ମତ ବଦଳାଇଲେ ଦାମ: ବିଜେଡି ଏକା ଲଢ଼ିବାକୁ ସମର୍ଥ

ଭୁବନେଶ୍ୱର: କୃଷିମନ୍ତ୍ରୀ ଦାମ ରାଉତଙ୍କ କଥାରେ ଘଡିକେ ଘୋଡା ଛୁଟୁଛି । ଦିନକ ଆଗରୁ ଭାରତୀୟ ଜନତା ପାର୍ଟି ପରି ଏକ ସାମ୍ପ୍ରଦାୟିକ ଦଳକୁ ରାଜ୍ୟରେ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ଏକ ମନ୍ତବ୍ୟ ଦେଇ ବିଜେଡି ଓ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିଲେ ଦାମ । ଏହାର ୨୪ ଘଣ୍ଟା ନପୁରୁଣୁ ନିଜ ମତ ବଦଳାଇଛନ୍ତି ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ଦାମ’ଙ୍କ ମନ୍ତବ୍ୟ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ପୁଣି ଚର୍ଚ୍ଚାରେ ।
ତେବେ ଦାମଙ୍କ ମନ୍ତବ୍ୟ ପରିବର୍ତ୍ତନ ପଛରେ କେଉଁ ଅଦୃଶ୍ୟ ଶକ୍ତିର ଚାପ ରହିଛି? ଟାଣୁଆ ନେତା ହାର ମାନି ନିଜେ କହିଥିବା କଥାକୁ ପୁଣି ଫେରାଇ ନେଲେ । ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡି-କଂଗ୍ରେସ ମେଣ୍ଟ କଥା ଉଠାଇଥିଲେ । ତେବେ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀପ ପଟ୍ଟନାୟକ ପଦାକୁ ବାହାରି ଭର୍ତ୍ତୃହରିଙ୍କୁ କୈଫିୟତ ତଲବ କରିବା ସହିତ ବିଜେଡି ଉଭୟ କଂଗ୍ରେସ ଓ ଭାଜପା ସହିତ ସମଦୂରତା ରକ୍ଷା କରିବ ବୋଲି ଦୋହରାଇଥିଲେ । ପରେ ମଧ୍ୟ ସାଂସଦ ଶ୍ରୀ ମହତାବ ନିଜ ମତକୁ ବୁଲେଇ ବଙ୍କେଇ ପରିବର୍ତ୍ତନ କରିଥିଲେ । ତେବେ ଆଜି ମଧ୍ୟ ଡ.ରାଉତ ନିଜ ମନ୍ତବ୍ୟକୁ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ବିଜେଡି ଏକାକୀ ଲଢ଼ିବାକୁ ସମର୍ଥ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଏକାକୀ ଲଢ଼ି ୧୨୫ ସିଟରେ ବିଜୟୀ ହୋଇପାରିବ । ଏଥିପାଇଁ ବିଜେଡିକୁ କାହାରି ସହଯୋଗର ଆବଶ୍ୟକତା ନାହିଁ । ତେବେ ନିଜ ମୁହଁ ବଞ୍ଚାଇବାକୁ ଯାଇ ଦାମ କହିଛନ୍ତି, କଂଗ୍ରେସ ଏକ ପଛୁଆ ଦଳ ନୁହେଁ ।
୨୦୦୯ ମସିହାରୁ ଦୁଇ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତା ବଜାୟ ରଖିଆସିଛି । ହେଲେ ଭାରତର ଅଖଣ୍ଡତାକୁ ରକ୍ଷା କରିବାକୁ ହେଲେ ସାଂପ୍ରଦାୟିକତାର ବିଷମଞ୍ଜି ବୁଣୁଥିବା ବିଜେପିକୁ ଶାସନରୁ ଦୂରେଇ ରଖିବାକୁ ପଡିବ । ଏଥିଲାଗି ଅନ୍ୟ କୌଣସି ଦଳ ଯଦି ବିଜେଡିକୁ ସହଯୋଗ କରିବାକୁ ଚାହେଁ, ତାହେଲେ ସେମାନଙ୍କୁ ଆନନ୍ଦର ସହକାରେ ଗ୍ରହଣ କରାଯାଇପାରେ । କଂଗ୍ରେସ ସହ ମିଶି ବିଜେଡି ଲଢ଼ିବାରେ ବାଧା ନାହିଁ । ଏପରିକି କଂଗ୍ରେସ କେଉଁ ଆସନରେ ଜିତିବ ସେ ନେଇ ପ୍ରସ୍ତାବ ଦେଉ ବୋଲି ଦାମ କହିଥିଲେ । ତେବେ କଂଗ୍ରେସ ସହ ମେଣ୍ଟ ନେଇ ଶେଷ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ନେବେ ବୋଲି ଦାମ ସ୍ପଷ୍ଟ କରିଥିଲେ । ଡାକ୍ତର ରାଉତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା ।
ଡାକ୍ତର ରାଉତଙ୍କ ମନ୍ତବ୍ୟ ନେଇ ବିଜେଡିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ରାଉତ ତାଙ୍କ ମନ୍ତବ୍ୟ ବଦଳାଇଛନ୍ତି । କହିଛନ୍ତି ଗତ ନିର୍ବାଚନରେ ଆମେ ୧୧୭ଟି ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନରୁ ବିଜୟୀ ହୋଇଥିଲୁ । ତେଣୁ ଆମେ କାହିଁକି କଂଗ୍ରେସ ଦଳ ସହିତ ମେଣ୍ଟ କରିବୁ ବୋଲି କହିବା ସହିତ ଗଣମାଧ୍ୟମ ଅର୍ଥକୁ ଅନର୍ଥ କରୁଛି ବୋଲି ଅଭିଯୋଗ କରିଛନ୍ତି । କଂଗ୍ରେସ ଦଳର ସ୍ଥିତି ଟଳମଳ । ତେଣୁ ଆମେ ତାଙ୍କ ସହିତ ମେଣ୍ଟ କରିବାକୁ ଚାହୁଁ ନାହୁଁ ।
ଅପରପକ୍ଷରେ ଗତକାଲି ରାଉତଙ୍କ ଏହି ବୟାନ ପରେ କେନ୍ଦ୍ରାପଡା ଲୋକସଭା ଆସନରେ ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ଯେ ଆମେ ଯେଉଁମାନେ ୧୯୮୦ ଓ ୯୦ ଦଶକରେ କଂଗ୍ରେସର ଦୁର୍ନୀତି ଦ୍ୱାରା ଓଡ଼ିଶାରେ ଯେଉଁ ପ୍ରଭୂତ କ୍ଷତି ହୋଇଥିଲା, ତାକୁ ଦୂର କରିବା ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ ବିଜେଡି ଦଳ ଗଠନ କରିଥିଲୁ । ସେମାନଙ୍କ ପାଇଁ ଡାକ୍ତର ରାଉତଙ୍କ ପ୍ରସ୍ତାବ ଗ୍ରହଣ କରିବା କଷ୍ଟକର । ଶ୍ରୀ ପଣ୍ଡାଙ୍କ ଏହି ଟ୍ୱିଟ୍ର ପ୍ରତିକ୍ରିୟା ରଖିଛନ୍ତି ଡା. ରାଉତ । ସେ କହିଛନ୍ତି, ୮୦ ମସିହାରେ ଶ୍ରୀ ପଣ୍ଡା କଣ କରୁଥିଲେ ଓ ତାଙ୍କ ରାଜନୈତିକ ସ୍ଥିତି କିଭଳି ଥିଲା ମୁଁ ଜାଣି ନାହିଁ ।