You are here
Home > ଏକ୍ସକ୍ଲୁସିଭ୍ > ୧୩ ପାଖୁଡାରୁ ୬ ସତେଜ

୧୩ ପାଖୁଡାରୁ ୬ ସତେଜ

ଭୁନେଶ୍ୱର: ପାରାଦୀପ, ପଟ୍ଟମୁଣ୍ଡାଇ ଓ ଅନୁଗୁଳରେ ସଦ୍ୟ ସମାପ୍ତ ପୌର ଉପନିର୍ବାଚନରେ ବିଜୟୀ ହୋଇ ଆତ୍ମସନ୍ତୋଷ ଲାଭ କରିଛି ବିଜୁ ଜନତା ଦଳ । ମାତ୍ର ଏହି ଖୁସିର ଜୁଆରରେ ଭଟ୍ଟା ପକାଇଛି ରିପବ୍ଲିକ୍ ନ୍ୟୁଜ୍ ଚ୍ୟାନେଲ୍ । ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ୧୩ଟି ଲୋକସଭା ଆସନ ହାତେଇବ ବୋଲି ପୂର୍ବାନୁମାନ ଲଗାଇଛି ରିପବ୍ଲିକ୍ । ଆଉ ୧୭ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତା ଦଖଲ କରିଥିବା ବିଜେଡି ଖାତାକୁ ବର୍ତ୍ତମାନର ୨୦ ଆସନ ମଧ୍ୟରୁ ମାତ୍ର ୮ଟି ଲୋକସଭା ଆସନ ଆସିବ ବୋଲି କୁହାଯାଇଛି । ଏହି ସର୍ଭେ ରିପୋର୍ଟରେ ଦେଶର ୬୨.୭ ପ୍ରତିଶତ ଭୋଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଦେଉଥିବା ସମୟରେ ମାତ୍ର ୧୨.୬ ପ୍ରତିଶତ ଭୋଟର ରାହୁଲ ଗାନ୍ଧିଙ୍କୁ ସପକ୍ଷରେ ଥିବା ଦର୍ଶାଯାଇଛି । ମାତ୍ର ନବୀନଙ୍କ ଲୋକପ୍ରିୟତା ନେଇ କୌଣସି ଆକଳନ କରାଯାଇନାହିଁ । ସେ ଯାହା ବି ହେଉ ସି-ଭୋଟର ଓ ରିପବ୍ଲିକ ଟିଭିର ଏହି ଓପିନିଅନ ପୋଲ ବିଜେଡି ମୁଖିଆଙ୍କ ନିଦ ହଜାଇ ଦେଇଛି ।
ରିପବ୍ଲିକ ଟିଭିର ଏହି ସର୍ଭେ କେତେଦୂର ବାସ୍ତବ ତାହା କହିବା ମୁସ୍କିଲ୍ । କିନ୍ତୁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ କହୁଛି ବିଜେଡି ପାଇଥିଲା ୪୦.୮୧ ପ୍ରତିଶତ ଭୋଟ ଯାହାକି ୨୦୧୪ ନିର୍ବାଚନ ତୁଳନାରେ ଥିଲା ୨.୫୯ ପ୍ରତିଶତ କମ ଭୋଟ୍ । ଆଉ ବିଜେପି ଖାତାକୁ ଆସିଥିଲା ୩୩.୦୩ ପ୍ରତିଶତ ଭୋଟ । ହିସାବ ଅନୁସାରେ ୨୦୧୪ ନିର୍ବଚାନ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ ଭୋଟ ପାଇଥିଲା ବିଜେପି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ପାଇ ବିଜେପି ଓଡିଶାରେ ଚମକିଛିି ସତ ମାତ୍ର କିଛି ବରିଷ୍ଠ ଓ ଟାଣୁଆ ନେତା ଏହାରି ମଧ୍ୟରେ ଦଳରେ ଥାଇ ବି ବିଦ୍ରୋହ ଡାକରା ଦେଇଛନ୍ତି । ଷ୍ଟଲୱାଟ ବିଜୟ ମହାପାତ୍ର ଦଳୀୟ କାର୍ଯ୍ୟାଳୟରୁ ମୁହଁ ଫେରାଇ ନେଲେଣି । ସେପଟେ ଟାଣୁଆ ସଂଗଠକ ସୌଦାନ ସିଂଙ୍କ ପରି ନେତା ଓଡିଶା ସଂଗଠନ ଦାୟିତ୍ୱରେ ଥିଲେ ବି ଦିଲୀପ ରାୟ ଧୀରେ ଧୀରେ ହାତମୁଠାରୁ ଖସି ଯାଉଛନ୍ତି । ତେଣୁ ଏପରି ହେଲେ ବିଜେପି ପାଇଁ ନିର୍ବାଚନ ଜିଣିବା ସେତେଟା ସହଜ ହେବନି । ଦିଲୀପ ରାୟ କରଛଡା ଦେଲେ ବିଜେପି ହାତରେ ଥିବା ଏକମାତ୍ର ଆସନ ସୁନ୍ଦରଗଡ ବି ହାତରୁ ଖସି ଯାଇପାରେ । କାରଣ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ କ୍ଷେତ୍ରରେ ଦିଲୀପଙ୍କର ରହିଛି ଅଖଣ୍ଡ ପ୍ରଭାବ । ସେପଟେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ନୂଆ ଦଳ ଗଠନ କରିବାକୁ ସଜବାଜ ହେଲେଣି । ତେଣୁ କେନ୍ଦୁଝର ଆସନ ଉପରେ ଆଖି ରଖିଥିବା ବିଜେପି ପାଇଁ ନିର୍ବାଚନ ଜିଣିବା ସେତେଟା ସହଜ ହେବନି । କାରଣ ସନା ମହାକୁଡ ଦଳ ଗଠନ କଲେ ବିଜେଡିର ବିଜୟ ରାସ୍ତା ସୁଗମ ହେବ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଜୟ ପଣ୍ଡାଙ୍କ ଉପରେ ଆଖି ରଖିଛି ବିଜେପି । ବୈଜୟନ୍ତ ଯଦି ନବୀନଙ୍କୁ ଗୁଡ୍ ବାଏ କରି ବିଜେପିର ଆଶ୍ରିତ ହୁଅନ୍ତି ତେବେ ଯାଇ କେନ୍ଦ୍ରାପଡାରେ ପଦ୍ମ ଫୁଟିପାରେ ବୋଲି ଅନୁମାନ କରାଯାଉଛି । କାରଣ ଇତି ମଧ୍ୟରେ ଦୋଳଗୋବିନ୍ଦ ନାୟକ, ଉକ୍ରଳ ପରିଡାଙ୍କ ପରି ପୂର୍ବତନ ବିଧାୟକମାନେ ବିଜେପିର ହାତ ଧରିସାରିଛନ୍ତି । ଆଗାମୀ ଦିନରେ କଂଗ୍ରେସର କଥାକୁହା ନେତା ଗଣେଶ୍ୱର ବେହେରାଙ୍କ ବିଜେପି ମିଳନକୁ ନେଇ ଜୋରଦାର ଚର୍ଚ୍ଚା । ଏପରି ହେଲେ କେନ୍ଦ୍ରାପଡା ଲୋକସଭା ଆସନ ବିଜେପି ହାତକୁ ଯିବାର ସମ୍ଭାବନା ବେଶି । ମାତ୍ର ବିଜୟ ମହାପାତ୍ରଙ୍କ ବିଦ୍ରୋହକୁ ବି ଅଣଦେଖା କରାଯାଇ ନପାରେ । କାରଣ ନିର୍ବାଚନ ସମୟରେ ବିଜୟ ବିଜେପିର ମୁସ୍କିଲ ବଢାଇ ଦେଇପାରନ୍ତି । ସେପଟେ ପିପିଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଶ୍ରିତ ପଟ୍ଟନାୟକ ଓ ନୟାଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଲାଲା ମନୋଜ ରାୟ ବିଜେପିର ହାତ ଧରିଛନ୍ତି । କଂଗ୍ରେସର ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ପରିବାର ବି ବିଜେପିକୁ ଆପଣେଇ ନେଇଛି । ଆଉ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ ବିଜେପିରେ ମିଶିପାରନ୍ତି । ତେଣୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକଙ୍କୁ ଲଢାଇ ପୁରୀ ଲୋକସଭା ଆସନକୁ ବିଜେପି ନିଜ ଫୋଲ୍ଡକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ପୂର୍ବତନ ପୋଲିସ ଡଜି ପ୍ରକାଶ ମିଶ୍ରଙ୍କ ଯଦି କଟକରୁ ଲଢନ୍ତି, ତାହେଲେ ବିଜେପି ଖାତାକୁ ଆଉ ଏକ ଲୋକସଭା ଆସନ ଆସିପାରେ ।
ମାତ୍ର ପଞ୍ଚାୟତ ନିର୍ବାଚନର ଫଳାଫଳ କହୁଛି ସମ୍ବଲପୁର, ବରଗଡ,ବଲାଙ୍ଗୀର,କଳାହାଣ୍ଡି, ନବରଙ୍ଗପୁର ଓ ମୟୁରଭଞ୍ଜ ପରି ୬ଟି ଲୋକସଭା ଅସନରେ ବିଜେପି ଜିଣିବା ନିଶ୍ଚିତ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୨ଟିରେ ଆଜି ଯାଏଁ କେବେ ବି ଖାତା ଖୋଲିପାରିନି ଭାରତୀୟ ଜନତା ପାର୍ଟି । ଏପରି ସମୟରେ ସି-ଭୋଟର ଓ ରିପବ୍ଲିକ ଟିଭିର ଓପିନିଅନ ପୋଲରେ ବିଜେପି ହାତକୁ ୧୩ଟି ଆସନ ଆସିବା ଖବର କେଉଁଠି ନା କେଉଁଠି ଓଡିଆଙ୍କ ଜନମତର ଅନ୍ତସ୍ରୋତ ବିଜେପି ସପକ୍ଷରେ ଯାଉଛି ବୋଲି ସବୁଠି ଚର୍ଚ୍ଚା ହେଲାଣି । ବିଜେପିର ନିଜସ୍ୱ ସର୍ଭେ ରିପୋର୍ଟ ଅନୁସାରେ ଓଡିଶାବାସୀ ନବୀନଙ୍କୁ ଭଲ ପାଉଛନ୍ତି, କିନ୍ତୁ ବିଜେଡିର ବିକଳ୍ପ ଖୋଜୁଛନ୍ତି । ଆଉ ରିପବ୍ଲିକର ସର୍ଭେ ରିପୋର୍ଟ କହୁଛି ବିଜେଡିି ସମର୍ଥନରେ ୩୩.୪ ପ୍ରତିଶତ ଭୋଟର ରହିଛନ୍ତି । ଆଉ ବିଜେପି ପକ୍ଷରେ ଅଛନ୍ତି ୩୯ ପ୍ରତିଶତ ଭୋଟର । ଆଉ ଏଭଳି ସମୟରେ ଡିଶା ଆଇଏଏସ ଅଧିକାରୀଙ୍କୁ ନିଜ ପକ୍ଷକୁ ନେବା ଲାଗି ଉଦ୍ୟମ କରୁଛି ବିଜେପିର ଦିଲ୍ଲୀ ନେତୃତ୍ୱ । ଯେଉଁ ଅଧିକାରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ବିଜେଡିର ଭୋଟ ବ୍ୟାଙ୍କକୁ ମଜଭୁତ କରିଥିଲେ, ସେହି ଅଧିକାରୀମାନେ ଏବେ ବିଜେପି ପକ୍ଷକୁ ଢଳୁଥିବା ଖବର ମିଳୁଛି । ଦିଲ୍ଲୀର ଓଡିଆ ଆଇଏଏସ ଲବି ଏବେ ବିଜେଡି ଭୋଟ ସିନ୍ଧୁକରେ ହାତ ମାରିବା ଦାୟିତ୍ୱ ନେଇଥିବା ଖବର ରହିଛି । ଆଉ ବିଜେପିର ସବୁ ପ୍ଲାନ ଯଦି ସଫଳ ହେବ, ତେବେ ରିପବ୍ଲିକ ଓପିନିଅନ ସତ ହୋଇପାରେ ।
ଏହାରି ଭିତରେ ବିଜେପି ସହ ସଂଗଠନ ସମ୍ପାଦକ ସୌଦାନ ସିଂ ବୁଥ୍ ସମ୍ଭାଳୁ ଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନୀଲ ଜୈନ, ଓ ଅରୁଣ ସିଂଙ୍କ ପରି ନେତା ଓଡିଶାର ଲୋକସଭା ନିର୍ବାଚନ ମଣ୍ଡଳୀଗଡ ଜଗିଛନ୍ତି । ତେବେ ରପ୍ପବ୍ଲିକ ଟିଭିର ଆକଳନ ଯାହା ହେଉନା କାହିଁକି ଯଦି ପଞ୍ଚାୟତ ନିହବାଚନ ଫଳାଫଳକୁ ଦେଖାଯାଏ ଏତିକି କୁହାଯାଇପାରେ ସି-ଭୋଟର ଓ ରିପବ୍ଲିକ ଟିଭିର ଏହି ଓପିନିଅନ ପୋଲ ଅନୁସାରେ ବିଜେପିକୁ ମିଳୁଥିବା ୧୩ ସିଟରୁ ୬ ଏବେ ସତେଜ ଅଛି ।

Loading...
ONA

Leave a Reply

Top