ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଲଫାପାରେ ଲାଗିଥିବା ଛେପର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଖଳ ନାୟକ ପୁଞ୍ଜିଲାଲଙ୍କ ଅପରାଧର ପେଡି ଖୋଲିପାରେ ତାଙ୍କ ଛେପ । ବେନାମୀ ଚିଠି ଆସିଥିବା ଲଫାଫାରେ ଲାଗିଥିବା ଛେପର ଡିଏନ୍ଏ ଟେଷ୍ଟ ହେବ । କେବଳ ସେତିକି ନୁହେଁ ଯେଉଁ କୋରିଅରରୁ ପାର୍ସଲ ବୋମା ପଠା ଯାଇଥିଲା ସେଠିକାର ସିସିଟିଭି ଫୁ଼ଟେଜ୍କୁ ଇସ୍ରାଏଲ୍ ପଠାଯିବ । ପୁଞ୍ଜିଲାଲଙ୍କ ବିରୋଧରେ ସବୁ ପ୍ରମାଣ ଯୋଗାଡିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି ।
ପୁଞ୍ଜିଲାଲଙ୍କୁ ଏହି ଚିଠି ଫସେଇଦେଇଛି । ଚିଠି ଯେଉଁ ଲଫାଫାରେ ଆସିଥିଲା ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଛାନଭିନ୍। ବଲାଙ୍ଗିର ଏସ୍ପିଙ୍କ ପାଖକୁ ଆସିଥିଲା ଏହି ବେନାମୀ ଚିଠି । ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକଙ୍କ ଚାଲାକି ଧରା ପକାଇଦେଇଛି ଏହି ଚିଠି । ତଦନ୍ତର ଦିଗ ବଦଳାଇବାକୁ ଚେଷ୍ଟା କରି ପୁଞ୍ଜିଲାଲ ଏହି ଚିଠି ପଠାଇଥିଲେ । ଯାହାକୁ ଧରି ପୁଞ୍ଜିଲାଲଙ୍କ ପାଖେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ଚିଠି ଆସିଥିଲା ଏକ ବନ୍ଦ ଲଫାଫାରେ ।ଏହି ଲଫାଫାକୁ ଛେପ ଲଗାଇ ବନ୍ଦ କରା ଯାଇଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଖାମରେ ଲାଗିଥିବା ଛେପ ପୁଞ୍ଜିଲାଲଙ୍କର କି ନୁହେଁ ସେନେଇ ଏହାର ଡିଏନ୍ଏ ଟେଷ୍ଟ କରାଯିବ ।
ଚିଠିରେ କାହାର ଫିଙ୍ଗର ପ୍ରିଣ୍ଟ ରହିଛି ତାହା ଜାଣିବାକୁ ପ୍ରୟାସ କରୁଛି କ୍ରାଇମବ୍ରାଞ୍ଚ। ଚିଠିରେ ଥିବା ଫିଙ୍ଗରପ୍ରିଣ୍ଟ ପୁଞ୍ଜିଲାଲଙ୍କର କି ନୁହେଁ ତାହା ଜାଣିବା ପାଇଁ ଚିଠିଟିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍‌କୁ ପଠାଯିବ। ପୁଞ୍ଜିଲାଲ ଲାପ୍‌ଟପ୍‌ରେ ଏହି ଚିଠିଟି ନାହିଁ। ସେ ଏହାକୁ ଡିଲିଟ୍‌ କରି ଦେଇଥିବା ସନ୍ଦେହ କରାଯାଉଛି। ଏହାକୁ ଲାପ୍‌ଟପ୍‌ରୁ ରିଟ୍ରାଇଭ କରିବା ପାଇଁ ଉଦ୍ୟମ କରାଯିବ ।
ଏକ କୋରିୟର ସଂସ୍ଥା ଜରିଆରେ ପାର୍ସଲ ବୋମା ପଠାଯାଇଥିଲା। ଏହି ସଂସ୍ଥାର ସିସିଟିଭକୁ ତଦନ୍ତକାରୀ ଦଳ ଜବତ କରିଛନ୍ତି। ଏଥିରେ ପୁଞ୍ଜିଲାଲଙ୍କ ଫଟୋ ଥିବା ଆଶଙ୍କା କରାଯାଉଛି। ସିସିଟିଭି ଫୁଟେଜ୍‌ର ଅଧିକ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି। ଏଥିପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଇସ୍ରାଏଲର ଏକ ସଂସ୍ଥାକୁ ପଠାଯିବ। ତଥ୍ୟ ଯୋଗାଡ କରିବାକୁ କ୍ରାଇମବ୍ରାଞ୍ଚ ଅତ୍ୟାଧୁନିକ ନିନ୍ ହାଇଡ୍ରିନ୍ ଟେକ୍ନୋଲୋଜିର ସହାୟତା ନେବ। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ଯାଞ୍ଚ ପାଇଁ ପଠାଇବାକୁ ତଦନ୍ତକାରୀ ଟିମ୍ ସ୍ଥିର କରିଛି।
ରିମାଣ୍ଡରେ ନେଇ ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ଘନ ଘନ ଜେରା କରୁଛି । ତାଙ୍କଠାରୁ ସତ ଓଗାଳିବାକୁ ଚେଷ୍ଟା କରୁଛି। ଚାର୍ଜସିଟ୍ ଫାଇଲ କରିବା ଆଗରୁ ପୁଞ୍ଜିଲାଲଙ୍କ ବିରୋଧରେ ପ୍ରମାଣକୁ ଏକାଠି କରିବାକୁ ସବୁ ରକମ କସରତ କରିବାକୁ ଅଣ୍ଟା ଭିଡିଛି କ୍ରାଇମବ୍ରାଞ୍ଚ ।