ହାଜତ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ : ଅଇଂଠାପାଲି ଥାନାରେ ନିଆଁ ଲଗାଇଲେ ସ୍ଥାନୀୟ ଲୋକ

ସମ୍ବଲପୁର: ସମ୍ବଲପୁର ଅଇଂଠାପାଲି ଥାନାରେ ଜଣେ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ଘଟିଛି । ଅଭିଯୁକ୍ତ ଅବିନାଶ ମୁଣ୍ଡାଙ୍କ ଆତ୍ମହତ୍ୟାକୁ ନେଇ ସ୍ଥାନୀୟ ଲୋକ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ନିଆଁକୁ ଆୟତ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ସୂଚନା ମୁତାବକ ଗତ ୭ ତାରିଖରେ ଏକ ବିବାହ ମଣ୍ଡପରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅଇଣ୍ଠାପାଲି ପୋଲିସ ଅବିନାଶ ମୁଣ୍ଡାକୁ ଗତକାଲି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଅବିନାଶଙ୍କ ଘର ଭାଲୁପାଲି ଅଂଚଳରେ । ତେବେ ଗତକାଲି ବିଳମ୍ବିତ ରାତିରେ ସେ ଶୋଇଥିବା ବେଡ଼୍‌ସିଟ୍‌କୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ରାତି ପ୍ରାୟ ତିନିଟାରେ ପରିବାର ଲୋକ ଖବର ପାଇ ସଦର ମେଡ଼ିକାଲରେ ପହଁଚିଥିଲେ । ଏହାପରେ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଛି ।  ହାଜତ ମୃତ୍ୟୁ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ପ୍ରତିବାଦ ସ୍ୱରୂପ ସମ୍ବଲପୁର-ଝାରସୁଗୁଡ଼ା ରସ୍ତାର ଭାଲୁପାଲି ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଶହ ଶହ ଗାଡ଼ି ମୋଟର ଠିଆ ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥିବାବେଳେ ଥାନା ମଧ୍ୟରେ କିଛି ଉତ୍ତ୍ୟକ୍ତ ଲୋକେ ପଶି ଭଙ୍ଗାରୁଜା କରିବା ସହ ନିଅାଁ ଲଗାଇ ଦେଇଥିଲେ। ତା’ଛଡ଼ା ଥାନା ପରିସରେ ଜବତ ହୋଇଥିବା ଚୋରି ଗାଡ଼ିରେ (୮ଟି ଜିପ୍‌ ଓ କାର୍‌, ୨ଟା ଟେମ୍ପୋ ଏବଂ ୧୧ଟି ମୋଟର୍‌ସାଇକେଲ୍‌) ଲୋକେ ନିଅାଁ ଲଗାଇ ଦେଇଥିଲେ। ଥାନା ଗାଡ଼ି ମଧ୍ୟ ପୋଡ଼ା ଯାଇଥିବା କୁହାଯାଉଛି।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଲାଠି ଚାଳନା କରିବାରୁ ପରିସ୍ଥିତି ଆହୁରି ହିଂସାତ୍ମକ ହୋଇ ଉଠିଥିଲା। ଲୋକେ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏଥିରେ ଉଭୟ ପୁଲିସ ଓ ସାଧାରଣ ଜନତା ଓ ବିଭିନ୍ନ ଗଣମାଧ୍ୟ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି। ଗାଡ଼ିମଟର ଭିଡ଼ ଯୋଗୁଁ ଅଧିକ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ପୁଲିସ ଫାଙ୍କା ଗୁଳି ଚାଳନା କରିବାରୁ ଲୋକେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପୁଲିସ ତୁଳନାରେ ଉତ୍ତ୍ୟକ୍ତ ଜନତା (ଉଭୟ ପୁରୁଷ ଓ ନାରୀ) ସଂଖ୍ୟାଧିକ ଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହଜ ନ ଥିଲା ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here