ଭବାନୀପାଟଣା ଜନସଭାରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭବାନୀପାଟଣା/ଭୁବନେଶ୍ୱର: ରାଜ୍ୟ ସରକାର ନିଜର ଦୁର୍ନୀତି ଓ ଅପାରଗତାକୁ ଲୁଚାଇବାପାଇଁ କେନ୍ଦ୍ରୀୟ ଅବହେଳାର ବାହାନା କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭବାନୀପାଟଣାରେ ବିଜେପିର ଏକ ବିଶାଳ ଜନସଭାରେ ଉଦବୋଧନ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସଭାରେ ବିପୁଳ ଜନସମାଗମକୁ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେଡ଼ି ଶାସିତ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, କଳାହାଣ୍ଡିର ନର୍ଲାଠାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ରେଳଡ଼ବା ତିଆରି କାରଖାନା ମାମଲାରେ ରାଜ୍ୟ ସରକାର ଏହି ପ୍ରକଳ୍ପ ଲାଗି ଜମି ଯୋଗାଇ ଦେବା ବଦଳରେ ଅଯଥା ବିଳମ୍ବ କାହିଁକି କରୁଛନ୍ତି? ଏହି ଯୋଜନା ପାଇଁ ୮-୧୦ ମାସ ତଳୁ ୨୫୦ ଏକର ଜମି ପାଇଁ ରାଜ୍ୟ ସରକାରଙ୍କ ଠାରେ ରେଳ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଯଦି ଜମି ଯୋଗାଇ ଦିଆ ନଯାଏ ତେବେ ପ୍ରକଳ୍ପ କିପରି ଆଗେଇବ ବୋଲି ସେ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାରଙ୍କୁ । ସେ ମଧ୍ୟ ତାଙ୍କ ଉଦବୋଧନରେ ଓଡ଼ିଶା ସରକାରଙ୍କୁ କଟୁ ସମାଲୋଚନା କରି କହିଛନ୍ତି, ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ସର୍ଦ୍ଦାର ରାଜାସ ମେଡ଼ିକାଲ କଲେଜ ପାଇଁ ସରକାରୀ ଅର୍ଥ ଓ ଜମି ଯୋଗାଇ ଦେଇଥିଲେ ମଧ୍ୟ ଏହି ମେଡ଼ିକାଲ କଲେଜ କୁଆଡ଼େ ଗଲା? ଅପରପକ୍ଷରେ ପ୍ରାୟ ଦେଢବର୍ଷ ପୂର୍ବରୁ ବେଦାନ୍ତ ଦ୍ୱାରା ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣାର ଦେଢବର୍ଷ ପରେ ମଧ୍ୟ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରର ଡ୍ରାମାବାଜି କରି କଳାହାଣ୍ଡିବାସୀଙ୍କୁ ବୋକା ବନଉଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ପଡ଼ୋଶୀ ଛତିଶଗଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ ଦେଉଥିବା ବେଳେ ଓଡ଼ିଶାର ଚାଷୀମାନେ ଏହି ସୁବିଧାରୁ କାହିଁକି ବଞ୍ଚିତ ବୋଳି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ରାଜ୍ୟରେ ୩୫ ଲକ୍ଷ ପରିବାରରେ ବିଜୁଳି ପହଁଚିବା ୧୮ ବର୍ଷ ନବୀନ ଶାସନରେ ସମ୍ଭବ ହୋଇନଥିବା ବେଳେ ସୌଭାଗ୍ୟ ଯୋଜନାରେ ସରକାରୀ ଅର୍ଥରେ ସବୁଘରେ ବିଜୁଳି ପହଁଚିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ହେବା ସହିତ ଶିଶୁଙ୍କର ଅପପୁଷ୍ଟି ଭଳି ସମସ୍ୟା ସମାଧାନ ନହେବା କାରଣରୁ ରାଜ୍ୟର ଭବିଷ୍ୟତକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।