You are here
Home > ଏକ୍ସକ୍ଲୁସିଭ୍ > ମହାନଦୀ ବିବାଦର ସମାଧାନ କରିବେ ସଚିବ

ମହାନଦୀ ବିବାଦର ସମାଧାନ କରିବେ ସଚିବ

ସବୁ ବିବାଦ ସମାଧାନ ରାଜନୈତିକସ୍ତରରେ ସମ୍ଭବ ନୁହେଁ । ଏକଥା ପୁଣିଥରେ ଓଡ଼ିଶାରେ ପ୍ରମାଣିତ ହେବାକୁ ଯାଉଛି । ଆଇଓସିଏଲ୍କୁ ଭାଟ୍ ଛାଡ଼ ପ୍ରସଙ୍ଗର ସମାଧାନ ଯେମିତି ସଚିବ ସ୍ତରରେ ହେଲା, ଠିକ୍ ସେହିପରି ଓଡ଼ିଶାର ଲାଇଫ୍ ଲାଇନ୍ ମହାନଦୀ ଜଳ ବିବାଦର ସମାଧାନ ମଧ୍ୟ ହେବ । ସଚିବ ଗୋପନରେ ସମାଧାନ କରିବେ । ଆଉ ବିବାଦର ଶ୍ରେୟ ନେବେ ରାଜନେତା । ୨୦୧୯ ନିର୍ବାଚନ ପୂର୍ବରୁ ମହାନଦୀ ବିବାଦର ଅନ୍ତ ଘଟିଥିବ । ଏନେଇ ଓଡ଼ିଶା କ୍ୟାଡରର ଆଇଏସ୍ମାନେ ଲାଗି ପଡ଼ିଛନ୍ତି । ତ୍ରିମୂର୍ତ୍ତି ଆଦିତ୍ୟ, ଉପେନ୍ଦ୍ର ଓ ପ୍ରଦୀପ ଏଥିପାଇଁ ହୋମ୍ ୱାର୍କ କରୁଛନ୍ତି ।
ଭୁବନେଶ୍ୱର: ଓଡ଼ିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ଅଙ୍କ ଛିଣ୍ଡୁନି । ରାଜ୍ୟସ୍ତୀରୀୟ ଆଲୋଚନାଠୁ ଆରମ୍ଭ କରି କେନ୍ଦ୍ରରେ ବି ମହାନଦୀ ବିଦାର ସମାଧାନ ବାଟ ବାହାରି ପାରୁନି । କାଦୁଅ ଫିଙ୍ଗା ପର୍ବର ଅବସାନ ଘଟାଇବା ପାଇଁ ସଚିବ ସ୍ତରରେ ମନ୍ତ୍ରଣା ଚାଲିଛି । ଟ୍ରିବ୍ୟୁନାଲ ଗଠନ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ୨ରାଜ୍ୟର ଜଳ ବିବାଦର ସମାଧାନ ହେଉ ବୋଲି କେନ୍ଦ୍ର ସରକାର ମଧ୍ୟ ବାରମ୍ବାର କହୁଛନ୍ତି ।
ମହାନଦୀର ଉପରମୁଣ୍ଡରେ ଛତିଶଗଡ ୮ଟି ବଡ ବ୍ୟାରେଜ୍ ଓ ଅନେକ ଆନିକଟ୍ ନିର୍ମାଣ କଲାଣି । ଯଦ୍ୱାରା ଓଡିଶାର ଲାଇଫ୍ ଲାଇନ୍ ମହାନଦୀ ପ୍ରତି ବିପଦ ସୃଷ୍ଟି ହୋଇଛି । ଖରା ଦିନରେ ମହାନଦୀ ଶୁଖିଯିବ । ଛତିଶଗଡ ସବୁ ପାଣି ଅଟକାଇ ଦେବ । ଫଳରେ ଓଡିଶାରେ ଜଳ ସଙ୍କଟ ଦେଖା ଦେବ । ସମ୍ବଲପୁର ଠାରୁ ଜଗତସିଂହପୁର ଯାଏ ମରୁଡି ସ୍ଥିତି ଉପୁଜିବ । ଓଡିଶାର ସନ୍ଦେହରେ ସତ୍ୟତା ମଧ୍ୟ ରହିଛି ।ଏନେଇ ଓଡିଶା ସରକାର ଛତିଶଗଡ ବିରୋଧର ସ୍ୱର ଶାଣିତ କଲେ, ସଂସଦରେ କଥା ଉଠାଇଲେ । ଫଳରେ ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ବିବାଦର ସମାଧାନ ଲାଗି ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ଡକାଇଲେ । ମହାନଦୀ ଜଳ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କଲେ ଉମା । ହେଲେ ସୁଫଳ ମିଳିଲା ନାହିଁ । ଉଭୟ ରାଜ୍ୟ ନିଜ ଜିିଦରେ ଅଟଳ ଥିବାରୁ ସମାଧାନର ବାଟ ଅପହଞ୍ଚ ପରି ଲାଗିଲା ।
ଏଣେ କିନ୍ତୁ ମହାନଦୀ ଜଳ ବିବାଦ ଓଡିଶାରେ ଏକ ରାଜନୈତିକ ପ୍ରସଙ୍ଗ ହୋଇଗଲା । ବିଜେଡି ବର୍ଷ ତମାମ ଆନ୍ଦୋଳନ, ଧାରଣା ଆଦି କାର୍ଯ୍ୟକ୍ରମ କରି ଚାଲିଲା । ଟ୍ରିବ୍ୟୁନାଲ ଗଠନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡିଶା ସରକାର । ତେବେ ସୁପ୍ରିମକୋର୍ଟରେ କଥା ଦେଇ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନକୁ ଏଡାଇ ଗଲେ । ଆଉ ଗତ ୪ତାରିଖରେ ଏନେଇ ପାର୍ଲାମେଣ୍ଟରେ ଜଳସମ୍ପଦ ବିଭାଗର ଦାୟିତ୍ୱ ନେଇଥିବା ନୀତୀନ ଗଡକରୀ ଆପୋଶ ଆଲୋଚନା ଉପରେ ଜୋର ଦେଲେ । ଟ୍ରିବ୍ୟୁନାଲ ମାଧ୍ୟମରେ ସମସ୍ୟାର ସମାଧାନ କରିବା ବଦଳରେ, ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨ରାଜ୍ୟର ମୁଖିଆଙ୍କୁ ଆମନ୍ତ୍ରଣ କଲେ ଗଡକାରୀ । କୋର୍ଟ-କଚେରୀ ନୁହେଁ କି, ଟ୍ରିବ୍ୟୁନାଲ ନୁହେଁ, ଆଲୋଚନା ଦ୍ୱାରା ସବୁକିଛି ସମାଧାନ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଗଡକରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କଲେ ।
ସେପଟେ ଗତ ବିଧାନସଭା ଅଧିବେଶନରେ ଶାସକ ଦଳର ବିଧାୟକ, ମନ୍ତ୍ରୀ ମହାନଦୀ ବିବାଦକୁ ନେଇ ହୋହାଲ୍ଲା କଲେ । ପରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠନ ହୋଇଛି । ଏହାର ପ୍ରଥମ ବୈଠକ ମଧ୍ୟ ସରିଛି । ସେହି ବୈଠକରେ ବିରୋଧୀ ଦଳ ନେତା ଉପସ୍ଥିତ ରହିଲେ ନାହିଁ । ଫଳରେ ଗୃହ କମିଟି ମହାନଦୀ ଜଳ ବିବାଦର ସମାଧାନ ଲାଗି ସକ୍ଷମ କହିବା ମୁସ୍କିଲ । କିନ୍ତୁ ଏହାରି ଭିତରେ ଓଡିଶା କ୍ୟାଡର ଆଇଏଏସ ଉପେନ୍ଦ୍ର ପ୍ରସାଦ ସିଂ କେନ୍ଦ୍ର ଜଳସମ୍ପଦ ସଚିବ ହୋଇଛନ୍ତି । ୧୯୮୫ ମସିହାର ଆଇଏଏସ ଉପେନ୍ଦ୍ର ସିଂ ଗତ ନଭେମ୍ବର ୨୮ରେ କେନ୍ଦ୍ର ଜଳସମ୍ପଦ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଓଡିଶାକୁ ଭଲ ପାଉଥିବା ଉପେନ୍ଦ୍ର ସିଂ ରାଜନୈତିକ ଲଢେଇରୁ ସୁଫଳ ମିଳିବ ନାହିଁ ବୋଲି ବୁଝି ସାରିଛନ୍ତି । ଦିଲ୍ଲୀ ସୂତ୍ରରୁ ଆମକୁ ଖବର ମିଳିଛି ପାରାଦୀପ ତୈଳ ବିଶୋଧନାଗାରକୁ ଭାଟ୍ ଛାଡ ପ୍ରସଙ୍ଗର ସମାଧାନ ପରି ମହାନଦୀ ବିବାଦର ମଧ୍ୟ ସମାଧାନ ହେବ । ଏନେଇ କେନ୍ଦ୍ର ଜଳସମ୍ପଦ ସଚିବ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ବୋଲି ଖବର ରହିଛି । ଆଉ ସେହି ଗୋପନ ସମାଧାନ ସୂତ୍ରରେ ରାଜ୍ୟ ଜଳସମ୍ପଦ ସଚିବ ପ୍ରଦୀପ ଜେନା ମଧ୍ୟ ରହିଥିବା ଖବର ମିଳିଛିି । ସଚିବ ସ୍ତରରେ ସବୁ ସମସ୍ୟାର ସମାଧାନ ବାଟ ଖୋଜା ଯିବ । ନିର୍ବାଚନ ଆଗରୁ ୩ ଓଡିଶା କ୍ୟାଡର ଆଇଏଏସ ସମାଧାନ ଫର୍ମୁଲା ବାହର କରିବେ । ଯାହା ଖବର ରହିଛି ଛତିଶଗଡ ବ୍ୟାରେଜ ନିର୍ମାଣକୁ ଓଡିଶା ବିରୋଧ କରିବ ନାହିଁ । କିନ୍ତୁ ପୂର୍ବରୁ ଖରାଦିନେ ଯେତିକି ପାଣି ମହାନଦୀ ଦେଇ ହୀରାକୁଦକୁ ଆସୁଥିଲା, ସେତିକି ପାଣି ଛତିଶଗଡ, ଓଡିଶାକୁ ଛାଡି ଦେବ । ସେଥିପାଇଁ ଖରା ଦିନେ ମହାନଦୀରେ କେତେ ପାଣି ଆସୁଥିଲା, ତା’ର ଏବେ ହିସାବ ଚାଲୁଛି । ଫର୍ମୁଲା ଅନୁସାରେ କେନ୍ଦ୍ର ପକ୍ଷରୁ ଛତିଶଗଡ ଉପରେ ଚାପ ପଡିବ । ସମାଧାନର ସୂତ୍ର ବାହାରିବା ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା ଟେବୁଲକୁ ଆସିବେ ବୋଲି ଖବର ରହିଛି । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରମଣ ସିଂଙ୍କ ଉପସ୍ଥିତିରେ ମହାନଦୀର ବିବାଦରେ ପୂର୍ଣଛେଦ ପଡିବ ।

Loading...
ONA

Leave a Reply

Top