୧୫ରେ ଘୂର୍ଣ୍ଣିବଳୟ

https://www.facebook.com/nnsodia/videos/267154983995629/?t=5
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ଛତିଶଗଡ଼ରୁ ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଆଡ଼କୁ ଗତି କରିଛି। ଫଳରେ ଓଡ଼ିଶା ଉପରେ ଏହାର ପ୍ରଭାବ ଆପାତତଃ ଶୂନ। ଆସନ୍ତା ୧୫ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଆଖପାଖ ସ୍ଥଳଭାଗ ଉପରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ସୂଚନାନୁସାରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ସକ୍ରିୟ ରହିଛି। ତା’ର ପ୍ରଭାବରେ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତୀରଣ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା କମ୍‌। ଆସନ୍ତା ସପ୍ତାହଟି ଏଭଳି ଖରା-ବର୍ଷା ମଧ୍ୟରେ କଟିବ। ଖରା ହେଲେ ଘଡ଼ଘଡ଼ି, ବିଜୁଳି ଏବଂ ବଜ୍ରପାତ ସହିତ ବର୍ଷା ହେବ।  ଫଳରେ ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ୨ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଅଗଷ୍ଟ ୧୫ ବେଳକୁ ପାଣିପାଗରେ ପରିବର୍ତନ ଆସିପାରେ। ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ଯାଇ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୦ ମିଲିମିଟର ବର୍ଷା ରାଜଗାଙ୍ଗପୁର, ନରାଜ, ବାଙ୍କିରେ ହୋଇଥିଲା। ସେହିପରି ତିଗିରିଆ, ମୁଣ୍ଡୁଳୀ, କୋଲାବିରା, ବାମରାରେ ୬୦ ମି.ମି., ବ୍ରହ୍ମଗିରି, ପୁରୀ, ବଡ଼ଗାଁରେ ୫୦ ମି.ମି., ଫିରିଙ୍ଗିଆ, ଲଖନପୁର, ଛେଣ୍ଡିପଦାରେ ୪୦ ମି.ମି., ନୂଆଗଡ଼, ମନ୍ଦିରାଡ୍ୟାମ, ବନ୍ତ, ଲଇକେରା, ବେଲ୍‌ଗାଁ, ପଦମ୍‌ପୁରରେ ୩୦ ମି.ମି., କୁଜଙ୍ଗ, କଣ୍ଟାପଡ଼ା, ସତ୍ୟବାଦୀ, ବାଲିପାଟଣା, ମୋହନା, ବାଣପୁର, ସୁନ୍ଦରଗଡ଼, କେସିଙ୍ଗା, ଦିଗପହଣ୍ଡିରେ ୨୦ ମି.ମି. ବର୍ଷା ହୋଇଥିଲା। ଆଜି ପ୍ରତ୍ୟୁଷରେ ଭୁବନେଶ୍ୱରରେ ଘଡ଼ଘଡ଼ ସହିତ ୨୮.୯ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ସର୍ବାଧିକ ୪୮ ମି.ମି. ବର୍ଷା କେନ୍ଦୁଝରରେ ହୋଇଥିବା ବେଳେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ୧୪ ମି.ମି. ବର୍ଷା ହୋଇଛି।

ମତାମତ ଦିଅନ୍ତୁ

Please enter your comment!
Please enter your name here