ମନୋଜ ନାୟକଙ୍କ ଜାମିନ ପ୍ରସଙ୍ଗ: କୋର୍ଟରେ ରାୟ ସଂରକ୍ଷିତ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଥିବା ମାଲିକ ମନୋଜ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ହୋଇଛି । ଗୁରୁବାର ଖୋର୍ଦ୍ଧା ଜିଲ୍ଳା ଦୌରା ଜଜ-୨ଙ୍କ ଅଦାଲତରେ କମିଶନରେଟ୍ ପୋଲିସ୍ କୋର୍ଟରେ କେସ୍ ଡାଏରୀ ଓ ଶବବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବା ପରେ ଶୁଣାଣି ହୋଇଥିଲା । ଅପରାହ୍ଣରେ ମନୋଜଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅଦାଲତ ସରକାରୀ ଓକିଲ ଓ ମୁଦଲାଙ୍କ ଓକିଲଙ୍କ ପକ୍ଷ ଶୁଣିଥିଲେ । ଏହାପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଗତ ୨୫ ତାରିଖରେ ପୋଲିସ୍ କେସ୍ ଡାଏରୀ ଦାଖଲ କରି ନଥିବାରୁ କୋର୍ଟରେ ମନୋଜଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରି ନଥିଲା । କୋର୍ଟ ଜାମିନ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ । ଏଥିସହ ପୋଲିସ୍କୁ କେସ୍ ଡାଏରୀ ଓ ଶବବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ତାଙ୍କ ଭଉଣୀ ଆରତୀ ନାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଶାଶ୍ୱତୀ ଓ ଆରତୀ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ପୂର୍ବରୁ ଶାଶ୍ୱତୀଙ୍କ ନାଁରେ କମିଶନରେଟ୍ ପୋଲିସ୍ ଲୁକ୍ ଆଉଟ ସର୍କୁଲାର ଜାରି କରିଥିଲା ।
ସମ୍ ହସ୍ପିଟାଲ ଘଟଣାରେ ଖୋର୍ଦ୍ଧା ସିଡିଏମ୍ଓଙ୍କୁ କୈଫିୟତ ତଲବ କରିଛି ସ୍ୱାସ୍ଥ୍ୟ ବିଭାଗ । ସମ୍ ହସ୍ପିଟାଲ କ୍ଲିନିକାଲ ଏଷ୍ଟାବ୍ଲିସମେ ଆଇନ୍ର ଉଲ୍ଲଙ୍ଘନ କରିଥିବା ସତ୍ତ୍ୱେ ସିଡିଏମ୍ଓ କିପରି ଏହାର ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ୍ କରିଥିଲେ । ସେନେଇ ସିଡିଏମ୍ଓଙ୍କୁ ଜବାବ ମଗାଯାଇଛି । ତା ସହ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ଦର୍ଶାଇ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।