ଭଦ୍ରକ ସ୍ଥିତି ନେଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାମସୀତାଙ୍କ ପ୍ରତି ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗୁରୁବାରଠାରୁ ଅଶାନ୍ତ ହୋଇଯାଇଛି ଭଦ୍ରକ । ଗତକାଲିଠାରୁ ସହରରେ କର୍ଫୁ୍ୟ ଲଗାଯାଇଛି । ଏହା ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତରହିବ  । ଆଜି ଭଦ୍ରକ ସ୍ଥିତି ନେଇ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି  । ସେ ରାଜନାଥଙ୍କୁ ଭଦ୍ରକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି  । ଏହା ସହିତ ଭଦ୍ରକ ପ୍ରସଙ୍ଗରେ  ନ୍ୟାୟସଙ୍ଗତ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଅନୁରୋଧ କରିଛନ୍ତି  । ଯେଉଁ ପ୍ରସଙ୍ଗରୁ ଭଦ୍ରକ ଅଶାନ୍ତ ହୋଇଛି ତାହା ଲୋକଙ୍କ ଭାବାବେଗ ସହିତ ଜଡିତ ଥିବାରୁ ଯତ୍ନବାନ ହୋଇ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି  । ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ସେ ଆଜି ପୁଣି ଥରେ ଭଦ୍ରକବାସୀଙ୍କୁ ନିବେଦନ କରିଛନ୍ତି  ।
  ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭଦ୍ରକବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ପୁଣି ଥରେ ନିବେଦନ କରିଛନ୍ତି  । ଗୃହ ସଚିବ ଅସିତ ତ୍ରିପାଠୀ ଓ ଡିଜିପି କେବି ସିଂହ ଭଦ୍ରକରେ ଡେରା ପକାଇଥିବା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଆଜି  ଭୁବନେଶ୍ୱରରେ ଭଦ୍ରକ ସ୍ଥିତିର ସମୀକ୍ଷା କରିଛନ୍ତି  । ସମୀକ୍ଷା ବୈଠକ ଶେଷ ହେବା ପରେ କହିଛନ୍ତି ଯେ, ଏବେ ଭଦ୍ରକରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । କ୍ଷତି ହୋଇଥିବା ଭିତ୍ତିଭୂମିକୁ ତୁରନ୍ତ ସଜଡା ଯାଉଛି । ସହରରେ ୩୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।