ଆଗୁଆ ସିରିଜ୍ ହାତେଇଲେ କୋହଲି ଆଣ୍ଡ କୋ

-କୋହଲି ପ୍ଳେୟାର ଅଫ୍ ଦି ମ୍ୟାଚ୍
-ୱାଙ୍ଖଡେ ଟେଷ୍ଟ: ଇନିଂସ୍ ଓ ୩୬ରନରେ ହାରିଲା ଇଂଲଣ୍ଡ
-୩-୦ରେ ସିରିଜ୍ ସୁଇପ୍
-୧୬ରୁ ଚେନ୍ନାଇରେ ୫ମ ଟେଷ୍ଟ
ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ୪ର୍ଥ ମ୍ୟାଚରେ ବିଜୟୀ ହୋଇ ଭାରତ ଆଗୁଆ ସିରିଜ୍ ସିଲ କରିଛି । କୋହଲି ସେନା ଅତିଥି ଇଂଲଣ୍ଡକୁ ଇନିଂସ୍ ଓ ୩୬ରନ୍ ବ୍ୟବଧାନରେ ହରାଇ ଏହି ସଫଳତା ପାଇଛି । ୨୩୫ରନର ଦ୍ୱିଶତକୀୟ ଇନିଂସ ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୪୦୦ ରନ୍ କରିଥିବା ବେଳେ ଭାରତ ୬୩୧ରନ୍ର ବିଶାଳ ସ୍କୋର କରିଥିଲା । ଫଳରେ ଦ୍ୱିତୀୟ ଇନିଂସ୍ ଇଂଲଣ୍ଡ ୫୫.୩ ଓଭରରେ ୧୯୫ରନ୍ କରିବା ସହ ପରାଜିତ ହୋଇ ସିରିଜ୍ ହାତଛଡା କରିଛି । ଅଶ୍ୱିନ ଦୁଇଟି ପାଳିରେ ୧୨ଟି ୱିକେଟ୍ ହାତେଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଗତକାଲି ୬ ୱିକେଟ୍  ହରାଇ ୧୮୨ ରନ୍‌ ସଂଗ୍ରହ କରିଥିବା ଭ୍ରମଣକାରୀ ଦଳ ଆଜି ସକାଳେ ଅଶ୍ବିନଙ୍କ ଶାଣିତ ସ୍ପିନ୍‌ ବୋଲିଂର ସାମ୍ନା କରି ନ ପାରି ମାତ୍ର ଏକ ଘଣ୍ଟା ମଧ୍ୟରେ ସମସ୍ତ ୱିକେଟ୍ ହରାଇ ପରାଜୟ ସ୍ୱୀକାର କରି ନେଇଛି। ଆଜି ସକାଳେ ଶେଷଦିନ ଦିବସ ଖେଳର ତୃତୀୟ ଓଭରରେ ଅଶ୍ୱିନ ଗତକାଲି ଅର୍ଦ୍ଧଶତକ ହାସଲ କରିଥିବା ଇଂଲଣ୍ଡର ବେୟାଷ୍ଟୋଙ୍କୁ ଆଉଟ୍‌ କରି ଭାରତ ବିଜୟ ପଥକୁ ସୁଗମ କରିଥିଲେ। ଗତକାଲିର ୫୦ ରନ ସହିତ ଆଜି ମାତ୍ର ୧ ରନ୍‌ ଯୋଡ଼ିବା ପରେ ବେୟାରଷ୍ଟୋ ଅଶ୍ୱିନଙ୍କ ଦ୍ୱାରା  ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇ ଯାଇଥିଲେ। ପରେ ପରେ ଅଶ୍ୱିନ ୱେକ୍ସଙ୍କୁ ଶୂନ୍ୟରେ କ୍ଲିନ୍‌ ବୋଲ୍ଡ କରି ନିଜର ୪ର୍ଥ ଉଇକେଟ୍‌ ହାସଲ କରିଥିଲେ। ପରେ ପରେ ଅଦିଲ ରସିଦଙ୍କୁ ୨ ରନରେ ରାହୁଲଙ୍କ ଦ୍ୱାରା କ୍ୟାଚ୍‌ କରି ନିଜର ୨୪ ତମ ୫ମ ୱିକେଟ୍ ସଫଳତା ହାସଲ କରିଛନ୍ତି। ଇଂଲଣ୍ଡ ୫୫.୩ ଓଭର ସୁଦ୍ଧ୧୯୫ ରନ୍‌ କରି ଅଲ ଆଉଟ୍ ହୋଇଛି। ଶେଷ ୱିକେଟ୍ ଭାବେ ଅଶ୍ୱିନ ଆଣ୍ଡରସନଙ୍କୁ ଉମେଶ ଯାଦବଙ୍କ ଦ୍ୱାରା କ୍ୟାଚ୍ କରି ଭାରତକୁ ଏହି ସଫଳତା ଦେଇଛନ୍ତି। ଗତକାଲିର ଅସମାପ୍ତ ୧୮୨ ରନରେ ଆଉ ମାତ୍ର ୧୩ ରନ୍‌ ଯୋଗ କରିବା ପରେ ଇଂଲଣ୍ଡ ଦଳ ଅଲ ଆଉଟ୍‌ ହୋଇ ଯାଇଛି। ସେହିପରି ଭାରତର ବିଜୟ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲର ରବିଚନ୍ଦ୍ରନ ଅଶ୍ୱିନ । ଏହି ଟେଷ୍ଟର ଦୁଇଟି ଇନିଂସରେ ମିଶି ସେ ୧୨ଟି ୱିକେଟ୍ ନେଇଛନ୍ତି। ଟେଷ୍ଟରେ ଅଧିକ ଥର ୫ଟି ୱିକେଟ୍ ନେଇଥିବା ଭାରତୀୟଙ୍କ ତାଲିକାରେ ସେ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ଏହି ଟେଷ୍ଟର ପ୍ରଥମ ଇନିଂସରେ ୬ଟି ୱିକେଟ୍ ନେଇ ସେ କପିଲ ଦେବଙ୍କ ସମକକ୍ଷ ହୋଇଥିଲେ। କପିଲ୍ ୧୩୧ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୨୩ ଥର ୫ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ମାତ୍ର ୪୩ଟି ଟେଷ୍ଟରେ ତାଙ୍କର ସମକକ୍ଷ ହୋଇଥିଲେ। ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଶ୍ୱିନ ପୁଣି ଥରେ ୬ଟି ୱିକେଟ୍ ହାତେଇଛନ୍ତି । ସେ ୪୩ଟି ମ୍ୟାଚ୍ ଓ ୮୦ଟି ଇନିଂସରୁ ୨୪ ଥର ୫ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ତାଙ୍କ ଆଗରେ ଅଛନ୍ତି ହରଭଜନ ସିଂ ଓ ଅନୀଲ କୁମ୍ବଲେ। ହରଭଜନ ସିଂ ୧୦୩ଟି ମ୍ୟାଚ୍ ଓ ୧୯୦ଟି ଇନିଂସ ଖେଳି ୨୫ ଥର୫ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଏଣୁ ହରଭଜନଙ୍କୁ ସହଜରେ ଟପିଯିବେ ଅଶ୍ୱିନ। ଏହି ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ଅନୀଲ କୁମ୍ବଲେ। ସେ ୧୩୨ଟି ଟେଷ୍ଟ ଓ ୨୩୬ଟି ଇନିଂସ ଖେଳି ୩୫ ଥର ୫ଟି ୱିକେଟ୍ ହାତେଇଛନ୍ତି।