You are here
Home > ଲାଟେଷ୍ଟ > ଭୁବନେଶ୍ୱରରେ ହେବ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକ

ଭୁବନେଶ୍ୱରରେ ହେବ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକ

ଭୁବନେଶ୍ୱର : ସେଂଟର ଫର ହାଇ ଟେକ୍ନୋଲଜି (ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ ଉପଗ୍ରହିକ ଅନୁଷ୍ଠାନ) ଏବଂ ଭାରତୀୟ ତୈଳ ନିଗମର ମିଳିତ ସହଭାଗିତାରେ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପ ଆଧାରିତ ବୈଷୟିକ ବୈଠକ ଭୁବନେଶ୍ୱରଠାରେ ଚଳିତ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ବୈଠକକୁ ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ । ନୂତନ ଭାରତ ପାଇଁ ଏକ ସମୃଦ୍ଧିଶାଳୀ ପୂର୍ବ ନିମନ୍ତେ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିିବା ପାଇଁ ଭାରତ ସରକାର “ଲୁକ୍ ଇଷ୍ଟ ନୀତି” ଏବଂ “ପୂର୍ବୋଦୟ” ନୀତି ଗ୍ରହଣ କରିଛନ୍ତି । ଓଡ଼ିଶାକୁ ପୂର୍ବ ଭାରତର ପ୍ରବେଶ ପଥ ଭାବେ ଦର୍ଶାଯାଉଥିବାରୁ, ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚଳିତ ବର୍ଷ ଭୁବନେଶ୍ୱରଠାରେ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକ (ଆର୍ପିଟିଏମ୍) ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ବୈଠକରେ ଭାରତୀୟ ତୈଳ କ୍ଷେତ୍ରରେ ଥିବା ପ୍ରତିଷ୍ଠିତ ଶକ୍ତି ସଂପାଦନ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ହେଉଛି “ହାଇଡ୍ରୋକାର୍ବନ୍ର ଡାଉନ୍ଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ନୂତନ ଧାରା” । ଏହି ବୈଠକ ହାଇଡ୍ରୋକାର୍ବନ୍ କ୍ଷେତ୍ର, ପେଟ୍ରୋକେମିକାଲ୍ସ, ବୈଦ୍ୟୁତିକ ଯାନବାହନ ଏବଂ ବିଶୋଧନ ବ୍ୟବସାୟ, ଶକ୍ତି ସଂରକ୍ଷଣ, ଜୈବ-ମାସ୍ରୁ ଜୈବିକ ଇନ୍ଧନ, ବାଉଁଶ ଫିଡ୍ଷ୍ଟକ୍ରୁ ଜୈବିକ ବିଶୋଧନ ଆଦି କ୍ଷେତ୍ରରେ ବୈଷୟିକ ଅଭିବୃଦ୍ଧି ନିମନ୍ତେ ବିଶ୍ୱ ମାନଦଣ୍ଡରେ ସୁବିଧା ପ୍ରଦାନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ସହାୟକ ହେବ ।

ଭାରତ ଏବଂ ଭାରତ ବାହାରୁ ପ୍ରାୟ ୯୦୦ ତୈଳ ବ୍ୟବସାୟ କମ୍ପାନୀ ଏହି ୩ ଦିନିଆ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ତନ୍ମଧ୍ୟରୁ ଦେଶ ବାହାରୁ ୪୪ ଟି ବିଶ୍ୱସ୍ତରୀୟ କମ୍ପାନୀର ପ୍ରାୟ ୧୦୦ ଜଣ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବେ । ଏହି ବୈଠକରେ ତୈଳ କମ୍ପାନୀର ଅଧିକାରୀ ଏବଂ ବିଶେଷଜ୍ଞମାନେ ହାଇଡ୍ରୋକାର୍ବନ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ସେମାନଙ୍କ ମତାମତ ଓ ବିଚାର ବାଂଟିବେ । ବିଶ୍ୱର ପ୍ରମୁଖ ପରାମର୍ଶଦାତା / ବୈଷୟିକ ଜ୍ଞାନକୌଶଳ ପ୍ରଦାନକାରୀ ସଂସ୍ଥା ଯେପରିକି ସେଲ୍, ହନିୱେଲ ୟୁଓପି, ଚେଭରନ୍, ଏକ୍ସନମୋବିଲ, ହାଲଡୋର ଟୋପସୋଏ, ଆକ୍ସେନସ୍, ଡ୍ୟୁପଂଟ, କେବିଆର୍, ଜିଟିସି, ଆଇସିଆଇଏସ୍, ଇନ୍ଭିଷ୍ଟା, ବେକ୍ଟେଲ, ଫ୍ଲୁଓର ଡାନିଏଲ, ଲିଣ୍ଡେ, ଡୋ’, ଜେଏନ୍ସି ଜାପାନ, ପେଟ୍ରୋନସ, ଜିସି ଋଷିଆ, କେଏନ୍ଟି ଋଷିଆ, ଟିସିସି ଚାଇନା, ଆଲବେମାରଲେ ଆଦି କମ୍ପାନୀଗୁଡ଼ିକ ଯୋଗଦାନ କରିବେ ଏବଂ ବୈଷୟିକ ଜ୍ଞାନକୌଶଳ ମଧ୍ୟ ପ୍ରଦର୍ଶନ କରିବେ । ପ୍ରଥମଥର ପାଇଁ ୠଷିଆ, ଜାପାନ, ଚାଇନା, ମାଲେସିଆ, ୟୁଏଇ ଏବଂ ବିଶ୍ୱର ପ୍ରାୟତଃ ୫୦ଟି ଦେଶର ପ୍ରତିନିଧିମାନେ ଉକ୍ତ ବୈଠକରେ ଯେଉଁମାନେ କି ସେମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିଛନ୍ତି । ଏହି ବୈଠକର ବିଷୟବସ୍ତୁ ରିଫାଇନିଂ, ପେଟ୍ରୋକେମିକାଲ, ରିଫାଇନିଂ ଏବଂ ତଦୁର୍ଦ୍ଧ, ରିଫାଇନିଂ ଟେକ୍ନୋଲୋଜିର ଉନ୍ନତ ଜ୍ଞାନ କୌଶଳ, ରିଫାଇନିଂରେ ନୂତନ ଉଦ୍ଭାବନ, ଗ୍ୟାସୀଫିକେସନ, ପିଭିସି, ଷ୍ଟିରିନ ଏବଂ ଡେରିଭେଟିଭ୍ସ, ଓଲେଫିନ୍ସ, ଶକ୍ତି ସମ୍ପନ୍ନ ବିକାଶ, ଉନ୍ନତ ଅତ୍ୟାଧୁନିକ ପରିଚାଳନା, ଜୈବମାସ ଉନ୍ନତିକରଣ, ୨ ଜି ଇଥୋନେଲ, ସ୍ୱଂୟଚାଳନା ଆଦି ଉପରେ ଆଧାରିତ ପ୍ରାୟ ୧୫ ଟି ବୈଷୟିକ ଅଧିବେଶନରେ ପ୍ରାୟତଃ ୬୯ ଟି ମୌଖିକ ଉପସ୍ଥାପନ (୪୬ ଟି ବିଦେଶୀ କମ୍ପାନୀକୁ ମିଶାଇ) କିଛି ଉତ୍ସାହଜନକ ବିଷୟ ଅଧ୍ୟୟନ ଦ୍ୱାରା ସମୃଦ୍ଧ ହୋଇପାରିବ । ପୋଷ୍ଟର ଅଧିବେଶନରେ ଆହୁରି ୭୯ ଟି ବୈଷୟିକ ରିପୋର୍ଟ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ବିକ୍ରେତା, ପରାମର୍ଶକାରୀ ଓ ସେବା ପ୍ରଦାନକାରୀମାନଙ୍କ ଦ୍ୱାରା ଅଭିନବ ଜ୍ଞାନକୌଶଳ, ଦ୍ରବ୍ୟ ଓ ସେବା ସମ୍ବନ୍ଧିତ ପ୍ରାୟ ୧୨ ଟି ଷ୍ଟଲ ପ୍ରଦର୍ଶନୀରେ ସ୍ଥାନ ପାଇବ । ଏତଦ୍ବ୍ୟତୀତ ଏହି ବୈଠକରେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଭାଗ ନେବାକୁ ଥିବା ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଏକ ବିଶେଷ ଆଲୋଚନା କରିବେ । ଏଥିରେ ଭୁବନେଶ୍ୱରଠାରେ ବିଭିନ୍ନ ବୈଷୟିକ ଅନୁଷ୍ଠାନ ଗୁଡ଼ିକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ନେଇ ଆଲୋଚନା କରାଯିବ ।

“୨୦୪୦ ସୁଦ୍ଧା ବିଶୋଧନ ଦକ୍ଷତାରେ ଅଭିବୃଦ୍ଧି” ସମ୍ପର୍କିତ ଏକ ରିପୋର୍ଟ ମଧ୍ୟ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି ।ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ସଚିବ ଶ୍ରୀ କେ ଡି ତ୍ରିପାଠୀ, ଜାପାନର ରାଷ୍ଟ୍ରଦୂତ ମହାମହିମ ଶ୍ରୀ କେଞ୍ଜି ହିରାମାସୁ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ବିଶୋଧନ) ଶ୍ରୀ ସନ୍ଦୀପ ପୌଣ୍ଡ୍ରିକ, ଆଇଓସିଏଲ୍ର ଅଧ୍ୟକ୍ଷ ଶ୍ରୀ ସଞ୍ଜିୀବ ସିଂ, ସିଏଚ୍ଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବ୍ରିଜେଶ କୁମାର, ତୈଳ କମ୍ପାନୀର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ବୃନ୍ଦ, ବିଭିନ୍ନ ବିଶ୍ୱ ତଥା ଭାରତର ବିଭିନ୍ନ ଉପଦେଷ୍ଟା ସଂସ୍ଥାନର ମୁଖ୍ୟ ଅଧିକାରୀବୃନ୍ଦ, ବୈଷୟିକ ଜ୍ଞାନ କୌଶଳ ଯୋଗାଣକାରୀ, ଗବେଷଣା ଏବଂ ବିକାଶ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୈଠକକୁ ଉଦ୍ଘାଟନ କରିବେ ।

Loading...
ONA

Leave a Reply

Top