ସାକ୍ଷୀ ଦେବେ ପ୍ରସନ୍ନ

ଭୁବନେଶ୍ୱର: ୨୦ ଡିସେମ୍ବର,୧୯୯୭ । ଶୁଣିବାକୁ ମିଳିଛି, ଏକ ସତ୍ୟପାଠ ଜରିଆରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଆବେଦନ କରିଥିଲେ ଓଡିଶାର କିଛି ତକ୍ରାଳୀନ ପଲିଟିକାଲ ଟାଇକୁନ୍ । ସେମାନେ ଥିଲେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ପ୍ରସନ୍ନ ଆଚାର୍ଯ୍ୟ । ଜନତା ଦଳରୁ ଅଲଗା ହୋଇ ଅଧିକାଂଶ ବିଧାୟକଙ୍କୁ ନେଇ ବିଜୁ ଜନତା ଦଳ ଗଠନ ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ପାଖରେ ଆବେଦନ କଲେ ଏହି ୩ ଭେଟେରାନ୍ । ସେହି ଦଳ ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହେବ, ତାହାର ସଭାପତି ରହିବେ ବିଜୁ ବାବୁଙ୍କ ସାନ ପୁଅ ନବୀନ । ସେ ସମୟରେ ଦିବଙ୍ଗତ ପିତା ବିଜୁ ପଟ୍ଟନାୟକଙ୍କ ସ୍ଥାନରେ ଆସିକା ଲୋକସଭା ଆସନରୁୁ ଉପନିର୍ବାଚନ ଲଢି ସାଂସଦ ହୋଇଥିଲେ ନବୀନ ।
୨୬ ଡିସେମ୍ବର, ୧୯୯୭ରେ ଆବେଦନ ଉପରେ ମୋହର ଲାଗିଲା ଆଉ ବିଜୁ ଜନତା ଦଳ ଗଠନ ହେଲା । ତେବେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ନେତାଙ୍କ ନାଁ ରହିଥିଲା ଏହି ସତ୍ୟପାଠର ସହାୟକ ନଥିପତ୍ରରେ । ହେଲେ ସେମାନେ କିଏ, ତାହା କେବଳ ଏହି ୩ ଜଣଙ୍କୁ ହିଁ ଜଣା । ତେବେ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ନିଜକୁ ଯେଉଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଭାବେ ଦାବି କରୁଥିଲେ, ତାକୁ ୨୦ ବର୍ଷ ପରେ ଖଣ୍ଡନ କଲା ବିଜୁ ଜନତା ଦଳ । ଆଉ ୨୪ ଜାନୁଆରି, ୨୦୧୮ରେ ବୈଜୟନ୍ତଙ୍କୁ ନିଲମ୍ବନ କଲା ବିଜେଡି । ଦଳୀୟ ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ନବୀନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କଲେ । ଏହାସହ ବୈଜୟନ୍ତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ କଥାକୁ ଅମୂଳକ ବୋଲି ମଧ୍ୟ କହିଲେ ସୂର୍ଯ୍ୟ ।
ତେବେ ଓଡିଶାରେ ଅନେକ ଲୋକ ଜାଣନ୍ତି ଯେ ସ୍ୱର୍ଗତ ବଂଶୀଧର ପଣ୍ଡା (ବୈଜୟନ୍ତଙ୍କ ବାପା) ଓ ବିଜୁ ପଟ୍ଟନାୟକଙ୍କ ସଂପର୍କ ଥିଲା ଅତି ନିବିଡ । ବୈଜୟନ୍ତଙ୍କ ମାଆ ଇଲା ପଣ୍ଡାଙ୍କୁ ରାଜ୍ୟସଭା ପଠାଇବାରେ ମଧ୍ୟ ବିଜୁ ବାବୁଙ୍କ ମୋହର ଥିଲା । ଯେଉଁଥିପାଇଁ ବୈଜୟନ୍ତଙ୍କୁ ମଧ୍ୟ ବିଜୁ ପରିବାରର ସଦସ୍ୟ ସହ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଭାବେ ସମସ୍ତେ ଗ୍ରହଣ କରି ନେଇଥିଲେ । ହେଲେ ସୂର୍ଯ୍ୟ ଏହାକୁ ଖଣ୍ଡନ କରିବା ପରେ ବଦଳି ଯାଇଛି ପାରିବାରିକ ସଂପର୍କର ସମୀକରଣ । ବିଜେଡି ଗଠନ ସମୟରେ ବୈଜୟନ୍ତ ଥିଲେ ନା ନାହିଁ, ସେ କଥା ଏବେ ଆଉ ଜଣେ ଉପସଭାପତିଙ୍କ ମୋହର ଉପରେ ନିର୍ଭର କରେ । ସେ ହେଉଛନ୍ତି ବିଜେଡି ଗଠନ ପାଇଁ ଆବେଦନକାରୀ ପ୍ରସନ୍ନ ଆଚାର୍ଯ୍ୟ । ଯଦି ପ୍ରସନ୍ନ କହିବେ ଯେ ବୈୟଜନ୍ତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ତେବେ ଏହାକୁ କେହି ଖଣ୍ଡନ କରି ପାରିବେ ନାହିଁ । କାରଣ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ସହ ପ୍ରସନ୍ନ ମଧ୍ୟ ବିଜେଡି ପାଇଁ ସତ୍ୟପାଠ ଦାଖଲ କରି ପ୍ରସ୍ତାବକ ପଡିଥିବା ଚର୍ଚ୍ଚା ହୁଏ । ବିଜେଡିରୁ ବିଜୟ ଓ ଦିଲ୍ଲୀପଙ୍କ ବିଦାକୁ ପ୍ରାୟ ଦୁଇ ଦଶନ୍ଧି ହେବାକୁ ଯାଉଛି । ତେଣୁ ଏମାନେ ଯଦିଓ ବୈଜୟନ୍ତଙ୍କ ପ୍ରତିଷ୍ଠାତା ସଦସ୍ୟତା ଉପରେ ମୋହର ମାରନ୍ତି, କେହି କେବେ ବିଶ୍ୱାସ କରିବେ ନାହିଁ । ଲାଗିବ, ନବୀନଙ୍କ ବିରୋଧରେ ରୋଷ ରଖି ବିଜୟ-ଦିଲ୍ଲୀପ ଏପରି କହୁଛନ୍ତି ।
ଅନ୍ୟପଟେ ବୈଜୟନ୍ତ ଓ ରାଜ୍ୟସଭା ସଦସ୍ୟ ପ୍ରସନ୍ନଙ୍କ ମାମୁ ଘର ଆଡୁ ସଂପର୍କ । ଏହି ଦୁଇ ନେତାଙ୍କ ମାମୁ ଘର ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧୀନ କଟାପାଲ୍ଲୀ । ବୈଜୟନ୍ତଙ୍କ ମାଆ ଇଲା ପଣ୍ଡା ଓ ପ୍ରସନ୍ନଙ୍କ ପରିବାର ମଧ୍ୟରେ ନିବିଡ ସଂପର୍କ ବୋଲି ଖବର ମିଳିଛି । ସମୟ ସମୟରେ ଏପରି ମଧ୍ୟ ଚର୍ଚ୍ଚା ହୁଏ ଯେ କୁଆଡେ ବୈଜୟନ୍ତ ବରଗଡରୁ ଲୋକସଭା ନିର୍ବାଚନ ଲଢିବେ । ପାରିବାରିକ ସଂପର୍କ ଯୋଗୁ ଯଦି ବୈଜୟନ୍ତ, ପ୍ରସନ୍ନଙ୍କ ଠାରୁ ବିଜେଡି ପ୍ରତିଷ୍ଠାତା ସଦସ୍ୟ ଦାବିର ଗ୍ରୀନ ସିଗନାଲ ପାଆନ୍ତି, ତେବେ ସୂର୍ଯ୍ୟ ପାତ୍ରଙ୍କ ଗାଲରେ ବାଜିବ ଶକ୍ତ ଚାପୁଡା । ହେଲେ ପରିସ୍ଥିତି ଦେଖି କାମ କରିବା ପ୍ରସନ୍ନଙ୍କୁ ଠିକ୍ ଭାବେ ଜଣା । ଦିନେ ବିଜେଡି ଲୋକସଭା ଦଳ ଭାଙ୍ଗିବାର ଷଡଯନ୍ତ୍ରରେ ସଫଳ ହୋଇଥିବା ପ୍ରସନ୍ନଙ୍କୁ ଭରସା କରିବା ଭୁଲ ପ୍ରମାଣିତ ହୋଇପାରେ । କାରଣ ବିଜେଡି ଏବେ ଚାହୁଁଛି ବୈଜୟନ୍ତଙ୍କୁ ଆଉଟ୍ କରିବା ପାଇଁ । ବିଜୟ ମହାପାତ୍ରଙ୍କ ପରି ବୈଜୟନ୍ତ ବି ନବୀନଙ୍କୁ ଗନେ୍ଧଇବା ଆରମ୍ଭ କଲେଣି । ଅନ୍ୟପଟେ ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ । ବିଜେପୁରରୁ ପରାଜିତ ପ୍ରସନ୍ନଙ୍କୁ ୨୦୨୨ ଯାଏ ରାଜ୍ୟସଭାକୁ ପଠାଇଛନ୍ତି ନବୀନ । ଏପରି ସ୍ଥିତିରେ ବୈଜୟନ୍ତଙ୍କ ସହ ପାରିବାରିକ ସଂପର୍କକୁ ବଳି ପକାଇବା ଭୁଲ ନିଷ୍ପତ୍ତି ନ ହୋଇପାରେ ।

LEAVE A REPLY

Please enter your comment!
Please enter your name here