ରାଜ୍ୟ ସାରା ଜେଲରେ ଚଢାଉ,ଆପତ୍ତି ଜନକ ସାମଗ୍ରୀ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର:ରାଜ୍ୟର ପ୍ରାୟ ସବୁ ଜେଲ ଭିତରକୁ ଅବାଧରେ ପଶୁଛି ବିପୁଳ ପରିମାଣର ନିଶାଦ୍ରବ୍ୟ ଏବଂ ଆପତ୍ତିଜନକ ଜିନିଷ । ଜେଲ ଭିତରେ ବସି ଜେଲ କର୍ମଚାରୀଙ୍କୁ ହାତ କରି ଅପରାଧୀମାନେ ସବୁ ଜିନିଷ ପାଇ ଯାଉଛନ୍ତି । ଦାମୀ ବିଦେଶୀ ସିଗାରେଟ୍, ଟିଭି, ରେଡିଓ, ପରଫ୍ୟୁମ୍ ସବୁ କିଛି ଜେଲ ଚାରିକାନ୍ଥ ଡେଇଁ ସେଲ୍ ଭିତରେ ପହଞ୍ଚି ଯାଉଛି ।
ବଡ ଜେଲ୍, ହାଇ ପ୍ରୋଫାଇଲ୍ କଏଦୀ, ଆଉ ସେହି ମାତ୍ରାରେ ଜେଲ ମାନୁଆଲ ଫାଙ୍କି । ସେଲ୍ ଭିତରେ ଆରାମ କରୁଛନ୍ତି ଅପରାଧୀ । ଚୌଦ୍ବାର ସେଣ୍ଟ୍ରାଲ ଜେଲରେ ୩ଏସିପି, ୭ଥାନାର ଆଇଆଇସି ଏବଂ ୨ପ୍ଲାଟୁନ୍ ସଶସ୍ତ୍ର ପୋଲିସ ସହାୟତାରେ କଟକ ଡିସିପି ରେଡ୍ ମାରିବା ବେଳେ ମିଳିଛି ଏଲ୍‌ସିଡି ଟିଭି, ରେଡିଓ, ଟେପ୍ ରେକର୍ଡର, ଦାମୀ ସିଗାରେଟ୍, ମୂଲାୟମ ବେଡସିଟ୍, ବିଦେଶୀ ପର୍ଫ୍ୟୁମ୍ ସହ ବିପୁଳ ପରିମାଣର ମାଦକଦ୍ରବ୍ୟ । ଏଠି ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ସହ ଆହୁରି ଅନେକ ହାଇ ପ୍ରୋଫାଇଲ୍ ଅପରାଧୀ ରହୁଛନ୍ତି । ରାଜ୍ୟର ବଡ ଏବଂ ପ୍ରମୁଖ ଜେଲ୍‌ରେ ଚାଲିଛି ଅବାଧ କାରବାର ।
ଭୁବନେଶ୍ବର ଝାରପଡା ଜେଲରେ ୩ପ୍ଲାଟୁନ୍ ପୋଲିସ ଫୋର୍ସ ସହ ସକାଳୁ ସକାଳୁ ଛାପା ମାରିଥିଲେ ଭୁବନେଶ୍ବର ଡିସିପି । ସାଙ୍ଗରେ ଥିଲେ ୮ଥାନାର ଆଇଆଇସି ଏବଂ ବିଭିନ୍ନ ଜୋନର ଏସିପି । ରେଡ୍ ବେଳେ ମିଳିଥିଲା ବିପୁଳ ପରିମାଣର ନିଶା ଦ୍ରବ୍ୟ । ଏଠି ରହୁଛନ୍ତି ଅନେକ ଗ୍ୟାଙ୍ଗଷ୍ଟାର, ଚିଟଫଣ୍ଡ ଅଭିଯୁକ୍ତ ଏବଂ ହାର୍ଡକୋର ଅପରାଧୀ । ୭ଶହ ଅନ୍ତେବାସୀଙ୍କ ପାଇଁ ଅଛନ୍ତି ୪୦ରୁ ୪୫ କର୍ମଚାରୀ । ବିଚାରାଧୀନ କଏଦୀଙ୍କୁ କୋର୍ଟ ନେବାବେଳେ ସେହି ମାନଙ୍କ ଜରିଆରେ ଜେଲ ଭିତରକୁ ନିଶାଦ୍ରବ୍ୟ ଖୁବ ଆରାମରେ ପହଞ୍ଚି ପାରୁଛି । ଏସବୁ କାରବାରରେ ଜେଲ କର୍ମଚାରୀଙ୍କ ହାତ ଥିବା ସନ୍ଦେହ ବି କରାଯାଉଛି ।
ବ୍ରହ୍ମପୁର ମଣ୍ଡଳ କାରାଗାରରେ ଚଢାଉ ବେଳେ ମିଳିଛି ବ୍ୟାପକ ପରିମାଣର ମାଦକଦ୍ରବ୍ୟ, ମୋବାଇଲ୍, ସିମ୍ କାର୍ଡ ଏବଂ ତିନୋଟି ଛୁରୀ । ଜେଲରେ ମାଓବାଦୀଙ୍କ ସହ ଅନେକ କୁଖ୍ୟାତ ଅପରାଧୀ ଥିବାବେଳେ ଏସବୁ ଆପତ୍ତିଜନକ ସାମଗ୍ରୀ ମିଳିବା ଚିନ୍ତାର ବିଷୟ । ଏଥିରୁ ଜେଲ ଭିତରୁ ଅପରାଧ ନେଟୱର୍କ ଚାଲିଥିବା ସ୍ପଷ୍ଟ ଜଣାପଡୁଛି ।
ଜେଲ ପାଚେରୀ ଡେଇଁ ଭିତରେ ପହଞ୍ଚି ଯାଉଛି ଆପତ୍ତିଜନକ ସାମଗ୍ରୀ । ଏନେଇ ଜେଲ କର୍ମଚାରୀଙ୍କ ଆଡକୁ ଅଙ୍ଗୁଳି ଉଠିଛି । ତେବେ ବାରମ୍ବାର ଏସବୁ ସାମଗ୍ରୀ ମିଳିବା, ପୁରା ବ୍ୟବସ୍ଥାରେ ଥିବା ଫାଙ୍କକୁ ଦର୍ଶାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here