ସଡକ ଦୁର୍ଘଟଣା: ୫ ମୃତ, ୧୫ ଆହତ

https://www.facebook.com/nnsodia/videos/267154983995629/?t=5

ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ରାଇରଙ୍ଗପୁର: ରାଇରଙ୍ଗପୁର-ଯଶୀପୁର ରାସ୍ତାରେ ଆଜି ସଡକ ଦୁର୍ଘଟଣା ଘଟିଛି । ଟ୍ରାକଟରକୁ ବସ୍ ଧକ୍କା ଦେବାରୁ ୫ଜଣଙ୍କ ମୃତୁ ୍ୟ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ମା ତାରିଣୀ ନାମକ ବସଟି ରାଇରଙ୍ଗପୁରରୁ ଯଶୀପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସୂଚନାଯୋଗ୍ୟ ଆଜି ପ୍ରାୟ ଦିନ ୧୧ଟାରେ ଓଆର ୦୯ ଏମ୍ ୮୮୨୫ ନମ୍ବର ବିଶିଷ୍ଟ ମା ତାରିଣୀ ବସଟି ଯଶିପୁର ଅଭିମୁଖେ ଯାଉଥିଲା ।  ବାଦାମପାହାଡ ଥାନା ଅନ୍ତର୍ଗତ ଖେରଣା ଜଙ୍ଗଲ ଭିତରେ ସାମନାପଟୁ ଆସୁଥିବା ଓଡ଼ି ୧୧ ଏ ୩୦୪୫ ନମ୍ବର ବିଶିଷ୍ଟ ଟ୍ରାକଟର ସହିତ ଧକ୍କା ହୋଇଥିଲା । ଫଳରେ ଟ୍ରାକଟର ଡ୍ରାଇଭରଙ୍କ ସମେତ ୫ଜଣଙ୍କ ମୃତୁ୍ୟ ଘଟିଛି । ବସର ପାତି ଭାଙ୍ଗି ଯାଇଥିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟର ସହ ଧକ୍କା ହୋଇବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବସରେ କିଛି ଯାତ୍ରୀ ଚାପି ହୋଇ ରହିଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର, ବାଦାମପାହାଡ, ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଉଦ୍ଧାର କାର୍ଯ୍ୟକୁ  ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଏତଦଭିନ୍ନ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏତଦଭିନ୍ନ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here