ଶାହଙ୍କ ମିଶନ-୧୨

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ଆଗାମୀ ସାଧାରଣ ନିର୍ବାଚନ ୨୦୧୮ ଶେଷ ଆଡକୁ ହେବାର ଯଥେଷ୍ଟ ସମ୍ଭାବନା । ଏଥିପାଇଁ ସବୁ ଦଳରେ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟ । ଯଦିଓ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଦୌଡରେ କଂଗ୍ରେସ ଥିଲା ପରି ମନେ ହେଉନାହିଁ; କିନ୍ତୁ ବିଜେଡି-ବିଜେପି ପୂରା ଦମ ଲଗାଇ ଦେଲେଣି । ବିଜେପି ବୁଥ୍ ମଜଭୁତ କଲାବେଳକୁ, ବିଜେଡି ୱାର୍ଡରେ ସଙ୍ଗଠନ କରିବାକୁ ଯାଉଛି । ସେପଟେ ପଞ୍ଚାୟତ ନିର୍ବାଚନ ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓଡିଶାକୁ ଫୋକସ୍ କରିଛନ୍ତି । ଲଗାତର ଗସ୍ତ କରି ଓଡିଶା ବିଧାନସଭା ଲାଗି ମିଶନ-୧୨୦ ସ୍ଥିର କରିଛନ୍ତି ଅମିତ ଶାହ । ଆଉ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୩୫୦ଟି ଲୋକସଭା ଆସନ ବିଜୟୀ ହେବ ବୋଲି ରଣନୀତି ପ୍ରସ୍ତୁତ କରିଛନ୍ତି ଶାହ । ବିଜେପି ଚାଣକ୍ୟ ମିଶନ-୩୫୦ ଲାଗି ଦେଶର ୧୨୦ଟି ଲୋକସଭା ଆସନକୁ ଫୋକସ୍ କରିଛନ୍ତି । ଆଜି ଯାଏଁ କେବେବି ଜିତି ନଥିବା ସେହି ୧୨୦ଟି ଲୋକସଭା ଆସନ ବିଜେପି ଚାଣକ୍ୟ ଶାହଙ୍କ ଲେନ୍ସରେ ଆସିଛି । ସେହି ଆସନ ଗୁଡିକରେ ବିଜେପିର ଜିତାପଟ ହେଲେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ବୋଲି ଶାହଙ୍କ ହିସାବ କହୁଛି । ସେହି ୧୨୦ଲୋକସଭା ଆସନ ମଧ୍ୟରେ ଓଡିଶାର ୧୩ଟି ସିଟ୍ ରହିଛି, ଯେଉଁଠି ବିଜେପି କେବେବି ଜିତି ପାରିନାହିଁ । କିନ୍ତୁ ଶାହଙ୍କ ଟାର୍ଗେଟରେ ଆସିଛି ଓଡିଶାର ୧୨ଟି ଲୋକସଭା ଆସନ । ଗତ ଗୁରୁବାର ଶାହଙ୍କ ଦିଲ୍ଲୀ ବୈଠକରେ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ । ଧର୍ମେନ୍ଦ୍ରଙ୍କ ନିଜ ଲୋକସଭା ଆସନ ଢେଙ୍କାନାଳରେ ଯଦିଓ ବିଜେପି କେବେବି ଜିତି ନାହିଁ, ତେବେ ଶାହଙ୍କ ଓଡିଶା ମିଶନ-୧୨ରୁ ଢେଙ୍କାନାଳକୁ ହଟାଇ ଦିଆଯାଇଛି ।
୨୦୧୪ରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ପଶ୍ଚିମ ଓଡିଶାର ବରଗଡ ଓ ସମ୍ବଲପୁର ଲୋକସଭା ଆସନକୁ ଫୋକସ୍ କରିଛନ୍ତି ଶାହ । ସେହିପରି ଉପକୂଳ ଓଡିଶାର ଆଦୌ ଜିତି ନଥିବା ୭ଟି ଲୋକସଭା ଆସନକୁ ଅକ୍ତିଆର କରିବାକୁ ବିଜେପି ଅଧ୍ୟକ୍ଷ ବ୍ୟାକୁଳ । ସେଗୁଡିକ ହେଲା ପୁରୀ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକ ଲୋକସଭା ଆସନ । ସେହିପରି ଦକ୍ଷିଣ ଓଡିଶାର ଆସିକା, କନ୍ଧମାଳ ଓ କୋରାପୁଟ ଲୋକସଭା ଆସନକୁ ନେଇ ଶାହ ହିସାବ ଲଗାଇଥିବାର ଶୁଣିବାକୁ ମିଳୁଛି । ବରଗଡ ଓ ସମ୍ବଲପୁର ଜିଲ୍ଲା ପରିଷଦ ବିଜେପି ଅକ୍ତିଆର କରିବା ପରେ ସେହି ୨ଟି ଲୋକସଭା ଆସନକୁ ନେଇ ଶାହ ଆଶ୍ୱସ୍ତି ଥିବାର ଶୁଣିବାକୁ ମିଳୁଛି । ତେବେ ମିଶନ-୧୨ ଟାର୍ଗେଟରେ ଉପକୂଳ ଓଡିଶା ୭ଟି ଆସନକୁ ନେଇ ଶାହ ଅଧିକ କସରତ କରୁଥିବା ସେହି ବୈଠକରେ ସ୍ପଷ୍ଟ ହୋଇଛି । ଏଥିପାଇଁ ଲୋକସଭା ଅଧିନରେ ଥିବା ବିଧାନସଭା ଆସନ ଗୁଡିକରେ ବିଜେପି କିପରି ଟାଣୁଆ ପ୍ରାର୍ଥୀ ଦେଇ ପାରିବ ତା’ଉପରେ ଶାହ ଜୋର ଦେଇଥିବାର ଶୁଣିବାକୁ ମିଳୁଛି । କଂଗ୍ରେସରୁ ଆଶ୍ରିତ ପଟ୍ଟନାୟକ ଓ ଲାଲା ମନୋଜ ରାୟଙ୍କୁ ଦଳରେ ମିଶାଇବା ପରେ ପୁରୀ ଲୋକସଭା ଆସନ ନେଇ ଶାହ ଉତ୍ସାହିତ ଥିବା ଶୁଣିବାକୁ ମିଳୁଛି । ଏପରିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁଙ୍କୁ ବିଜେପିରେ ମିଶାଇ ପୁରୀ ଲୋକସଭା ଆସନ ଦଖଲ ମୁଡରେ ଅଛନ୍ତି ବିଜେପି ଚାଣକ୍ୟ । ସେହିପରି କଟକରେ ପୂର୍ବତନ ପୋଲିସ ଡିଜିି ପ୍ରକାଶ ମିଶ୍ରଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଲକ୍ଷ୍ୟରେ ବିଜେପି । ଆଉ ଯାଜପୁର ଜିଲ୍ଲାରେ ବିଜେଡିର ଅସନ୍ତୁଷ୍ଟ ଟାଣୁଆ ନେତାଙ୍କୁ ବିଜେପିରେ ମିଶାଇଲେ ମିଶନ-୧୨ ଉଦ୍ୟମ ସଫଳ ହେବ ବୋଲି ଶାହଙ୍କ ଗଣିତ କହୁଛି । ବୈଜୟନ୍ତ ପଣ୍ଡାଙ୍କୁ ବିଜେପିରେ ମିଶାଇ ବିଜେଡିର ଗଡ କେନ୍ଦ୍ରାପଡାରେ ପଶିବା ଯୋଜନାରେ ଅଛନ୍ତି ଅମିତ ଶାହ । ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ନିଜସ୍ୱ ସଙ୍ଗଠନ ବଳରେ କୋରାପୁଟ ଆସନକୁ ଅକ୍ତିଆର କରି ହେବ ବୋଲି ବିଜେପିର ଅଙ୍କ କହୁଛି ।
ମିଶନ-୧୨ ଟାର୍ଗେଟ ସ୍ଥିର କରିବା ଆଗରୁ ଓଡିଶାରେ ଜନମତ ସର୍ଭେ କରାଇଥିଲେ ଅମିତ ଶାହ । ଦିଲ୍ଲୀର ଏକ ପ୍ରଫେସନାଲ ସଂସ୍ଥା ଦ୍ୱାରା ହୋଇଥିବା ସେହି ସର୍ଭେ ରିପୋର୍ଟ କହୁଛି ଆଜି ବି ନବୀନ ପଟ୍ଟନାୟକ ଓଡିଶାର ଏକ ନମ୍ବର ନେତା । କିନ୍ତୁ ବିଜେଡିର ବିଧାୟକ ଓ ସାଂସଦଙ୍କ ଉପରେ ଲୋକଙ୍କର ଆସ୍ଥା ନାହିଁ । ନେଇପାରିବ ବୋଲି ବିଜେପି ହିସାବ କରୁଛି । ଅମିତ ଶାହ ସେପ୍ଟେମ୍ବରରେ ୩ଦିନିଆ ଓଡିଶା ଗସ୍ତରେ ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଅମିତ ଶାହ ଏଥିପାଇଁ କଂଗ୍ରେସ ଓ ବିଜେଡିର ଅନେକ ନେତାଙ୍କୁ ବିଜେପିର ମିଶାଇବାକୁ ଯାଉଥିବାର ଖବର ରହିଛି । ଆସିକା ଓ କନ୍ଧମାଳ ଆସନରେ ଜିତିବା ଲାଗି କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ଦଳରେ ନେବାକୁ ପଡିବ ବୋଲି ଶାହ ଇଙ୍ଗିତ ଦେଇଛନ୍ତି । ଏପରିକି ସଂରକ୍ଷିତ ଆସନ ଯାଜପୁର ଓ ଭଦ୍ରକ ଲାଗି ଦୁଇ ପୂର୍ବତନ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ଶାହ । ବିଜେଡି ନେତା ତଥା ପୂର୍ବତନ ସାଂସଦ ମୋହନ ଯେନାଙ୍କୁ ଯାଜପୁରରେ ଲଢାଇବା ଯୋଜନାରେ ଅଛନ୍ତି ବିଜେପି ନେତୃବର୍ଗ । ଏଥିଲାଗି ଅମର ନାୟକ,ବିଶ୍ୱ ମଲ୍ଲିକ, ପ୍ରଦୀପ ବଳସାମନ୍ତଙ୍କ ପରି ନେତାଙ୍କୁ ଦଳରେ ମିଶାଇ ଗୌତମ ରାୟଙ୍କୁ ଆଗକୁ ଛାଡିଛି ବିଜେପି । ସେହିପରି ଭଦ୍ରକ ଆସନ ଲାଗି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀଙ୍କ ଉପରେ ବିଜେପି ନଜର ରଖିଛି ।
 ତେବେ ବିଜେପି ଚାଣକ୍ୟ ଶାହ ଭୁଲି ଯିବା ଉଚିତ ନୁହେଁ ମେଣ୍ଟ ହେବା ଫଳରେ ବାକି ୯ଟି ଲୋକସଭା ଆସନରେ ପଦ୍ମ ଫୁଟି ପାରିଥିଲା । ନହେଲେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ରାଜ ପରିବାରର ପ୍ରଭାବ ଥିବା ସତ୍ତ୍ୱେ ବଲାଙ୍ଗିର ଓ କଳାହାଣ୍ଡି ଆସନ ବିଜେପି ହାତରୁ ଯାଇନଥାନ୍ତା । ତେବେ ଦେଖାଯାଉ ଶାହଙ୍କ ଓଡିଶା ମିଶନ-୧୨୦ ଓ ୧୨ ପୂରଣ ହେଉଛି; ନା ନୀତୀଶ କୁମାରଙ୍କ ପରି ନବୀନଙ୍କ ସହ ସନ୍ଧି କରି ମେଣ୍ଟର ପୁନଋଦ୍ଧାର କରୁଛନ୍ତି ବିଜେପି ଚାଣକ୍ୟ!