You are here
Home > ଏକ୍ସକ୍ଲୁସିଭ୍ > ରାତିରେ ସୁରାପାନ ମୁହଁରେ ଭକ୍ତ ଗାନ

ରାତିରେ ସୁରାପାନ ମୁହଁରେ ଭକ୍ତ ଗାନ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ):କିଏ ହେବେ ପରବର୍ତ୍ତୀ ପିସିସି ସଭାପତି, ସେହି ଚର୍ଚ୍ଚାର ଅନ୍ତ ନାହିଁ । ନିରଞ୍ଜନ ପଟ୍ଟନାୟକ ନା ଭକ୍ତ ଦାସ? ନା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ଉପରେ ଭରସିବେ ହାଇକମାଣ୍ଡ? ଏହାରି ଭିତରେ ବିଧାୟକ ଦଳରେ ଫାଟ କଥା ପଦାରେ ପଡିଲାଣି । ବିଧାୟକମାନେ ଦି’ଭାଗ । ବଡ ଗୋଷ୍ଠୀ ନିରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଦେଉଛନ୍ତି । ସେଇଥିପାଇଁ ତ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ୧୫ ବିଧାୟକ ଭେଟିଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ । ମାତ୍ର ପରେ ଗୋଠଖଣ୍ଡିଆ ହୋଇଥିଲେ ୩ ବିଧାୟକ । ରାତିରେ ଗୋପନରେ ଏଆଇସିସିର ତିନି ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ ଜାକବ ପ୍ରଧାନ, କୃଷ୍ଣ ଶଗରିଆ ଓ କୈଳାସ କୁଲେସିକା । ତେଣୁ “କଂଗ୍ରେସ ବିଧାୟକ ଦଳ ଏକ ଅଛି” ବୋଲି ବାହାସ୍ପୋଟ ମାରୁଥିବା ନେତାଙ୍କ ମୁହଁରେ ତୁଣ୍ଡି ଲାଗିଛି । ଗୋଠଖଣ୍ଡିଆ ୩ ବିଧାୟକ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଭକ୍ତ ଦାସଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।
୩ ବିଧାୟକଙ୍କ ଏପରି କାର୍ଯ୍ୟକଳାପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ନିଜ କୋରାପୁଟ ଜିଲ୍ଲାର ୨ବିଧାୟକଙ୍କୁ ଏକାଠି ରଖିବାରେ ଫେଲ ମାରିଛନ୍ତି ତାରା । ବିଶେଷ କରି ଲକ୍ଷ୍ମୀପୁର ବିଧାୟକ ଭକ୍ତଙ୍କ ପାଇଁ ଓକିଲାତି କରିବା କୁଆଡେ ଭାଲୁ ଭାଇନାଙ୍କୁ ଢେର ବାଧିଛି । କାରଣ ବିଧାୟକମାନେ ପର୍ଯ୍ୟବେକ୍ଷକଙ୍କୁ ଭେଟିବାର ପୂର୍ବ ରାତିରେ ବାହିନୀପତି ଆଜ୍ଞା କୈଳାଶଙ୍କୁ ଭୋଜିଭାତରେ ଆପ୍ୟାୟିତ କରିଥିଲେ । ନିରଞ୍ଜନଙ୍କୁ ଆଖିବୁଜା ସମର୍ଥନ ପାଇଁ ଉସୁକାଇଥିଲେ । ସେଥିପାଇଁ ତ ଦେଶୀ ଚିକେନ୍ ଓ ସୁରାପାନର ବ୍ୟବସ୍ଥା ହୋଇଥିଲା । କୁଲେସିକା ମହାଶୟ ଭାଲୁ ଭାଇନାଙ୍କ ଭୋଜିକୁ ମନଭରି ଉପଭୋଗ କରିଥିଲେ ମାତ୍ର କଥା ରଖିଲେନି । ବରଂ ରାତିରେ ୩ ପର୍ଯ୍ୟବେକ୍ଷକଙ୍କୁ ଏକୁଟିଆ ଭେଟି ଗହନ କଥା କହିଦେଲେ କୁଲେସିକା । ଭକ୍ତଙ୍କୁ ପିସିସି ସଭାପତି କରିବାକୁ ଯୁକ୍ତି ଦର୍ଶାଇଥିଲେ । ମାତ୍ର ଏ ନେଇ ମିଡିଆ ଆଗରେ ମୁହଁ ଚୁପ ରଖିଛନ୍ତି କୈଳାଶ । ସେ ପିସିସି ସଭାପତି ପରିବର୍ତ୍ତନ ନେଇ କିଛି କହିନଥିବା ସଫେଇ ଦେଇଛନ୍ତି । ସେପଟେ ଆଦିବାସୀ ଲୋକ ସର୍ବଦା ସତରେ ବିଶ୍ୱାସ କରନ୍ତି । ମାତ୍ର ଜଣେ ଆଦିବାସୀ ହୋଇ କୁଲେସିକାଙ୍କ ମିଛକୁ ସହଜରେ ହଜମ କରିପାରୁ ନାହାନ୍ତି ତାରା ।
ଅବଶ୍ୟ କୁଲେଶିକାଙ୍କୁ ବାଟବଣା କରି ଦେଇଛନ୍ତି ତାରାଙ୍କ ଘୋର ବିରୋଧୀ କୋରାପୁଟ ବିଧାୟକ କୃଷ୍ଣ ଶଗରିଆ । ଶଗରିଆ ହେଉଛନ୍ତି କୁଲେସିଆଙ୍କ ରାଜନୈତିକ ଗୁରୁ । ଗୁରୁଙ୍କ ପରାମର୍ଶରେ କୁଲେସିକା ବିଧାୟକ ଦଳ ବିରୋଧରେ ଯାଇ ମତ ରଖିଛନ୍ତି । ନିରଞ୍ଜନଙ୍କୁ ସମର୍ଥନ ନଦେବାରୁ କୁଲେଶିକା ବି ପାଲଟି ଯାଇଛନ୍ତି ତାରାଙ୍କ ଶତ୍ରୁ । ପ୍ରଦୀପ ମାଝୀ ହେଉଛନ୍ତି କୋରାପୁଟ ବିଧାୟକ କୃଷ୍ଣଙ୍କ ଗଡଫାଦର । ଆଉ ତାରା-ପ୍ରଦୀପଙ୍କ ମଧ୍ୟରେ ରହିଛି ବ୍ୟକ୍ତିଗତ ଶତ୍ରୁତା । ସାଧାରଣ ନିର୍ବାଚନ ପରେ ପରେ ଅର୍ଥାତ ୨୦୧୨ ଏପ୍ରିଲ ୧୧ରେ ତାରାଙ୍କ ଭାଇ, ପୁଅ ଓ ପୁତୁରାଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଆଉ ଏହା ପଛରେ ରବି ନନ୍ଦଙ୍କ ହାତ ଥିଲା । ବିଜେଡି ନେତା ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରବି ନନ୍ଦଙ୍କ ସହଯୋଗୀଙ୍କର ଆକ୍ରମଣ କରିବାର ଦୃଶ୍ୟ ରେକର୍ଡ ହୋଇଥିଲା ସିସିଟିଭିରେ । ଆଉ ଠିକ ସେତିକିବେଳେ ଅଭିଯୁକ୍ତ ବୋଲାଉଥିବା ରବି ନନ୍ଦଙ୍କ ସଂପର୍କୀୟଙ୍କୁ ନିଜର ହେପାଜତରେ ରଖିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ତେଣୁ ବିରୋଧୀଙ୍କୁ ଶରଣ ଦେଇଥିବାରୁ ପ୍ରଦୀପ ରାତାରାତି ବନିଗଲେ ତାରାଙ୍କ ବ୍ୟକ୍ତିଗତ ଶତ୍ରୁ । ତେଣୁ ପ୍ରଦୀପ ମାଝୀଙ୍କ ଅଙ୍ଗୁଳି ଇସାରାରେ କାମ କରୁଥିବା କୃଷ୍ଣ ଶଗରିଆ ବିରୋଧୀ କ୍ୟାମ୍ପରେ ସାମିଲ ହୋଇ ବିଧାୟକ ଦଳକୁ ଚେକ୍ ଦେଲେ । ସେପଟେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଜାକବ୍ ପ୍ରଧାନ ମଧ୍ୟ ଏହି ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଦିନରେ ବିଧାୟକ ଦଳ ଏକ ଥିବାର ବାର୍ତ୍ତା ଦେଇଥିବା ଜାକବ ରାତିରେ ପର୍ଯ୍ୟବେକ୍ଷକଙ୍କୁ  ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ନ ହଟାଇବାକୁ ଦାବି କରିଥିଲେ ।
ପିସିସି ସଭାପତି ପଦ ଉପରେ ଆଖି ରଖିଥିବା ନିରଞ୍ଜନ-ଭକ୍ତ-ପ୍ରସାଦ  ଦିନ-ରାତି ଏକ କରି ପର୍ଯ୍ୟବେକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ନିଜ ସପକ୍ଷରେ ମତ ଦେବାକୁ ଦଳୀୟ ନେତାଙ୍କୁ ଅର୍ଥ ଲୋଭ ବି ଦେଖାଯାଇଥିବା ପରସ୍ପର ବିରୋଧୀ ଗୋଷ୍ଠୀ ଅଭିଯୋଗ ଆଣିଲେଣି । ସେପଟେ ନିର୍ବାଚନରେ ବାରମ୍ବାର ବିଫଳତା ସହ ପ୍ରସାଦଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲେ ବି ତାଙ୍କ ଚୌକି କିନ୍ତୁ ହଟିନି । ଆଶାୟୀ ବି ଆଶା ହରାଇ ନାହାନ୍ତି । ଏହାରି ଭିତରେ ଓଡିଶା ଗସ୍ତରେ ଆସିଥିବା ୩ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ କାର୍ଡ ଉପରେ ସବୁ କିଛି ନିର୍ଭର କରୁଛି ସତ; ମାତ୍ର କୁଲେସିକାଙ୍କ ସୁରା ପାନ ସହ ଏ ଘର ମାଉସୀ ସେ ଘର ପିଉସୀ ଆଚରଣ ବାବା ନିରଞ୍ଜନଙ୍କ ଟେନସନ୍ ବଢାଇ ଦେଇଛି ।

Loading...
ONA

Leave a Reply

Top