ବାରାବାଟୀ ପ୍ରସ୍ତୁତ: ଗୁରୁବାର ଇଣ୍ଡିଆ-ଇଂଲଣ୍ଡର ଲଢେଇ

ଭୁବନେଶ୍ୱର: ଦୀର୍ଘ ୨୬ମାସ ପରେ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ କ୍ରିକେଟ ଦିନିକିଆ ମ୍ୟାଚ ଖେଳାଯିବ। ଏଥିପାଇଁ ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଇଣ୍ଡିଆ ଏବଂ ଇଂଲଣ୍ଡ ଦଳର ଖେଳାଳି। ମ୍ୟାଚକୁ ନେଇ କେବଳ ଦ୍ୱୈତନଗରୀ କଟକ-ଭୁବନେଶ୍ବର ନୁହେଁ, ସାରା ଓଡ଼ିଶାରେ ପ୍ରବଳ ଉତ୍ସାହ। ଗୁରୁବାର ଏହି ଦିବାରାତ୍ର ଦିନିକିଆରେ ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ପୁଣେ ଠାରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ୩୫୧ ରନର ପିଛା କରି ବିଜୟୀ ହେବା ପରେ ବାରବାଟୀ ମ୍ୟାଚ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା ଦେଖାଦେଇଛି। କ୍ରିକେଟ ବୋର୍ଡର ପରିଚାଳନା ଲାଗି ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ମୁରବୀଶୂନ୍ୟ ହୋଇ ଯାଇଥିଲେ ହେଁ ଏହି ଦିନିକିଆ ମ୍ୟାଚର ଆୟୋଜନରେ କୌଣସି ଢିଲାପଣ ଦେଖାଯାଇନାହିଁ। ରାଜ୍ୟ ସରକାର ଓ କମିଶନରେଟ ପୋଲିସ ମଧ୍ୟ ମ୍ୟାଚର ସଫଳତା ପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି। ହୋଟେଲ ରୁମ୍ ମିଳିବାରେ ସମସ୍ୟା ଯୋଗୁଁ ଉଭୟ ଭାରତ ଓ ଇଂଲଣ୍ଡ ଦଳ ୨ ଦିନ ବିଳମ୍ବରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଶେଷଥର ପାଇଁ ୨୦୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଖେଳା ଯାଇଥିଲା। ତେବେ ପଡ଼ିଆକୁ ଦର୍ଶକ ବୋତଲ ଫିଙ୍ଗିବା ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ତେଣୁ ଏଥର ପାଣି ବୋତଲ ଓ ପାଣି ପାଉଚ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ତେଣୁ ସମସ୍ତ ଗ୍ୟାଲେରୀରେ ପାଣିକଳର ବ୍ୟବସ୍ଥା ହୋଇଛି। ପୁଣି ସମସ୍ତ ଗ୍ୟାଲେରୀ ସମ୍ମୁଖରେ ସୁଉଚ୍ଚ ଜାଲ ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ବାହାରେ ଓ ଭିତରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ପୁଣି ୩୦୦ ଅଧିକାରୀ ନିରାପତ୍ତା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ଏହାସହ ଘରୋଇ ନିରାପତ୍ତାକର୍ମୀ ମଧ୍ୟ ନିୟୋଜିତ ରହିବେ। ମ୍ୟାଚ ଅପରାହ୍ଣ ୧.୩୦ରେ ଆରମ୍ଭ ହେବ। ଅଦ୍ୟାବଧି ବାରବାଟୀ ଷ୍ଟାଡିୟମରେ ୧୯ଟି ଦିନିକିଆ ମ୍ୟାଚ ଖେଳା ଯାଇଥିବା ବେଳେ ଗୁରୁବାରର ମ୍ୟାଚ ଏଠାରେ ୨୦ତମ ହେବ। ଏହି ୧୯ଟିରୁ ଭାରତ ୧୭ଟି ଦିନିକିଆ ଏଠାରେ ଖେଳିଛି। ଭାରତ ଏଠାରେ ୧୩ଟି ମ୍ୟାଚ ଜିତିଥିବା ବେଳେ ୪ଟିରେ ହାରିଛି ଏବଂ ୨ଟି ମ୍ୟାଚ ବାତିଲ ହୋଇଛି। ପୁଣି ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ୪ଟି ଦିନିକିଆ ଖେଳା ଯାଇଥିବା ବେଳେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଫଳରେ ଗୁରୁବାରର ମ୍ୟାଚ୍ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଦୁଇ ଥର ୩୦୦ରୁ ଅଧିକ ରନ୍
ପୁନେ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ ଯୋଗୁଁ ବାରବାଟୀ ମ୍ୟାଚ୍‌ ପାଇଁ ଏବେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ତେଣୁ ଏଠାରେ ମଧ୍ୟ ବଡ଼ ସ୍କୋର ହେବ ବୋଲି ସମସ୍ତେ ଆଶା ରଖୁଛନ୍ତି। ଦର୍ଶକଙ୍କ ଚାହିଦାକୁ ନଜରରେ ରଖି ଏଥର ବ୍ୟାଟିଂ ପିଚ୍‌ ପ୍ରସ୍ତୁତ ହୋଇଛି। ଏନେଇ ବହୁ ଆଗରୁ ପିଚ୍‌ କ୍ୟୁରେଟର ସୂଚନା ଦେଇଛନ୍ତି। ବାରବାଟୀରେ ଏଥର ସର୍ବକାଳୀନ ସର୍ବାଧିକ ଦଳଗତ ସ୍କୋର ହେବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏଠାରେ ମାତ୍ର ଦୁଇଥର ୩୦୦ରୁ ଅଧିକ ରନ୍‌ ସଂଗ୍ରହ ହୋଇଛି। ପ୍ରଥମତଃ ୧୯୯୮ ମସିହାରେ ଭାରତ ଓ ଜିମ୍ବାେଓ୍ଵ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମ ପାଳିରେ ୩୦୧ ରନ୍‌ କରିଥିଲା। ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ (୧୫୩) ଓ ଅଜୟ ଜାଡେଜା (୧୧୬)ଙ୍କ ମଧ୍ୟରେ ୨୭୫ ରନ୍‌ର ଭାଗୀଦାରି ଯୋଗୁଁ ପ୍ରଥମ ଥର ବାରବାଟୀରେ ଭାରତ ୩୦୦ ରନ୍‌ ଅତିକ୍ରମ କରିଥିଲା। ଏହି ମ୍ୟାଚ୍‌କୁ ଭାରତ ୩୨ ରନ୍‌ରେ ଜିତି ଯାଇଥିଲା। ସେହିପରି ଦ୍ୱିତୀୟ ଘଟଣାକ୍ରମରେ ଗତ ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ପାଳିରେ ୩୬୩ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା।
ଆଜିଙ୍କ୍ୟ ରାହାଣେ (୧୧୧) ଓ ଶିଖର ଧାଓ୍ଵନ (୧୧୩)ଙ୍କ ଦ୍ୱିଶତକୀୟ (୨୩୧) ଭାଗୀଦାରି ଏବଂ ସୁରେଶ ରାଇନା, ବିରାଟ କୋହଲି, ଅମ୍ବାତି ରାୟୁଡୁ, ରିଦ୍ଧିମାନ ଶାହା ଓ ଅକ୍ଷର ପଟେଲଙ୍କ ଦ୍ରୁତ ରନ୍‌ ସଂଗ୍ରହ ଯୋଗୁଁ ଭାରତ ନୂଆ କୀର୍ତ୍ତିମାନ କରିଥିଲା। ଏହି ମ୍ୟାଚ୍‌ରେ ଘରୋଇ ଦଳ ୧୬୯ ରନ୍‌ର ବିଜୟ ହାସଲ କରିଥିଲା। ଏବେ ପିଚ୍‌ ସଂପୂର୍ଣ୍ଣ ଭାବେ ବ୍ୟାଟିଂକୁ ସୁହାଉଥିବାରୁ ଏଥର ମଧ୍ୟ ଭାରତ ୩୦୦ରୁ ଅଧିକ ରନ୍‌ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ତେବେ ବାରବାଟୀରେ ଅପରାହ୍ନ ୫.୩୦ ପରେ ତଥା ପ୍ରଥମ ପାଳି ଶେଷ ପରେ କାକର ପଡ଼ିବା ଆରମ୍ଭ ହୋଇଯିବ। ଯାହାକି ଦ୍ୱିତୀୟ ପାଳି ବ୍ୟାଟିଂ କରୁଥିବା ଦଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ଓଡ଼ିଶା କ୍ରିକେଟ୍‌ ସଂଘର ମୁଖ୍ୟ କୁରେଟର ପଙ୍କଜ ପଟ୍ଟନାୟକ କହିଛନ୍ତି। ଏଭଳି ଉଦାହରଣ ୨୦୧୫ ଅକ୍ଟୋବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ ମୁକାବିଲାରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଭାରତ ୯୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଯାହାର ଫଳସ୍ୱରୁପ ଉତ୍ସୃଙ୍ଖଳ ଦର୍ଶକ ବୋତଲ ଫିଙ୍ଗା ଭଳି ଅମାନବୀୟ କାଣ୍ଡ ଘଟାଇଥିଲେ।