ସ୍ୱାଭାବିକ ହେଲା ବସ୍ ଚଳାଚଳ

୭ରେ କଟକକୁ ଚାଲିବା ନେଇ ନିଷ୍ପତ୍ତି
ପୁରୀ: କଟକରେ ପୁରୀ ବସର କର୍ମଚାରୀଙ୍କୁ ମାଡ ମାରିବା ଓ ହଇରାଣ ହରକତ୍ କରିବା ଅଭିଯୋଗରେ ପୁରୀ ବସ୍ ସଂଘ ପକ୍ଷରୁ ଚାଲିଥିବା ଆନେ୍ଦାଳନର ଅବସାନ ଘଟିଛି । କଟକ ବ୍ୟତୀତ ପୁରୀରୁ ଅନ୍ୟ ସ୍ଥାନକୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ଏପ୍ରିଲ ୭ ତାରିଖ ବୈଠକ ପରେ କଟକକୁ ବସ୍ ଚାଲିବା ନେଇ ନିଷ୍ପତ୍ତି ନିଆଯିବ  ବୋଲି ନୀଳଗିରି ମୋଟର କର୍ମଚାରୀ ସଂଘ ସଂପାଦକ ସୂଚନା ଦେଇଛନ୍ତି  । ବସ ଧର୍ମଘଟକୁ ନେଇ ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି, ଏପ୍ରିଲ ୭ରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜିଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜନ ହେବ  । ଏଥିରେ ଆରଟିଓ, ବସ୍ ମାଲିକ ଓ କର୍ମଚାରୀ ସଂଘ ଉପସ୍ଥିତ ରହିବେ  । ବୈଠକରେ ବିବାଦର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗତ ୨୭ ତାରିଖରେ କଟକ ପାଲା ମଣ୍ଡପରେ ପୁରୀର ପ୍ରାୟ ୧୭ଟି ବସ୍କୁ ଅଟକ ରଖି ବସ୍ କର୍ମଚାରୀଙ୍କୁ କଟକ ବସ୍ ମାଲିକମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । କଟକରେ ପୁରୀ ବସର କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ପୁରୀ ବସ୍ ସଂଘ ଆନେ୍ଦାଳନ କରିଥିଲା । ଏହା ସହ ଦ୍ୱିତୀୟ ଦିନରେ ପୁରୀରୁ କଟକ ଓ ଭୁବନେଶ୍ୱରକୁ କୌଣସି ବସ୍୍ ଗଡି ନଥିଲା । ଏହି ବନ୍ଦରେ ଟୁରିଷ୍ଟ ବସ୍ ମଧ୍ୟ ସାମିଲ ହୋଇଛନ୍ତି । ଗତକାଲି ନୀଳଗିରି ମୋଟର ବସ୍ କର୍ମଚାରୀ ସଂଘର ୨୫ଜଣ କର୍ମଚାରୀ ଗିରଫ ହୋଇଥିଲେ ।