ଭୁବନେଶ୍ୱର : ଖସୁଛି ପାରଦ,ବଢୁଛି ଶୀତ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ପାରଦ ଦିନକୁ ଦିନ ତଳକୁ ତଳକୁ ଖସୁଛି  । ଏହାର ପ୍ରଭାବରେ ରାଜ୍ୟରେ ବଢୁଛି ଶୀତ । ନଭେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ଥଣ୍ଡା ବଢିବ। ଦିନବେଳା ବି ଦେହ ଥରାଇଲା ଭଳି ଶୀତ ହେବ। ଆଉ ରାତିରେ ଜାଡ଼ ପଡ଼ିବ। ଏହିଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ଆଜି ରାଜ୍ୟର ୯ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରି ତଳେ ଥିବାବେଳେ ପାରଦୀପରେ ସର୍ବନିମ୍ନ ତାପମାତ୍ରା ସବୁଠୁ ଅଧିକ ୧୭.୬ ଡିଗ୍ରି ରହିଛି। ହେଲେ ପଶ୍ଚିମ ଓଡ଼ିଶା ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ କମୁନି। ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ପାଣିପାଗ ବିଭାଗ କହୁଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଫୁଲବାଣୀରେ ଗତ କିଛି ଦିନ ହେଲା ପାରଦ ୧୦ଡିଗ୍ରି ତଳେ ଥିବାବେଳେ ଆଜି ୯.୫ ଡିଗ୍ରିରେ ପହଞ୍ଚିଛି। ସେହିପରି ଦାରିଙ୍ଗବାଡିରେ ୧୦ଡିଗ୍ରି, କୋରାପୁଟରେ ୧୧ଡିଗ୍ରି, ଭବାନିପାଟଣାରେ ୧୦.୨ଡିଗ୍ରି, ହୀରକୁଦରେ ୧୦.୧ ଡିଗ୍ରି, ସୁନ୍ଦରଗଡ଼ରେ ୧୦ଡିଗ୍ରି, ସମ୍ବଲପୁରରେ ୧୧.୧ଡିଗ୍ରି, କେନ୍ଦୁଝରରେ ୧୨ଡିଗ୍ରି, ଅନୁଗୁଳରେ ୧୧ଡିଗ୍ରି ପାରଦ ରହିଛି। ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ପାରଦ ୧ଡିଗ୍ରି କମ୍‌ ବେଶୀ ହେବ। କିନ୍ତୁ ଶୀତରୁ ନିସ୍ତାର ମିଳିବନି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଏବେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବେଳେବେଳେ ପୂର୍ବ ଦିଗରୁ ଅର୍ଥାତ୍‌ ସମୁଦ୍ରରୁ ସ୍ଥଳ ଭାଗକୁ ପବନ ବହୁଥିବାରୁ ସାମାନ୍ୟ ଗରମ ଅନୁଭୂତ ହେଉଛି। ସେହିପରି ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ ମାତ୍ରା ୧୦ପ୍ରତିଶତ ଭିତରେ ରହୁଥିବାରୁ ଦିନବେଳା ଖରା ଟିକେ କାଟୁଛି। ଏହାସହ ପବନର ମାତ୍ରା କିଛି ଦିନ ହେଲା ଘଣ୍ଟା ପ୍ରତି ପ୍ରାୟ ୧୦ରୁ ୧୫କିମି ମଧ୍ୟରେ ରହୁଥିବାରୁ ଦିନବେଳା ଗରମ ଅଧିକ ଅନୁଭୂତ ହେଉଛି। ହେଲେ ନଭେମ୍ବର ଶେଷ ସପ୍ତାହରୁ ରାଜ୍ୟବାସୀ ଅଧିକ ଶୀତ ଅନୁଭୂତ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି।

ମତାମତ ଦିଅନ୍ତୁ

Please enter your comment!
Please enter your name here