ବ୍ରିକ୍‌ସ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବ୍ରାଜିଲ ଚମ୍ପିଆନ

ମାଡ୍‌ଗାଓଁ : ଏଠାରେ ଚାଲିଥିବା ୧୭ ବର୍ଷରୁ କମ ବ୍ରିକ୍‌ସ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ରାଜିଲ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବ୍ରାଜିଲ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ୨୪ ମିନିଟରେ ସାମ୍ପିଓ ଫିଲୋ ଗୋଲ ସ୍କୋର କରି ବ୍ରାଜିଲକୁ ୧-୦ରେ ଆଗୁଆ କରିଥିଲେ । ୩୫ ମିନିଟରେ ଭିକ୍ଟୋର ଗାବ୍ରିଏଲ ପେନାଲଟି କିକ୍‌ରୁ ଆଉ ଏକ ଗୋଲ ଦେଇ ଏହି ବ୍ୟବଧାନ ୨-୦କୁ ବୃଦ୍ଧି କରିଥିଲେ । ୪୦ ମିନିଟରେ ମୌରା ଡି’ ଓଲିଭିରାଙ୍କ ଗୋଲ ବଳରେ ବ୍ରାଜିଲ ମଧ୍ୟାନ୍ତର ସୁଦ୍ଧା ୩-୦ ଗୋଲରେ ଆଗୁଆ ରହିଥିଲା । ବିରତି ପରେ ଓଲିଭିରା ନିଜର ଦ୍ୱିତୀୟ ତଥା ଦଳ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ । ୮୯ ମିନିଟରେ ସିମିସୋ ବୋଫେଲା ଦକ୍ଷିଣ ଆଫ୍ରିକା ପକ୍ଷରୁ ସାନ୍ତ୍ୱନାମୂଳକ ଗୋଲ ସ୍କୋର କରି ଏହି ବ୍ୟବଧାନ ୪-୧କୁ ହାସ କରିଥିଲେ । ଇନ୍‌ଜୁ୍ୟରି ଟାଇମ୍‌ର ୯୧ ମିନିଟରେ ସୌର୍ଜା ଗୁଇମାରାଇସ୍‌ ଗୋଲ ଦେବାରୁ ବ୍ରାଜିଲ ୫-୧ରେ ବିଜୟୀ ହୋଇଥିଲା । ସୂଚନାଯୋଗ୍ୟ ଲିଗ୍‌ ପର୍ଯ୍ୟାୟରେ ବ୍ରାଜିଲ ୩-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।
ଚୀନକୁ ୨-୧ ଗୋଲରେ ପରାସ୍ତ କରି ରୁଷ ଟୁର୍ଣ୍ଣାମେଣ୍ଟରେ ୩ୟ ସ୍ଥାନ ହାସଲ କରିଛି । ୩୪ ମିନିଟରେ ତାଓ କ୍ୱିଆଙ୍ଗ୍‌ଲଙ୍ଗ୍‌ ଗୋଲ ସ୍କୋର କରି ଚୀନକୁ ୧-୦ରେ ଆଗୁଆ କରିଥିଲେ । ୬୯ ମିନିଟରେ ରୁଷ ପକ୍ଷରୁ କିରିଲ ଗୋଲଟି ପରିଶୋଧ କରିଥିଲେ । ୮୪ ମିନିଟରେ ଚେଲିଜ୍‌ ଜିଓର୍ଗି ଗୋଲଦେବାରୁ ରୁଷ ୨-୧ରେ ବିଜୟୀ ହୋଇଥିଲା ।