ମହାନଦୀ ପାଣି ଲଢ଼େଇ- କୋର୍ଟ ଯିବ ଓଡ଼ିଶା, ସଂଗ୍ରହ ହେବ ଦସ୍ତଖତ

ଭୁବନେଶ୍ବର: ମହାନଦୀରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବିଜେଡିର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଦଳ ପକ୍ଷରୁ ଦ୍ବିତୀୟ ପର୍ୟ୍ୟାୟରେ ମହାନଦୀ ପାଇଁ ମହାସଂଗ୍ରାମ ଲାଗି ଦଳ ଦେଇଛି ଆହ୍ବାନ । ଏଥିପାଇଁ ଓଡିଶାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ନଭେମ୍ବର ୧୧ରୁ ବିଜେଡି ଆରମ୍ଭ କରିବ ଦସ୍ତଖତ ଅଭିଯାନ । ପରେ ହୀରାକୁଦ ଠାରୁ ପାରାଦୀପ ଦୀର୍ଘ ୪ଶହ କିଲୋମିଟର ପର୍ୟ୍ୟନ୍ତ ହେବ ମାନବଶୃଙ୍ଖଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
“୪କୋଟି ଓଡିଆଙ୍କ ପାଇଁ ମହାନଦୀ ମା । ଏବଂ ଗଙ୍ଗା ପରି ପବିତ୍ର । ମହାନଦୀ ପାଣିରୁ ଓଡିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଓଡିଶାବାସୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଆମେ କୋର୍ଟକୁ ଯିବୁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି” ।
ତେବେ ମହାନଦୀ ଉପରେ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣକୁ ନେଇ ଓଡିଶା ବିରୋଧ କରୁଛି । ମହାନଦୀ ଜଳ ବିବାଦର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ଆନ୍ତରିକତା ନାହିଁ । ମହାନଦୀ ଉପରେ ଛତିଶଗଡ ନିର୍ମାଣ କରୁଥିବା ବ୍ୟାରେଜକୁ ବନ୍ଦ କରିବାକୁ ହେଲେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଲେନି । ବରଂ ରାଜନୈତିକ ସମ୍ପର୍କ ଦୃଷ୍ଟିରୁ ଭାରତ ସରକାର ଛତିଶଗଡକୁ ନିରବ ସମର୍ଥମନ କଲେ । ପରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ ଓଡ଼ିଶା । କିନ୍ତୁ ଦୁଃଖର କଥା ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କୌଣସି ଜବାବ ଦେଲେନି ବୋଲି ନବୀନ କହିଛନ୍ତି । ଆଜି ଭୁବନେଶ୍ବର ଇଡକଲ ଅଡିଟୋରିୟମ୍ ଠାରେ ବିଜେିର ବିଧାୟକ, ସାଂସଦ, ଦଳୀୟ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କର ଏକ ପ୍ରସ୍ତୁତି ବୈଠକ ହୋଇଥିଲା ।
ସେହିପରି ପୋଲାଭରମ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଥିବାବେଳେ ଏହାକୁ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ସାହାଯ୍ୟ କରିଛିନ୍ତି । ଓଡିଶାର ଗରିବ ଆଦିବାସୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି । ସବକା ସାଥ୍ ସବକା ବିକାଶ କଥା କହୁଥିବା କେନ୍ଦ୍ର ସରକାର ଓଡିଶା, ଛତିଶଗଡ ଓ ତେଲେଙ୍ଗାନାର ବିସ୍ଥାପିତ ହେବାକୁ ଥିବା ଗରିବ ଆଦିବାସୀଙ୍କୁ ଅଣଦେଖା କରିଛନ୍ତି ।
ଅବଶ୍ୟ ପୂର୍ବରୁ ମହାନଦୀ ପ୍ରସଙ୍ଗରେ ବିଜେଡି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ସହ ବିଧାନସଭାକୁ ଅଚଳ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛି । ସଂସଦରେ ଗତ ଜୁଲାଇ ୨୭ରେ ବିଜେଡି ସାଂସଦଙ୍କ ଜରିଆରେ ମହାନଦୀ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ମଧ୍ୟ କରାଇଛନ୍ତି ନବୀନ ପଟ୍ଟନାୟକ । ଆଉ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସନ୍ନ ଆଚାର୍ୟ୍ୟଙ୍କ ନେତୃତ୍ବରେ ବିଜେଡିର ଜୁମ୍ବୋ ଟିମ ଛତିଶଗଡକୁ ଯାଇଥିଲା । ଯୁବ ବିଜେଡି ନେତୃତ୍ଭରେ ୧୫ଟି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲା । ରେଳରୋକ ହୋଇଛି । ମହିଳା ବିଜେଡି କଳସ ଶୋଭାଯାତ୍ରା କରି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ବିରୋଧରେ ରୋଷ ଜାହିର କରିଛି । କେନ୍ଦ୍ର ଜଳ ସଂପଦ ଆୟୋଗକୁ ଛତିଶଗଡର ବୋଲକରା କହି ଭୁବନେଶ୍ବର ସ୍ଥିତ ସିଡବ୍ଲୁସି ଆଗରେ ଶହେ ଦିନର ଧାରଣା ଦେଉଛି ବିଜେଡି ।
ତେବେ ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ୧୬ରେ ମଧ୍ୟ ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ । ଆଉ ସେହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଥିଲେ । ହେଲେ ନବୀନଙ୍କର ସେହି ଉପସ୍ଥାପନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଭାବିତ ହୋଇନଥିଲେ ।
ମହାନଦୀରେ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ବିରୋଧ କରି ପ୍ରସଙ୍ଗକୁ ନେଇ ଓଡିଶା କଂଗ୍ରେସର ବିଧାୟକ ଦଳ ଅକ୍ଟୋବର ୧୩ରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ନିକଟରେ ଫେରାଦ ହୋଇଥିଲା । ତେବେ ବାସ୍ତବରେ ବିଜୁ ଜନତା ଦଳ ମହାନଦୀର ଜଳ ଏବଂ ଓଡିଶାକୁ ନେଇ ଚିନ୍ତିତ ନୁହେଁ, ବରଂ ପଞ୍ଚାଯତ ନିର୍ବାଚନ ଜିତିବା ଲାଗି ଏହା ଏକ ଫାର୍ସ ବୋଲି ବିଜେପି କହିଛି ।