବାର୍ତ୍ତା ନେଇ ମହିଳାମାନେ ଗାଁ ଗାଁ , ଗଳିକନ୍ଦି ଓ ଘରଘରକୁ ଯାଇ ମୋଦିଙ୍କର ଦୂତ ଭଳି କାର୍ଯ୍ୟ କରନ୍ତୁ । ସବୁ ଓଡ଼ିଶାର ଲୋକଙ୍କୁ ଏକତ୍ରିତ କରନ୍ତୁ । ନବୀନ ବାବୁଙ୍କ ଶାସନ ବହୁତ ହୋଇଗଲା । ୧୮ ବର୍ଷ ଦିଆଗଲାଣି, ଏତେ ବଡ଼ ସୁଯୋଗ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ମିଳିନାହିଁ । କିନ୍ତୁ ଓଡ଼ିଶା ଯେପରି ଥିଲା ସେପରି ରହିଲା । ଏଣୁ ଗୋଟିଏ ସୂଯୋଗ ମୋଦି ନେତୃତ୍ୱାଧୀନ ବିଜେପିକୁ ଦିଆଯାଉ । ୫ ବର୍ଷ ଭିତରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବ । ମୁଁ ୧୪ ଥର ୪ ବର୍ଷରେ ଓଡ଼ିଶା ଆସିଛି । ଯେବେ ଆସୁଛି ଏଠି ବିଶାକ୍ତ ମଦ, ନକଲୀମଦ ଓ ମା, ଭଉଣୀମାନଙ୍କ ଉପରେ ଅତ୍ୟାଚାର ଦେଖି ଆଖିରେ ଲୁହ ଆସୁଛି । ମୁଁ ସବୁ ମାତୃଶକ୍ତିକୁ ଆଶ୍ୱାସନା ଦେଉଛି ଆପଣମାନେ ପରିବର୍ତ୍ତନ ଆଣନ୍ତୁ । ବିଜେପି ସରକାର ଗଠନ କରାନ୍ତୁ । ନକଲି ଓ ବିଶାକ୍ତ ମଦ ପ୍ରସ୍ତୁତ କରୁଥିବା ଲୋକଙ୍କୁ ଜେଲ ଭିତରେ ପୁରାଯିବ । ଏହି ବିଶାକ୍ତ ଓ ନକଲି ମଦ ଖାଇ କାହାରିକୁ ମରିବାକୁ ଦିଆଯିବନାହିଁ । ଏଭଳି ଏକ ଓଡ଼ିଶା ଗଠନ କରନ୍ତୁ । ନବୀନ ପଟ୍ଟନାୟକ ସରକାରଙ୍କୁ ହଟାଇ ଫୋପାଡ଼ି ଦେବା ପାଇଁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।