You are here
Home > ଗସିପ ଖବର > ସୁନ୍ଦରଗଡ଼ ରାଜନୀତି: ବିଜେଡି ଛିଣ୍ଡୁଛି, ବିଜେପି ବଢୁଛି

ସୁନ୍ଦରଗଡ଼ ରାଜନୀତି: ବିଜେଡି ଛିଣ୍ଡୁଛି, ବିଜେପି ବଢୁଛି

ରାଉରକେଲା: ସାଧାରଣ ଓ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ ଦେଢ ବର୍ଷ ସମୟ ବାକି ରହିଲା । ନିର୍ବାଚନକୁ ଆଖିରେ ରଖି ପ୍ରମୁଖ ତିନିି ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଏବେ ଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ସୁନ୍ଦରଗଡ ଜିଲ୍ଲାରେ ରାଜନୈତିକ ସ୍ଥିତିକୁ ତର୍ଜମା କଲେ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡି ଛିଣ୍ଡୁଥିବା ବେଳେ ବିଜେପି ବଢୁଥିବା ଜଣାପଡିଛି ।
ରାଜ୍ୟର କିଛି ସ୍ଥାନରେ ବିଜେଡି କର୍ମୀଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ୍ୱ ସୃଷ୍ଟି ହୋଇ ଗୋଷ୍ଠୀ କନ୍ଦଳର ରୂପ ନେଉଛି । ବହୁ ବିଜେଡି ନେତା ବିଜେପି ଓ କଂଗ୍ରେସରେ ଯୋଗଦାନ କରିବା ଫଳରେ ବିଜେଡି ଛିଣ୍ଡିବା ସହ ଏହାର ଶକ୍ତି କମି କମି ଯାଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗଡ଼ କୁହାଯାଉଥିବା ତଥା ନିଜସ୍ୱ ଘରୋଇ ନିର୍ବାଚନ କ୍ଷେତ୍ର ସୁନ୍ଦରଗଡ ଜିଲ୍ଲା ବଣାଇଁରେ ବିଜେପିକୁ ଏକ ବଡ ସଫଳତା ମିଳିଥିବା ବେଳେ, ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଗତ ଦିନରେ ବିଜେଡିର ଟାଣୁଆ ନେତା କୁହାଯାଉଥିବା ପୂର୍ବତନ ବିଧାୟକ ଦୟାନିଧି କିସାନଙ୍କ ପୁଅ ଉତ୍ତମ କିସାନ ଶହ ଶହ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦେବା ରାଜନୀତି ଗଣିତରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମିଶ୍ରଣ ପର୍ବ ପରେ ବିଜେପି ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇ ଅମିତ ଶାହାଙ୍କ ମିଶନ ୧୨୦ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି । ବିଜେପିର ସଫଳତା ପଛରେ ରହିଛି ବିଜେଡିର ଦୁର୍ବଳତା । ସୁନ୍ଦରଗଡ ଜିଲ୍ଲାରେ ବିଜେଡି ସଭାପତି ଭାବେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ, ପ୍ରାକ୍ତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଓ ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କୁ ଦାୟିତ୍ୱ ମିଳିଛିି । ମାତ୍ର ଦେଖିବାକୁ ଗଲେ ଏହି ତିନି ନେତାଙ୍କ ପରସ୍ପର ମଧ୍ୟରେ ତାଳମେଳ ରହୁନାହିଁ । କୌଣସି ଜଣେ ହେଲେ ନେତା ଲୋକମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡି ହୋଇ ପାରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଦଳୀୟ କର୍ମୀଙ୍କ ମଧ୍ୟରେ ତାଳମେଳର ଘୋର ଅଭାବ ରହିଥିବା ବେଳେ ବିଜେଡିରେ ଫାଟ ସୃଷ୍ଟି ହୋଇ ଏହା ଧୀରେ ଧିରେ ଭାଗ ଭାଗ ହେଉଛି । ଏହାର ସଦ୍ୟତମ ଉଦାହରଣ ଦକ୍ଷିଣ ରାଉରକେଲାକୁ ନିଆଯାଇ ପାରେ । ଏଠାରେ ବିଜେଡି ତିନି ଫାଳ ହୋଇ ଯାଇଥିବା ଆଲୋଚନା ହେଉଛି । ବିଜେଡିର ନୂତନ କର୍ମୀ, ପୁରୁଣାକର୍ମୀଙ୍କ ସହ ଶୀତଳଯୁଦ୍ଧ ଘୋଷଣା କରି ବୈଠକର ଆୟୋଜନ କରିବା ଘଟଣା କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲା । ଅପରକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ଉଦ୍ୟମରେ ବିଜେପି ଆଗକୁ ବଢୁଛି । ସେହିପରି ରାଉରକେଲା ସହର ତଥା ଆଖପାଖ ଅଂଚଳକୁ ବିଜେପିର ବରିଷ୍ଠ ନେତା ଧୀରେନ ସେନାପତି, ଜଗବନ୍ଧୁ ବେହେରା, ହରିହର ରାଉତରାୟ, ରମେଶ ବଳଙ୍କ ନେତୃତ୍ୱରେ କର୍ମୀମାନେ ଗସ୍ତ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରି କେନ୍ଦ୍ର ସରକାରଙ୍କ ଲୋକାଭୀମୁଖୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଉଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାରେ ହେମାନନ୍ଦ ବିଶ୍ୱାଳଙ୍କ ଭଳି ଟାଣୁଆ ନେତା ଥିଲେ ବି କଂଗ୍ରେସର ସ୍ଥାଣୁ ଅବସ୍ଥା । ତେବେ ରାଉରକେଲା କଂଗ୍ରେସ ସଭାପତି ଭାବେ ବୀରେନ ସେନାପତିଙ୍କୁ ଦାୟିତ୍ୱ ଦିଆଯିବା ପରେ ଏଠାରେ ସଙ୍ଗଠନରେ ସୁଧାର ଆସିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସମାଲୋଚନା କରି ରାଉରକେଲା କଂଗ୍ରେସ ବିଭିନ୍ନ ସମୟରେ ଧାରଣା ଓ ବିକ୍ଷୋଭ ଜାରି ରଖିବା ଘଟଣା କଂଗ୍ରେସ କର୍ମୀଙ୍କୁ କିଛିଟା ଉତ୍ସାହିତ କରୁଛି । ସୁନ୍ଦରଗଡ ରାଜନୀତି ଗଣିତର ସମୀକରଣ ଘଡିକେ ଘୋଡା ଛୁଟୁଥିବା ବେଳେ ଭୋଟରଙ୍କ ମତିଗତି କଳିବା ଏବେଠୁ ମୁସ୍କିଲ ।

Loading...
ONA

Leave a Reply

Top