ଶ୍ୱଶୁର-ଜ୍ୱାଇଁଙ୍କ ବୟକଟ

ଭୁବନେଶ୍ୱର: ଓଡିଶାର ବିକାଶ ଲାଗି ସ୍ୱର୍ଗତ ବିଜୁ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଉଥିଲେ । ସେଥିପାଇଁ କାମ କରୁଥିବା ବିରୋଧୀ ଦଳର ନେତାଙ୍କୁ ଶ୍ରେୟ ଦେବାରେ ବିଜୁ ବାବୁ କାଣିଚାଏ କାର୍ପଣ୍ୟ କରୁନଥିଲେ । କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା ରେଳବାଇ ମନ୍ତ୍ରୀ ଭାବେ ଭଲ କାମ କରୁଥିବାରୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ଖୁବ ପ୍ରଶଂସା କରୁଥିଲେ । ଏପରିକି କାହ୍ନୁ ଲେଙ୍କାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଯିବାରୁ ତାଙ୍କୁ ଜନତା ଦଳ ପକ୍ଷରୁ ବରିଷ୍ଠଙ୍କ ଗୃହକୁ ପଠାଇବାକୁ ବିଜୁ ବାବୁ କୁଆଡେ ପ୍ରସ୍ତାବ ଦେଇଥିଲେ । ସେଥିପାଇଁ ଘୋର ବିରୋଧୀ ଜାନକୀବଲ୍ଲଭ ପଟ୍ଟନାୟକ କହୁଥିଲେ ବିଜୁ ବାବୁ “ଝଡର ଇଗଲ, ମାଟିର ମୃତ୍ତିକାର”ା ହେଲେ ବିଜୁ ବାବୁଙ୍କ ନାମରେ ଗଠିତ ବିଜେଡି ଓଡିଶା ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଛି । ଆଉ ସେହି ଦଳୀୟ ସଂକୀର୍ଣ୍ଣତା ଭିତରେ ଆଜି ପେଶି ହୋଇଛନ୍ତି ଜାନକୀ-ବିଜୁ ବାବୁଙ୍କ ପଟ୍ଟଶିଷ୍ୟ ପ୍ରସନ୍ନ ପାଟ୍ଟଶାଣୀ । ବିଜୁ ଜନତା ଦଳର ସାଂସଦ ହୋଇ ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକ ଭାରତରତ୍ନ ପାଇବା ଉଚିତ ବୋଲି ପାଟ୍ଟଶାଣୀ କହି ନିଜକୁ ଉଦାରବାଦୀ ଭାବେ ଯେଉଁ ଛବି ପ୍ରତିଷ୍ଠା କରିଥିଲେ, ତାକୁ ପାଣିଚିଆ କରିଦେଲା ଭୁବନେଶ୍ୱର ନାଲକୋ ନଗରରେ ପାଇପ ଯୋଗେ ଗ୍ୟାସ ଯୋଗାଣ ଉତ୍ସବରେ ସେ ଅନୁପସ୍ଥିତ ରହିବା । ଦଳୀୟ ସ୍ୱାର୍ଥକୁ ଆଖିରେ ରଖି ପାଟ୍ଟଶାଣୀ ପାନ୍ଥନିବାସ କାର୍ଯ୍ୟକ୍ରମକୁ ଯିବା ଲାଗି ଉଚିତ ମଣିଲେ । ଅଥଚ ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ବୟକଟ୍ କଲେ ପାଟ୍ଟଶାଣୀ । କାରଣ ଭାରତୀୟ ଗ୍ୟାସ ପ୍ରାଧିକରଣ (ଗେଲ)ର ଗ୍ୟାସ ଯୋଗାଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଥିଲେ ମୁଖ୍ୟମନ୍ତ୍ରୀଙ୍କ ଘୋର ବିରୋଧୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼େଇ ଏତେ ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଛି ଯେ, ଧର୍ମେନ୍ଦ୍ରଙ୍କ ସହ ମଞ୍ଚରେ ଏକାଠି ବସିବାକୁ ଉଚିତ ମଣିଲେ ନାହିଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ପରି ଅଭିଜ୍ଞ ନେତା ।
ନିଜେ ତ ସ୍ଥାନୀୟ ସାଂସଦ ଭାବେ ଅନୁପସ୍ଥିତ ରହିଲେ ପାଟ୍ଟଶାଣୀ, ତାଙ୍କ ଜ୍ୱାଇଁ ତଥା ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦେଖିବାକୁ ବି ମିଳିଲା ନାହିଁ ସେହି ଉତ୍ସବରେ । କାରଣ ସେହି ସମୟରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପଳାଶୁଣୀରେ “ଇଣ୍ଟିଗ୍ରେସନ ଅଫ୍ ଷ୍ଟେଟ୍ ଲେଭଲ୍ ଲାବୋରେଟୋରୀ ଫର ପବ୍ଲିକ ହେଲ୍ଥ ଇଜିନିୟରିଂ ଅର୍ଗାନାଇଜେସନ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅବଶ୍ୟ ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ପଳାଶୁଣୀ କାର୍ଯ୍ୟକ୍ରମର ପ୍ରାୟ ୧ଘଣ୍ଟା ପରେ ନାଲକୋ ନଗରରେ ପାଇପ୍ ଯୋଗେ ଗ୍ୟାସ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କିନ୍ତୁ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ବିଜେଡି ସୁପ୍ରିମୋଙ୍କୁ ନ ରଗାଇ ଶ୍ୱଶୁର ପାଟ୍ଟଶାଣୀଙ୍କ ପରି ଗ୍ୟାସ ଯୋଗାଣ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ । କାରଣ ବାସ୍ତବରେ ପଳାଶୁଣୀରୁ ନାଲକୋ ନଗରକୁ ପହଞ୍ଚିବା ଲାଗି ଅତି ବେଶୀରେ ୧୫ମିନିଟ୍ ଲାଗିଥାନ୍ତା । କିନ୍ତୁ ପ୍ରିୟଦର୍ଶୀ ପଳାଶୁଣୀରୁ ଡିଆରଡିଏର ବୈଠକକୁ ଯାଇ ନିଜ ଦଳୀୟ ଲାଇନକୁ ଗୁରୁତ୍ୱ ଦେଲେ ।
ତେବେ ବିଜେଡିର ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟର ସରକାରୀ ଉତ୍ସବକୁ ବର୍ଜନ କରିବାର ନିଅଁ ପଡିଥିଲା ସମ୍ବଲପୁରରୁ । ୨୦ଜୁନ୍ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଓଡିଶାରେ ଶୁଭାରମ୍ଭ ହୋଇଥିଲା । ବିପିଏଲ ପରିବାରକୁ ଗ୍ୟାସ ଯୋଗାଇବା ଲାଗି ସମ୍ବଲପୁରରେ ଆଇଓସିଏଲ ପକ୍ଷରୁ ଏକ କାର୍ଯ୍ୟକ୍ରମ ହୋଇଥିଲା । ହେଲେ ସେହି ଉତ୍ସବକୁ ବୟକଟ୍ କରିଥିଲେ ନିମନ୍ତ୍ରିତ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପ୍ରଭାସ ସିଂ । ସେତେବେଳେ କୁହାଯାଉଥିଲା ସ୍ଥାନୀୟ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଡକା ଯାଇ ନଥିବାରୁ ବିଜେଡିର ସାଂସଦମାନେ ଉଜ୍ଜ୍ୱଳା ଉତ୍ସବକୁ ବର୍ଜନ କରିଥିଲେ । ଆଉ ସରକାରୀ ପଇସାରେ ବିଜେପି ପ୍ରଚାର କରୁଥିବାରୁ ସମ୍ବଲପୁର ଆଇଓସିଏଲ ଉତ୍ସବକୁ ବିଜୁ ଜନତା ଦଳ ଦୂରେଇ ରହିଲା । ଆଉ ଭୁବନେଶ୍ୱରରେ କୁହାଗଲ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପାଇପ୍ ଯୋଗେ ଗ୍ୟାସ ଯୋଗାଯାଉଛି । ଗରିବ-ବସ୍ତି ବାସିନ୍ଦାଙ୍କ ପ୍ରତି ବିଜେଡି ଉତ୍ତରଦାୟୀ । ତେଣୁ ଗେଲ୍୍ ଉତ୍ସବକୁ ବିଜେଡି ବର୍ଜନ କଲା । ତେବେ ବିଜେଡିର ଏହି ବୟକଟ୍ ଟେକ୍୍୍ନିକରେ ମୋହରା ହୋଇଗଲେ ଶ୍ୱଶୁର-ଜ୍ୱାଇଁ ।