You are here
Home > ଏକ୍ସକ୍ଲୁସିଭ୍ > ହାତକୁ ଦୂରୁ ଜୁହାର

ହାତକୁ ଦୂରୁ ଜୁହାର

ବରଗଡ(ଶାନ୍ତନୁ ବିଶ୍ୱାଳ): ଗତ ଅଗଷ୍ଟ ୨୨ରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହେଲା । ସେବେଠାରୁ ଏହି ଆସନ ଖାଲି ପଡିଛି । ସୁବଳଙ୍କ ପରଲୋକ ପରେ ତାଙ୍କ ସ୍ତ୍ରୀ ରୀତା ସାହୁ ଓ ନିଜର ୨ ପୁଅ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ । ମିଶ୍ରଣ ଉତ୍ସବର ୨ଦିନ ପରେ ସୁବଳଙ୍କ ପତ୍ନୀ ରୀତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଯାହାକି କଂଗ୍ରେସ ଶିବିର ପାଇଁ ଶକ୍ତ ଧକ୍କା ଥିଲା । ବିଗତ ଦେଢ ଦଶନ୍ଧି ସୁବଳ ସାହୁଙ୍କ ନେତୃତ୍ୱରେ ବିଜେପୁର କଂଗ୍ରେସର ସକ୍ରିୟ ଗଡ ଥିଲା । ତେଣୁ ସୁବଳଙ୍କ ଅବର୍ତ୍ତମାନରେ କିଏ ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ହେବେ, ସେନେଇ ସସ୍ପେନସ୍ ଜାରି ରହିଛି ।
୨୪’ଫେବ୍ରୁଆରି, ୨୦୧୮ରେ ବିଜେପୁର ଉପନିର୍ବାଚନ ହେବ । ହେଲେ ବିଜେଡିକୁ ବାଦ୍ ଦେଲେ ନା କଂଗ୍ରେସ ନା ବିଜେପି, କେହି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାନ୍ତି । ବିଜେଡିର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି । ଅନୁମାନ, ଅଶୋକ ବିଜେପି ପ୍ରାର୍ଥୀ ହେବେ । ହେଲେ ଦଳୀୟ କନ୍ଦଳରେ ମାତିଥିବା କଂଗ୍ରେସ ଶିବିରରୁ ଏଯାଏ କିଛି ବି ଶବ୍ଦ ଶୁଭୁନି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ଅସନ୍ତୋଷ ସହ ପଞ୍ଚାୟତ ନିର୍ବାଚନ ପରାଜୟ ଦଳକୁ ବ୍ୟାକଫୁଟ୍କୁ ନେଇ ଆସିଛି । ଏପରି ସ୍ଥିତିରେ କଂଗ୍ରେସର ବିଜେପୁର ରାଜନୀତିର ଅଙ୍କକଷା ହୋଇ ପାରୁନଥିବା ପରି ମନେ ହେଉଛି ।
ସେପଟେ ପ୍ରସାଦ କେବଳ ବିଜେଡିକୁ ଟାର୍ଗେଟ କରିବାରେ ବ୍ୟସ୍ତ । ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ କଂଗ୍ରେସରୁ ଧାର୍ ନେଇ ବିଜେଡି ପ୍ରାର୍ଥୀ କରିଛି ବୋଲି ସିନା ପ୍ରସାଦ ଗର୍ଜନ କରୁଛନ୍ତି, କିନ୍ତୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ସେ ଦିଗରେ ହୁଏତ ଚିନ୍ତା କରୁନାହାନ୍ତି । ତେବେ ବିଜେପୁର କଂଗ୍ରେସକୁ ନେଇ ଆକଳନରେ ଦୁଇଟି ନାଁ ଆସୁଛି । ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ଓ ଗାଇସିଲଟ୍ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କ ମଧ୍ୟରେ କେହି ଜଣେ କଂଗ୍ରେସ ପ୍ରାର୍ଥୀ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ୧୯୯୫ ମସିହାରେ କଂଗ୍ରେସରୁ ବିଧାୟକ ହୋଇଥିବା ରିପୁନାଥ ସେଠ୍ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ହୋଇଥିଲେ । ହେଲେ ପ୍ରାୟ ଏକ ଦଶନ୍ଧି ହେଲା ସେ ବିଜେପୁର ରାଜନୀତିରୁ ଦୂରେଇ ଯାଇଛନ୍ତି । ସେପଟେ ପ୍ରଣୟ ବର୍ତ୍ତମାନ ଗାଇସିଲଟ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ତାଙ୍କ ପିତା ସ୍ୱର୍ଗତ ବୀରେନ୍ଦ୍ର ସାହୁ ମେଲଚ୍ଛାମୁଣ୍ଡାରୁ ତିନି ତିନି ଥର ବିଧାୟକ ହୋଇଥିଲେ । ୨ଥର ସ୍ୱତନ୍ତ୍ର ପାର୍ଟି ଓ ଥରେ ଜନତା ପାର୍ଟିରୁ ବିଧାୟକ ଥିଲେ ବୀରେନ୍ଦ୍ର । ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ମେଲଚ୍ଛାମୁଣ୍ଡା ନିର୍ବାଚନମଣ୍ଡଳୀ ଭାଙ୍ଗି ଗଲା । କିଛି ଅଞ୍ଚଳ ବିଜେପୁରକୁ ଆଉ ବାକି ଗଲା ଭଟଲିକୁ । ତେବେ ଗାଇସିଲଟ ବ୍ଲକ ମେଲଚ୍ଛାମୁଣ୍ଡା ନିର୍ବାଚନ ମଣ୍ଡଳୀରେ ଥିଲା । ଯାହା ଏବେ ବିଜେପୁରରେ ମିଶିଛି । ବୀରେନ୍ଦ୍ରଙ୍କ ପରି ପୁଅ ପ୍ରଣୟଙ୍କ ବି ଗାଇସିଲେଟ୍ ଏରିଆରେ ଭଲ ଲୋକସମ୍ପର୍କ ରହିଛି । ହେଲେ ଅନ୍ୟ ଦୁଇଟି ଅର୍ଥାତ୍ ବିଜେପୁର ଓ ବରପାଲି ବ୍ଲକ ଏବଂ ବରପାଲି ଏନଏସିରେ ତାଙ୍କର ସେତେଟା ଦବ୍ଦବା ନାହିଁ କହିଲେ ଚଳେ । କିନ୍ତୁ କୁଲୁତା(ଚଷା) ଭୋଟ ପ୍ରଣୟଙ୍କ ସପକ୍ଷରେ ଧ୍ରୁବୀକରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାକି ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ । ଶୁଣିବାକୁ ମିଳିଛି, କଂଗ୍ରେସ ରିପୁନାଥ-ପ୍ରଣୟଙ୍କ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିପାରେ । କୌତୂହଳର କଥା, ଏମାନଙ୍କ ମଧ୍ୟରୁ କେହି ବି ପ୍ରାର୍ଥୀ ହେବାକୁ ମନ ବଳାଉ ନଥିବା ଶୁଣିବାକୁ ମିଳିଛି । କାରଣ ଗୋଟିଏପଟେ ବିଜେଡିର ବିଜେପୁର ପାଇଁ ସରକାରୀ ଯୋଜନା ତ ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ଯୋଜନା ଭିତରେ କଂଗ୍ରେସ ପେଶି ହୋଇଯାଇଛି । ବିଜେପି ଓ ବିଜେଡି ନେତା ୩ ମାସ ହେଲାଣି ବିଜେପୁରରେ ଡେରା ପକାଇଛନ୍ତି । ଯେଉଁଥିପାଇଁ ରାଜନୈତିକ ଅଙ୍କ କହୁଛି ଯେ କଂଗ୍ରେସ ବହୁ ପଛରେ ରହିଛି । ପୁଣି ଗତ ପଞ୍ଚାୟତ ନିର୍ବାଚନରେ ବରଗଡ ଜିଲ୍ଲା ଯାଇଥିଲା ବିଜେପି ପାଖକୁ । ସେପଟେ ଯେଉଁ ସ୍ଥିତି ଦେଇ କଂଗ୍ରେସ ଗତି କରୁଛି, ଅର୍ଥ ଖର୍ଚ୍ଚ କରିବା କାଠିକର ପାଠ ହୋଇପାରେ । ପୁଣି କଂଗ୍ରେସ ନା ଓଡିଶାରେ ନା କେନ୍ଦ୍ରରେ ସରକାରରେ ଅଛି । ବିମୁଦ୍ରୀକରଣରେ ବି ଦଳ ବ୍ୟାପକ କ୍ଷତି ସହିଛି । ଦଳୀୟ କନ୍ଦଳ ଥମିବାର ନା ନେଉନି । ଯାହା କଂଗ୍ରେସ ପ୍ରାର୍ଥୀଙ୍କୁ ବ୍ୟାକଫୁଟରେ ପକାଇବା ପାଇଁ ଯଥେଷ୍ଟ । ଖବର ମିଳିଛି, ଏହି କାରଣ ଯୋଗୁ ଏବେ ରିପୁନାଥ ଓ ପ୍ରଣୟଙ୍କୁ ପରାଜୟ ଭୟ ଘାରିଛି । ସେପଟେ ରିପୁନାଥ ୨୦୧୯ ନିର୍ବାଚନରେ ସଂରକ୍ଷିତ ଅତାବିରା ଆସନରୁ ଲଢିବା ଯୋଜନାରେ ଅଛନ୍ତି । ଆଉ ପ୍ରଣୟ ବି ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ତେଣୁ ବିଜେପୁର ଉପନିର୍ବାଚନରେ ଜଣେ ବ୍ଲକ ଉପାଧ୍ୟକ୍ଷ ଲଢି କାହିଁକିବା ପରାଜିତ ନେତାର କଳଙ୍କ ମୁଣ୍ଡାଇବେ!

Loading...
ONA

Leave a Reply

Top