ଲକ୍ଷ୍ମୀ ଠାକୁରାଣୀଙ୍କୁ ନପୋଡିବାକୁ କୃଷିମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଓ ଧାନ କ୍ଷେତରେ ନିଆଁ ଲଗାଇବା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । କିନ୍ତୁ ଧାନ ଲକ୍ଷ୍ମୀ ଠାକୁରାଣୀ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୋଡନ୍ତୁ ନାହିଁ । ଚକଡା ପୋକ ଓ ମରୁଡି ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ କ୍ଷେତରେ ନିଆଁ ଲଗାଇ ଦେଉଥିବାରୁ ଚାଷୀମାନଙ୍କୁ ଏମିତି ନିବେଦନ କରିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ ।
ଚାଷୀମାନେ ବିବ୍ରତ ହୋଇ ଧାନ କ୍ଷେତରେ ନିଆଁ ଲଗାନ୍ତୁ ନାହିଁ । ନକଲି କୀଟନାଶକ ବିକୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ ପାଇଁ କୃଷି ବିଭାଗ ଟିମ୍ ଯାଇଛି । ଏହି ଟିମ ଫେରିବା ପରେ କଣ କରାଯିବ ସେ ନେଇ ବୈଠକ ବସି ଆଲୋଚନା କରାଯିବ । ଭବିଷ୍ୟକରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନଘଟିବ ଧ୍ୟାନ ଦେଉଛୁ । ଗତ ମଙ୍ଗଳବାର ବରଗଡ ଜିଲ୍ଲା କଳାପାଣି ଗାଁର ଗାଷୀ ବୃନ୍ଦାବନ ସାହୁ ତାଙ୍କ ଅଧା ଏକର ଜମିରେ ନିଆଁ ଲଗାଇ ଦେଇଥିଲେ । ତା’ ପର ଦିନ ସେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ବରଗଡ ଜିଲ୍ଲାରୁ ଉଠିଥିବା ଏହି ନିଆଁ ଝାରସୁଗୁଡା, ସମ୍ବଲପୁର ଦେଇ ରାୟଗଡା ଓ ଗଞ୍ଜାମକୁ ବ୍ୟାପିଛି । ସେହିଭଳି ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଗତ ଗୁରୁବାର ଦିନ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୧୮୦୦-୧୮୦୧୫୫୧କୁ ଚାଷୀ ଫୋନ କରି ଚାଷ ସମ୍ପର୍କିତ ସମସ୍ୟା ଉପରେ ବୁଝି ପାରିବେ ବୋଲି କୃଷି ସଚିବ ସୂଚନା ଦେଇଥିଲେ ।